ଭାରତୀୟ ଦଳରେ ସ୍ଥାନ ନପାଇ ଭାଙ୍ଗିପଡ଼ିଥିଲେ ସୂର୍ଯ୍ୟ : ‘ତାଲିମ ଅଧାରୁ ଛାଡ଼ିଥିଲି, ରାତିରେ ଖାଇବାକୁ ଇଚ୍ଛା ନଥିଲା’

ମୁମ୍ବାଇ: ସଦ୍ୟ ସମାପ୍ତ ଆଇପିଏଲ୍‌ରେ ଅନ୍ୟତମ ଅଗ୍ରଣୀ ରନ୍‌ ସଂଗ୍ରହକାରୀ ଥିବା ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସୁଯୋଗ ମିଳିନଥିବାରୁ ବହୁ କ୍ରିକେଟ୍‌ ବିଶାରଦ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ୩ ଫର୍ମାଟର କୌଣସି ଦଳରେ ବି ସୂର୍ଯ୍ୟଙ୍କୁ ସ୍ଥାନ ମିଳିନଥିଲା। ଏହାକୁ ନେଇ ସେ ନିଜେ ଚକିତ ହେବା ସହ ଭାଙ୍ଗିପଡ଼ିଥିଲେ ସୂର୍ଯ୍ୟକୁମାର। ‘ମୁଁ ଭଲ ବ୍ୟାଟିଂ କରିଥିଲି ଏବଂ ରନ୍‌ ସଂଗ୍ରହ କରିଥିଲି।‌ କେବଳ ଆଇପିଏଲ୍‌ ନୁହେଁ ଧଳାବଲ କ୍ରିକେଟରେ ମୁଁ ବିଗତ ୨ ବର୍ଷ ହେବ ପ୍ରଚୁର ରନ୍‌ ସଂଗ୍ରହ କରିଛି। ଆଶା ରଖିଥିଲି ଏଥର ଅଷ୍ଟ୍ରେଲିଆ ଗସ୍ତରେ ନିଶ୍ଚିତ ଭାରତୀୟ ଦଳରେ ସୁଯୋଗ ମିଳିବ। ଡାକରା ନମିଳିବାରୁ ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ଚକିତ‌ ହୋଇପଡ଼ିଥିଲି। ଦଳ ଘୋଷଣା ବେଳେ ମୁଁ ଜିମ୍‌ରେ ତାଲିମ ନେଉଥିଲି। ଚୟନ କଥା ନଭାବି ଅନ୍ୟମନସ୍କ ହେବାକୁ ଚାହିଁଥିଲି। ଦଳରେ ସ୍ଥାନ ନପାଇବା ଖବର ମିଳିବା ପରେ ତାଲିମ ଶେଷ କରିପାରିନଥିଲି। ଏହା ମୋତେ ଏତେ ବାଧିଥିଲା ଯେ ଅଧାରୁ ଫେରିଯାଇଥିଲି। ରାତିରେ ମୋ‌ତେ ଖାଇବାକୁ ଇଚ୍ଛା ‌ମଧ୍ୟ ହୋଇନଥିଲା।’ ବୋଲି ସୂର୍ଯ୍ୟକୁମାର ପ୍ରକାଶ କରିଥିଲେ। ଆଇପିଏଲ୍‌-୧୩ରେ ସୂର୍ଯ୍ୟକୁମାର ୧୬ ମ୍ୟାଚ୍‌ରୁ ୪୦ ହାରରେ ୪ ଅର୍ଧଶତକ ସହିତ ୪୮୦ ରନ୍ କରିଥିଲେ। ଈଶାନ କିଷନ (୫୧୬) ଓ କ୍ବିଣ୍ଟନ୍ ଡି’କକ୍‌ (୫୦୩)ଙ୍କ ପରେ ମୁମ୍ବାଇ ଇଣ୍ଡିଆନ୍ସର ତୃତୀୟ ଅଗ୍ରଣୀ ସ୍କୋରର୍ ଥିଲେ। ସୂର୍ଯ୍ୟଙ୍କ ଯୁକ୍ତି ହେଲା ମୁଁ ଭାରତୀୟ ଦଳର ଗୋଟିଏ ସ୍ଥାନରେ ଖେଳିବାକୁ ହକ୍‌ଦାର ଥିଲି।

ଗତ ଆଇପିଏଲ୍‌ର ୪୮ତମ ମ୍ୟାଚ୍‌ରେ ଆର୍‌ସିବି ବିପକ୍ଷରେ ସୂର୍ଯ୍ୟକୁମାର ଅପରାଜିତ ୭୯ ରନ୍ କରିବା ଅବସରରେ ବିରାଟ କୋହଲି ସ୍ଲେଜିଂ କରି ତାଙ୍କ ଏକଗ୍ରତା ଭଙ୍ଗ କରିବାକୁ‌ ଚେ‌ଷ୍ଟା କରିଥିଲେ। ଭାରତୀୟ ଦଳରୁ ବାଦ୍ ପଡ଼ିବାର ଏହା ଠିକ୍ ପରବର୍ତୀ ମ୍ୟାଚ୍‌ ଥିଲା। ‘‘ମୁଁ ମାନସିକ ଭାବେ ଏହି ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ନଥିଲି। ମ୍ୟାଚ୍‌ ପରେ ପରିସ୍ଥିତି ସ୍ବାଭାବିକ ଥିଲା, କୋହଲି ମୋତେ ‘ଭଲ ଖେଳିଲ’ କହି ଅଭିନନ୍ଦନ ଜଣାଇଥିଲେ’ ବୋଲି ସୂର୍ଯ୍ୟ ପ୍ରକାଶ କରିଛନ୍ତି। ମାତ୍ର ୪୩ ବଲ୍‌ରୁ ୭୯* ରନ୍ କରିବା ପରେ ସୂର୍ଯ୍ୟ ମୁମ୍ବାଇକୁ ଆର୍‌ସିବି ବିପକ୍ଷରେ ୫ ୱିକେଟରେ ବିଜୟୀ କରାଇଥିଲେ। ଏଥି ସହିତ ତାଙ୍କ ‘ମେଁ ହୁଁ ନା’ ଉତ୍ସବ ମଧ୍ୟ ସାମାଜିକ ଗଣାମଧ୍ୟମରେ ଢେର ଭାଇରାଲ୍ ହୋଇଥିଲା।

ସମ୍ବନ୍ଧିତ ଖବର