ନ୍ୟୁୟର୍କ: ଗତବର୍ଷ ସେପ୍ଟେମ୍ବର ମାସରେ କନ୍ୟା ସନ୍ତାନ ଅଲିମ୍ପିଆକୁ ଜନ୍ମ ଦେବା ପରେ ଆମେରିକୀୟ ଟେନିସ୍ ତାରକା ସେରେନା ଓ୍ଵିଲିୟମ୍ସଙ୍କ ଦେହ ଏକବାର ଖରାପ ହୋଇ ଯାଇଥିଲା। ଏପରିକି ସେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ। ସେରେନା ନିଜେ ଏହି ଚାଞ୍ଚଲ୍ୟକର କଥା ଉପରୁ ପରଦା ଉଠାଇଛନ୍ତି। ଏକ ଆମେରିକୀୟ ଖବରକାଗଜ ପାଇଁ ଲେଖିଥିବା ସ୍ତମ୍ଭରେ ସେରେନା କହିଛନ୍ତି ଯେ ମୋ ଝିଅ ଅଲମ୍ପିଆକୁ ଜନ୍ମ ଦେବାର ଠିକ୍ ପରେ ପରେ ମୁଁ ମୃତ୍ୟୁର ନିକଟରେ ପହଞ୍ଚି ଯାଇଥିଲି। ଡାକ୍ତରଙ୍କ ପରାମର୍ଶ ଏବଂ ନର୍ସଙ୍କ ସେବା ପାଇଁ ବଞ୍ଚି ଯାଇଥିଲି। ଏଥିଲାଗି ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ପ୍ରସବ ପରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାକୁ କେମିତି ଦୂର କରିବାକୁ ହୁଏ ତାହା ମୋତେ ଚିକିତ୍ସା କରୁଥିବା ଡାକ୍ତରମାନେ ଭଲ ଭାବେ ଜାଣିଥିଲେ। ସେଥିପାଇଁ ତୁରନ୍ତ ଅସ୍ତ୍ରୋପଚାର କରି ସମସ୍ୟାକୁ ଦୂର କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ଅଲିମ୍ପିଆ ଜନ୍ମ ହେବାର ୬ ସପ୍ତାହ ପର୍ଯ୍ୟନ୍ତ ସେରେନା ଡାକ୍ତରଖାନାରେ କଟାଇଥିଲେ। ପୂରା ଠିକ୍ ହେବା ପରେ ଯାଇ ମା’ ଝିଅ ଘରକୁ ଯାଇଥିଲେ। ୨୩ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିଥିବା ସେରେନା ପାଖା ପାଖି ଦେଢ଼ ବର୍ଷ ପରେ ଅର୍ଥାତ୍ ଗତ ୯ ଦିନ ତଳେ ଟେନିସ୍ କୋର୍ଟକୁ ଫେରିଥିଲେ। ଫେଡେରେସନ୍ କପ୍ ଯୁଗଳ ମୁକାବିଲାରେ ସେ ନିଜ ଦେଶ ଆମେରିକାର ପ୍ରତିନିଧିତ୍ୱ କରିଥିଲେ। ଚଳିତ ବର୍ଷ ସେ ଆଉ କେତୋଟି ପ୍ରମୁଖ ପ୍ରତିଯୋଗିତା ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।
କପିଳ-ଆଝାରଙ୍କ ସହ ଖେଳିଲେ ଟ୍ରୁଡୋ ପରିବାର
/sambad/media/post_attachments/wp-content/uploads/2018/02/trudeau112-300x253.jpg)
ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ତିନି ସନ୍ତାନଙ୍କ ସହ ଗୁରୁବାର କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଥିଲେ। ଭାରତୀୟ କ୍ରିକେଟ୍ ଦଳର ଦୁଇ ପୂର୍ବତନ ଅଧିନାୟକ କପିଳ ଦେବ ଏବଂ ଆଝାରୁଦ୍ଦିନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଟ୍ରୁଡୋ ବ୍ୟାଟ୍ ବୁଲାଇ ବୁଲାଇ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ସେଏବଂ ତାଙ୍କ ଦୁଇ ପୁଅଙ୍କୁ ଆଝାର କ୍ରିକେଟ୍ ଖେଳର କୌଶଳ ଶିଖାଇଥିଲେ। କପିଳ ବୋଲିଂ କରିବା ପରେ କନିଷ୍ଠ ଟ୍ରୁଡୋ କେତେକ ଭଲ ସଟ୍ ମଧ୍ୟ ଖେଳିଥିଲେ। ଯାହାକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ। ନୂଆଦିଲ୍ଲୀର ମଡର୍ନ ସ୍କୁଲ୍ ଖେଳ ପଡ଼ିଆରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।