ଜୋନ୍ସଙ୍କ ଖେଳ ଦେଖି ବଢ଼ିଥିଲି: ସଚିନ୍‌

‘ତାଙ୍କ ବିପକ୍ଷରେ ଖେଳିବା ବାସ୍ତବରେ ସ୍ବତନ୍ତ୍ର ଥିଲା’

ମୁମ୍ବାଇ: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡିନ୍‌ ଜୋନ୍ସଙ୍କ ସ୍ମୃତିଚାରଣ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ‘‘ଜୋନ୍ସଙ୍କ ଖେଳ ଦେଖି ମୁଁ ବଢ଼ିଥିଲି। ବୟସ ବଢ଼ିବା ବେଳକୁ ମୁଁ ଏକାଧିକ ଥର ଜୋନ୍ସଙ୍କ ବ୍ୟାଟିଂକୁ ଦେଖିଥିଲି। କିନ୍ତୁ ୧୯୯୧ରେ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆକୁ ଯାଇଥିଲା ବେଳେ ସେହି ଜୋନ୍ସଙ୍କ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲି। ପିଲାଦିନେ ଯାହାଙ୍କ ଖେଳ ଦେଖି କ୍ରିକେଟ୍‌ ସଂପର୍କରେ ଜ୍ଞାନ ଆହରଣ କରିଥିଲି ତାଙ୍କ ବିପକ୍ଷରେ ଖେଳିବା ବାସ୍ତବରେ ସ୍ବତନ୍ତ୍ର ଅନୁଭୁତି ଥିଲା’’ ବୋଲି କହିଛନ୍ତି ସଚିନ୍‌। ମୋର ମନେ ଅଛି ସେହି ଗସ୍ତରେ ଅଷ୍ଟ୍ରେଲିଆ ଦଳରେ ଆଲାନ୍‌ ବର୍ଡର, ଡେଭିଡ୍‌ ବୁନ୍‌, ଜେଫ୍ ମାର୍ଶ, ବ୍ରୁସ୍‌ ରିଡ୍‌, କ୍ରେଗ୍‌ ମ୍ୟାକ୍‌ଡର୍ମଟଙ୍କ ଭଳି ଖେଳାଳି ଜୋନ୍ସଙ୍କ ସହ ଥିଲେ। ସେତେବେଳର ଅଷ୍ଟ୍ରେଲୀୟ ବୋଲରଙ୍କୁ ନୀରିକ୍ଷଣ କରିଥିଲି। କେବଳ ବୋଲର କାହିଁକି ସବୁ ଖେଳାଳିଙ୍କୁ ମଧ୍ୟ ଦେଖିଥିଲି ଏବଂ ପରେ ସେମାନଙ୍କ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲି। ସେମାନଙ୍କ ମଧ୍ୟରୁ ବିଶେଷକରି ଜୋନ୍ସ, ଷ୍ଟିଭ୍‌ ୱ’, ମାର୍କ ୱ’ଙ୍କ ଭଳି ମହାନ୍‌ଙ୍କ ଖେଳ ଦେଖି ମୁଁ ନିଃସନ୍ଦେହରେ ଆଗକୁ ବଢ଼ିଥିଲି। ସେମାନଙ୍କ ବିପକ୍ଷରେ ଖେଳିବା ପ୍ରକୃତରେ ମୋ ପାଇଁ ସ୍ବତନ୍ତ୍ର ଥିଲା। ଜୋନ୍ସ ସବୁବେଳେ ନିର୍ଭୟର ସହ ଖେଳୁଥିଲେ।

ସାଥୀଙ୍କ ଦ୍ବାରା ‘ଡିଆନୋ’ ନାମରେ ପରିଚିତ ଜୋନ୍ସ ତାଙ୍କ କ୍ୟାରିୟରରେ ଅନେକ ଆକର୍ଷଣୀୟ ପାଳି ଖେଳିଥିଲେ। କେବଳ ଦିନିକିଆ ଆନ୍ତର୍ଜାତିକ ନୁହେଁ ଟେଷ୍ଟ୍‌ କ୍ରିକେଟ୍‌ରେ ମଧ୍ୟ ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍‌ ଥିଲେ। ଅବଶ୍ୟ ସେହି ସମୟରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ପ୍ରଚଳନ ପ୍ରାୟତଃ ନଥିଲା। କେବଳ ଦିନିକିଆ ଓ ଟେଷ୍ଟ୍‌ ଖେଳାଯାଉଥିଲା। ଉଭୟ ଦିନିକିଆ ଓ ଟେଷ୍ଟ୍‌ କ୍ରିକେଟ୍‌ରେ ସେ ଥିଲେ ଜଣେ ନିର୍ଭିକ ଓ ଆକ୍ରମଣାତ୍ମକ ଖେଳାଳି। ତାଙ୍କ ଶାରୀରିକ ଭାଷା ପ୍ରତିପକ୍ଷଙ୍କ ପାଇଁ ଅନେକ କିଛି ଶିକ୍ଷଣୀୟ ଥିଲା। ସେହି ଦୃଷ୍ଟିରୁ ମୁଁ ତାଙ୍କୁ ମହାନ୍‌ ଭାବେ ବିବେଚନା କରେ। ଜୋନ୍ସ ମଧ୍ୟ ଜଣେ ଚମତ୍କାର କ୍ଷେତ୍ରରକ୍ଷକ ଥିଲେ ବୋଲି ସଚିନ କହିଛନ୍ତି। ‘‘ସେ ଯେତେବେଳେ ପଡ଼ିଆକୁ ଓହ୍ଲାଉଥିଲେ, ସ୍ଲିପ୍‌ ଅଞ୍ଚଳରେ ଅବିଶ୍ବସନୀୟ କ୍ୟାଚ୍‌ ଧରୁଥିବା ମୋର ଏବେ ବି ମନେଅଛି। ଯଦି ମୁଁ କିଛି ଭୁଲ୍‌ କହୁନଥିବି ତାହାଲେ ପର୍ଥରେ ଆମ ବିପକ୍ଷରେ ସେ ଅତି ଚମତ୍କାର ଢଙ୍ଗରେ ମାର୍ଭ ହ୍ୟୁଗ୍‌ସଙ୍କ ବଲ୍‌ରେ ସଞ୍ଜୟ ମଞ୍ଜରେକର୍‌ଙ୍କ କ୍ୟାଚ୍‌ ଧରିଥିଲେ। ସେ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍‌ସଙ୍କ ଭଳି ଶୂନ୍ୟରେ ଡାଇଭ୍‌ ମାରି କ୍ୟାଚ୍‌ ତୋଳି ନିଅନ୍ତି। ମୋଟାମୋଟି ଭାବେ ସ୍ଲିପ୍‌ ଅଞ୍ଚଳରେ ସେ ଜଣେ ଟାଣୁଆ କ୍ଷେତ୍ରରକ୍ଷକ ଥିଲେ’’ ବୋଲି ସ୍ମୃତିଚାରଣ କରିଛନ୍ତି ସଚିନ୍‌।

ପତ୍ନୀ କହିଲେ ‘ବିଶାଳ ଶୁନ୍ୟସ୍ଥାନ’, ଲି’ଙ୍କୁ ଧନ୍ୟବାଦ
ଡିନ୍ ଜୋନ୍ସଙ୍କ ପରଲୋକରେ ତାଙ୍କ ପତ୍ନୀ ଜେନ୍ ଜୋନ୍ସ ଏକବାର ଭାଙ୍ଗି ପଡ଼ିଛନ୍ତି। ଏହି ଦୁଃଖଦ ଖବରକୁ ଜୋନ୍ସଙ୍କ ଦୁଇ ଝିଅ ମଧ୍ୟ ବିଶ୍ବାସ କରି ପାରୁନାହାନ୍ତି। ଜୋନ୍ସ ଚାଲିଯିବା‌ ପରେ ତାଙ୍କ ଜୀବନରେ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କୋହଭରା କଣ୍ଠରେ ଜେନ୍‌ କହିଛନ୍ତି। ଏକ ସାକ୍ଷାତକାରରେ ‌ଜେନ୍ ମତ ରଖିଛନ୍ତି ଯେ ଜୋନ୍ସଙ୍କ ଅକାଳ ବିୟୋଗରେ ମୋ ଦୁଇ ଝିଅ ଓ ମୁଁ ପୂରା ଭାଙ୍ଗି ପଡ଼ିଛୁ। ହୃଦୟର କୋହକୁ ସମ୍ଭାଳିବା ବହୁ କଷ୍ଟ ଦେଉଛି। ମୋ ସୁନ୍ଦର ଓ ସୌମ୍ୟଦର୍ଶୀ ପତି ତାଙ୍କ ଜୀବନକୁ ମନଭରି ଉପଯୋଗ କରୁଥିଲେ। ଆମ ଜୀବନରେ ସୃଷ୍ଟି ହୋଇଥିବା ଶୁନ୍ୟସ୍ଥାନ ଆଉ ପୁରଣ ହେବନି। ସେ ଛାଡ଼ି ଯାଇଥିବା ସ୍ମରଣୀୟ ମୁହୂର୍ତ୍ତ ଆମ ପାଇଁ ସମ୍ପତ୍ତି। ଡିନ୍ ଭାରତୀୟ ଉପମହାଦେଶକୁ ବହୁତ ଭଲ ପାଉଥିଲେ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଭଳି ଦେଶରେ ତାଙ୍କୁ ମିଳିଥିବା ଭଲ ପାଇବା ପାଇଁ ଆମେ ଚିର ଋଣୀ। ଶେଷ ସମୟରେ ତାଙ୍କ ନିକଟରେ ଥିବା ବ୍ରେଟ୍ ଲି’ଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେ ମୋ ପତିଙ୍କୁ ବଞ୍ଚାଇବା ଲାଗି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର