ସୁରେଶ ସ୍ବାଇଁ

Advertisment

ଭୁବନେଶ୍ବର: ଭାରତୀୟ ବଂଧୁଚାଳନା ଦୁନିଆର ଆଦ୍ୟ ସଫଳତାର ଅନ୍ୟତମ ବିନ୍ଧାଣୀ ହେଉଛନ୍ତି ଅର୍ଜୁନ ପୁରସ୍କାର ବିଜୟିନୀ ଅଲିମ୍ପିଆନ୍‌ ଦୀପାଳି ଦେଶପାଣ୍ଡେ। ସଫଳ ଖେଳ ଜୀବନ‌ ପରେ ୫୫ ବର୍ଷୀୟା ଦୀପାଳି ଏବେ ଜଣେ ଆଗ ଧାଡ଼ିର ପ୍ରଶିକ୍ଷକ। ୨୦୦୪ ବୁସାନ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟିନୀ ଦୀପାଳିଙ୍କୁ ପର ବର୍ଷ ମିଳିଥିଲା ସମ୍ମାନଜନକ ଅର୍ଜୁନ ପୁରସ୍କାର। ବାସ୍ତୁକଳା ଶିକ୍ଷା ପରେ ଦୀପାଳିଙ୍କୁ କିନ୍ତୁ ବଂଧୁକଚାଳନା ବାନ୍ଧି ରଖିଛି ପ୍ରାୟ ସାଢ଼େ ତିନି ଦଶନ୍ଧି। ଦେଶ ପାଇଁ ଅଲିମ୍ପିଆନ୍‌ ସୃଷ୍ଟି କରିବାରେ ମନୋନିବେଶ କରିଛନ୍ତି ଏହି ମହାରାଷ୍ଟ୍ର ମହିଳା। ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ସ୍ବପ୍ନିଲ କୁସାଲେଙ୍କ ପ୍ରଶିକ୍ଷକ ଭାବେ ବି ଦୀପାଳି ଏବେ ରହିଛନ୍ତି ଚର୍ଚ୍ଚାରେ। ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲ୍‌ରେ ଏୟାର ରାଇଫଲ୍‌ ପ୍ରଶିକ୍ଷଣ ଶିବିର ଅବସରରେ ‘ସମ୍ବାଦ’କୁ ‌ଦେଇଥିବା ବିଶେଷ ସାକ୍ଷାତକାରରେ ଦୀପାଳି ମନଖୋଲି କହିଥିଲେ ଅନେକ କଥା।

ଓଡ଼ିଶାର ଏକ ନମ୍ବର ସୁଟର୍‌ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ଖେଳ ଜୀବନକୁ ଗଢ଼ିଛନ୍ତି ଦୀପାଳି । ‘ଶ୍ରୀୟଙ୍କାର ସମ୍ପୂର୍ଣ୍ଣ ସୁଟିଂ କ୍ୟାରିୟର୍‌ ଯାତ୍ରାରେ ମୁଁ ସାମିଲ ଥିବାରୁ ନିଜକୁ ଭାଗ୍ୟବାନ ମଣୁଛି। ଏଭଳି କଠିନ ପରିଶ୍ରମୀ ଝିଅ ମୁଁ କେବେ ଦେଖିନି। ଏବେ ସେ ଉତ୍‌ଥାନ ପଥରେ ରହିଛି। ପରବର୍ତ୍ତୀ ୪ ବର୍ଷ ଶ୍ରୀୟଙ୍କା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଦେଶର ଅଲିମ୍ପିକ୍ସ ପ୍ରସ୍ତୁତି ପ୍ରକ୍ରିୟାରେ ଥିବାରୁ ସେ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ମୁଁ ଦୃଢ଼ ଆଶାବାଦୀ ଅଛି। କୋଭିଡ୍ ପରେ ୨୦୨୨ରେ ସେ ଯେଭଳି ପ୍ରତ୍ୟାବର୍ତ୍ତନ କରିଛି ଏହା ସବୁଠାରୁ ବଡ଼ କଥା। ଭଲ ପାଠ ପଢ଼ୁଥିବା ଏହି ଝିଅଟି ବାରମ୍ବାର ଜାତୀୟସ୍ତରରେ ୪/୫ରେ ରହିବା ପରେ ଖେଳ ଛାଡ଼ି ଅନ୍ୟ କ୍ଷେତ୍ରରେ ଭଲ କ୍ୟାରିୟର୍ କରିବାର ସୁଯୋଗ ଥିଲେ ‌ମଧ୍ୟ ସେ ତାହା କରି ନଥିଲା। ପ୍ୟାରିସ୍ ଅଲିମ୍ପିକ୍ସ କୋଟା ଅର୍ଜନ ପରେ ତା’ର ଆତ୍ମବିଶ୍ବାସ ବହୁମାତ୍ରାରେ ବଢ଼ିଯାଇଛି। ଯେଉଁ ଇଭେଣ୍ଟ୍‌ରେ (ରାଇଫଲ୍ ଥ୍ରି ପୋଜିସନ୍) ସେ କୋଟା ଅର୍ଜନ କରିଥିଲା ସେଇଟି ତା ନିଜସ୍ବ ଇଭେଣ୍ଟ୍ ନଥିଲା। ତଥାପି ଅଧିକ ୧୫ ଦିନ ସମୟ ମିଳିଥିଲେ ସେ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଥା‌ନ୍ତା। ମାନସିକ ଭାବେ ସେ ଅତି ଦୃଢ଼ ରହିଛି। ପରବର୍ତ୍ତୀ ୪ ବର୍ଷ ଶ୍ରୀୟଙ୍କା ପାଇଁ ଚମତ୍କାର ବିତିବ ବୋଲି ମୁଁ ବିଶ୍ବାସ ରଖିଛି’ ବୋଲି କହିଥିଲେ ଦୀପାଳି ଦେଶପାଣ୍ଡେ।

ଶ୍ରୀୟଙ୍କା ପାଇଁ ମୁଁ ଓଡ଼ିଶା ସହ ଯୋଡ଼ି ହୋଇପାରିଛି। ପୂର୍ବରୁ ମୁଁ କେବଳ ପ୍ରଭୁ ଜଗନ୍ନାଥ ଓ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାକୁ ଜାଣିଥିଲି। ଶ୍ରୀୟଙ୍କାଙ୍କ ଅଗ୍ରଗତିରେ ମୁଁ ଅତ୍ୟନ୍ତ ଖୁସି ଅଛି। ଦ୍ବିତୀୟ ଥର ଓଡ଼ିଶା ଆସି ୧୦ ମିଟର୍ ଏୟାର ରାଇଫଲ୍‌ରେ ପ୍ରଶିକ୍ଷଣ ଦେବା ପରେ ଜାଣିପାରିଛି ସୁଟିଂରେ ବି ଏହି ଶାନ୍ତିପ୍ରିୟ ରାଜ୍ୟରେ ଭଲ ପ୍ରତିଭା ରହିଛନ୍ତି। ଶ୍ରୀଜିତା ବରାଳ, ଆୟୁଷୀ ସେନାପତି, ଆଦ୍ୟା ରଥଙ୍କ ଭଳି ସବୁ ଝିଅମାନେ ଭବିଷ୍ୟତରେ ନିଶ୍ଚିତ ଭଲ କରିବେ। ବଧିର ସୁଟର ମୋହିତ ପାଶୱାନ ବି ଆଗକୁ ବଢ଼ିବାକୁ ସମସ୍ତ କ୍ଷମତା ରଖିଛନ୍ତି। ସୁଟିଂରେ ଟେମ୍ପରାମେଣ୍ଟ୍ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶାରୀରିକ, ମାନସିକ ଦୃଢ଼ତା ସହିତ ବୈଷୟିକ ଜ୍ଞାନ ଓ ଅଭିଜ୍ଞତା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ହାର୍‌ଜିତ୍‌ ସବୁ ଖେଳରେ ଲାଗି ରହିଥାଏ। ତେଣୁ ଯୁବ ଖେଳାଳିମାନେ ପ୍ରଥମେ ଖେଳକୁ ଉପଭୋଗ କରିବା ଆବଶ୍ୟକ, ତା ପରେ ଏହା ନିଶ୍ଚିତ ସଫଳତା ଆଣିଦେବ ବୋଲି ପ୍ରକାଶ କରିଥିଲେ ଦୀପାଳି।

ସ୍ବପ୍ନିଲ କୁସାଲେଙ୍କ ପ୍ୟାରିସ୍ ପଦକ (୫୦ ମିଟର ରାଇଫଲ୍ ଥ୍ରି ପୋଜିସନ୍‌ କାଂସ୍ୟ) ଦୀପାଳିଙ୍କ ସବୁ ତିକ୍ତତାକୁ ଦୂର କରିଛି। ‘କୌଣସି ଅବସୋସ କି ଅନୁତାପ ପାଇଁ ମୁଁ ହକ୍‌ଦାର ବି ନୁ‌ହେଁ। ମୋ ପାଖରେ ସ୍ବପ୍ନିଲ କୁସାଲେ, ସ୍ବିଫ୍‌ କୌର ସାମରା, ଅଞ୍ଜୁମ୍‌ ମୌଦଗିଲ, ଅର୍ଜୁନ ବାବୁତା, ଅଖିଲ ସେରୋନ୍‌, ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ଭଳି ସୁଟର ରହିଛନ୍ତି। ପ୍ରଥମ ୪ ଜଣ ପ୍ୟାରିସ୍‌ ଅଲିମ୍ପିକ୍ସରେ ଖେଳିଥିଲେ। ସ୍ବପ୍ନିଲ ପଦକ ଜିତିଥିଲେ ଏବଂ ଅର୍ଜୁନ ଚତୁର୍ଥରେ ରହି ଅଳ୍ପକେ ବଞ୍ଚିତ ରହିଥିଲେ। ଏତେ ଉନ୍ନତ ଖେଳାଳି ମୋ ପାଖରେ ଥିବାରୁ ମୁଁ ବହୁତ ଖୁସି। ୨୦୧୬ ଓ ୨୦୨୧ ଅଲିମ୍ପିକ୍ସରେ ଭାରତ ସୁଟିଂ ପଦକ ଜିତିପାରିନଥିଲା। ଏବେ ପ୍ୟାରିସ୍‌ରେ ସେ ତିକ୍ତତା ଓ ଦୁଃଖ ଦୂର ହୋଇଯାଇଛି। ଟୋକିଓରେ ମୁଁ ପ୍ରଶିକ୍ଷକ ଥିବାରୁ ସେଠାର ପ୍ରଦର୍ଶନକୁ ମୁଁ ବ୍ୟକ୍ତିଗତ ବିଫଳତା ଭାବେ ନେଇଥିଲି। ଏବେ ବହୁତ ଖୁସି ଅଛି ବୋଲି ଦୀପାଳି ପ୍ରକାଶ କରିଥିଲେ। ଭାରତୀୟ ସୁଟିଂ ଆଗରୁ‌ ସେନା ଓ ରାଜକୀୟଙ୍କ ମଧ୍ୟରେ ସୀମିତ ଥିଲା। ୨୪ ଅଲିମ୍ପିକ୍ସ ପଦକ ଉପଲବ୍‌ଧ ଥିବା ଏହି ବ୍ୟକ୍ତିଗତ ଖେଳ ପାଇଁ ୨୦୦୪ ମସିହା ଟର୍ଣ୍ଣିଂ ପଏଣ୍ଟ ଥିଲା। ପ୍ରଥମ ଥର ପାଇଁ ସେଥର ଆମେ ୭ କୋଟା ଅର୍ଜନ କରି ଏଥେନ୍ସ ଅଲିମ୍ପିକ୍ସ ଯାଇଥିଲୁ। ରାଜ୍ୟ ବର୍ଦ୍ଧନ ସିଂହ ରାଠୋରଙ୍କ ରୌପ୍ୟ ଓ ପରବର୍ତ୍ତୀ ସଂସ୍କରଣରେ ସ୍ବର୍ଣ୍ଣ (ଅଭିନବ ବିନ୍ଦ୍ରା) ଓ ୨ ପଦକ ଭାରତୀୟ ସୁଟିଂକୁ ନୂଆ ଦିଶା ଦେଇଥିଲା ବୋଲି ଶେଷରେ ଦୀପାଳି କହିଥିଲେ।