ନୂଆଦିଲ୍ଲୀ: ୨୦୦୦ ମସିହାରେ ମ୍ୟାଚ୍ ଫିକ୍ସିଂ ଅଭିଯୁକ୍ତ ହେବା ପରେ ବିସିସିଆଇ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ କ୍ରିକେଟ୍ରୁ ଆଜୀବନ ବାସନ୍ଦ କରିଥିଲା। ଲମ୍ବା ଆଇନଗତ ଲଢ଼େଇ ପରେ ୨୦୧୨ରେ ସେ ଦୋଷମୁକ୍ତ ହୋଇଥିଲେ। ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ଏହି ବାସନ୍ଦକୁ 'ବେଆଇନ' ଦର୍ଶାଇ ଉଠାଇ ଦେଇଥିଲେ। କ୍ରିକେଟ୍ ପାକିସ୍ତାନ ଡଟ୍ କମ୍କୁ ଦେଇଥିବା ଏକ ସାକ୍ଷାତକାରରେ ଆଝାରୁଦ୍ଦିନ କହିଛନ୍ତି ମୁଁ ମୋ ଆଜୀବନ ବାସନ୍ଦର କିଛି କାରଣ ଜାଣିନାହିଁ। ଯାହା ସବୁ ଘଟିଗଲା ସେଥିପାଇଁ ମୁଁ କାହାରିକୁ ଦୋଷ ବି ଦେଉନାହିଁ। ୧୨ ବର୍ଷ ପରେ ଦୋଷମୁକ୍ତ ହୋଇଥିବାରୁ ମୁଁ କୃତଜ୍ଞତା ବି ଜଣାଇଥିଲି। ହାଇଦ୍ରାବାଦ କ୍ରିକେଟ୍ ସଂଘର ସଭାପତି ନିର୍ବାଚିତ ହେବା ଏବଂ ବିସିସିଆଇ ଏଜିଏମ୍ରେ ଭାଗନେବାକୁ ଯିବା ମୋତେ ଖୁସି ଦେଇଥିଲା।
ନିଲମ୍ବନ ସମୟ ନିଶ୍ଚିତ ମୋ ଜୀବନର ଅନ୍ୟତମ ଅନ୍ଧକାରମୟ ସମୟ ଥିଲା ବୋଲି ଆଝାରୁଦ୍ଦିନ ପ୍ରକାଶ କରିଥିଲେ। ଖେଳ ଜୀବନରେ ଆଝାର୍ ଭାରତ ପାଇଁ ୯୯ ଟେଷ୍ଟ୍ ଏବଂ ୩୩୪ ଦିନିକିଆ ଖେଳି ଯଥାକ୍ରମେ ୬୧୨୫ ଓ ୯୩୭୮ ରନ୍ ସଂଗ୍ରହ କରିଥିଲେ। ଟେଷ୍ଟ୍ ପଦାର୍ପଣରେ କ୍ରମାଗତ ୩ ଶତକ ହାସଲ କରି ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିଥିବା ଆଝାରୁଦ୍ଦିନ ଦେଶର ଅନ୍ୟତମ ସଫଳ ଅଧିନାୟକ ବି ହୋଇଥିଲେ। ୨୦୧୯ରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ (ଉପ୍ପଲ, ହାଇଦ୍ରାବାଦ)ରେ ତାଙ୍କ ନାମରେ ଏକ ଷ୍ଟାଣ୍ଡ୍ କରାଯାଇଥିଲା ଏବଂ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ୍ ଅବସରରେ ମଧ୍ୟ ତାଙ୍କୁ ଅନ୍ୟ ପୂର୍ବତନ ଅଧିନାୟକଙ୍କ ଗହଣରେ ସମ୍ବର୍ଧିତ କରାଯାଇଥିଲା। 'ଭାରତ ପାଇଁ ୧୬ ବର୍ଷ ଖେଳିବା ଏବଂ ୧୦ ବର୍ଷ ଅଧିନାୟକତ୍ବ କରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମଣିଛି। ଏହାଠାରୁ ଅଧିକ କିଛି ଆଶା କରାଯାଇନପାରେ' ବୋଲି ଆଝାର ପ୍ରକାଶ କରିଥିଲେ।