ଦ‌ଳରେ ସ୍ଥାନ ପକ୍କା ପାଇଁ ‌ମୋତେ ଆହୁରି ଭଲ ଖେଳିବାକୁ ପଡ଼ିବ: ବଟ୍ଟଲର

ମାଞ୍ଚେଷ୍ଟର: ପାକିସ୍ତାନ ବିପକ୍ଷ ଓଲ୍ଡ ଟ୍ରାଫୋର୍ଡରେ ଶନିବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟ୍‌କୁ ଘରୋଇ ଇଂଲଣ୍ଡ ୩ ୱିକେଟ୍‌ରେ ଜିତି ନେଇଥିଲା। ପ୍ରଥମ ପାଳି‌ରେ ଖରାପ ୱିକେଟ୍‌ରକ୍ଷଣ ଲାଗି ସମାଲୋଚିତ ହୋଇଥିବା ଜୋସ ବଟଲର ଦ୍ବିତୀୟ ପାଳିରେ ମୂଲ୍ୟବାନ ୭୫ ରନ୍ କରି ଦଳ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ପ୍ରଥମ ପାଳି ୱିକେଟ୍‌ରକ୍ଷଣ ବେଳେ ପାକିସ୍ତାନ ପକ୍ଷରୁ ଶତକ ହାସଲ କରିଥିବା ସାନ୍‌ ମାସୁଦଙ୍କ ସହ ୩ ଜଣଙ୍କ କ୍ୟାଚ୍‌ ସୁଯୋଗ ହାତଛଡ଼ା କରିଥି‌ଲେ। ଏଭଳି ଖରାପ ପ୍ରଦର୍ଶନ ଲାଗି ସେ ପଶ୍ଚାତାପ କରିଥିଲେ। ଏପରିକି ସାରା ରାତି ଏକୁଟିଆ ଏହାରି ଉପରେ ହିଁ ଭାବି ଏହି ଦୁଃଖରୁ ନିଜ ମନକୁ ହାଲ୍‌କା କରିଥିଲି ବୋଲି ମ୍ୟାଚ୍‌ ଜିତିବା ପରେ କହିଛନ୍ତି ବଟଲର।

ଦଳ‌େର ୱିକେଟ୍‌ରକ୍ଷକର ଗୁରୁଦାୟିତ୍ବ ରହିଥାଏ। ମୁଁ ପ୍ରଥମ ପାଳିରେ ୩ କ୍ୟାଚ୍‌ ହାତଛଡ଼ା କରିଥିଲି। ଏହି କାରଣରୁ ମାସୁଦ ଶତକୀୟ ପାଳି ଖେଳିବାକୁ ସକ୍ଷମ ହୋଇଥିଲେ। ୱିକେଟ୍‌ରକ୍ଷକ ଭାବେ ମୁଁ ଜ‌ାଣେ ପ୍ରଥମ ପାଳିରେ ‌ମୋତେ କେତେ ଭଲ କରିବାକୁ ପଡ଼ିବ। ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାକୁ ଏକ ସ୍ତରର ଆବଶ୍ୟକ ବୋଲି ବି ଜାଣେ। ମୁଁ ଏହାକୁ ଲୁଚାଇ ପାରିବି ନାହିଁ। କିନ୍ତୁ ଅନ୍ୟମାନେ ଏହାକୁ ନେଇ ମୋତେ ସମାଲୋଚନ କରିବା ଠିକ୍‌ ନୁହେଁ। ଏହି ସବୁକଥା ସାରା ରାତି ଭାବି ମନକୁ ହାଲକା କରିଥିଲି ବୋଲି ବଟଲର କହିଛନ୍ତି। କଠିନ ପରିଶ୍ରମ ଓ ବିଶ୍ବାସ ସହ ଚେଷ୍ଟା କଲେ ସଫଳତା ପାଇବ। ଏହି ଋତୁରେ କ୍ରିସ୍‌ ୱକ୍ସ ଭଲ ଖେଳି ଆମକୁ କେବେ ହାର ମାନିବା ନାହିଁ ବୋଲି ଶିଖାଇ ଦେଇଛନ୍ତି। ୱିକେଟ୍‌ ପଛପଟେ ଖରାପ କଲା ପରେ ମୁଁ ଦ୍ବିତୀୟ ପାଳିରେ ବ୍ୟାଟ୍‌ରେ ବିଫଳ ହେଲେ ଦଳରେ ସ୍ଥାନ ପାଇବି ନାହିଁ ବୋଲି ଭାବି ନେଇଥିଲି। ଦ୍ବିତୀୟ ପାଳିରେ ଭଲ ଖେଳି ଦଳରେ ନିଜ ସ୍ଥାନ ଦୃଢ଼ କରିବା ଆଶା ରଖିଥିଲି। ଏହା କଲି, କିନ୍ତୁ ୱିକେଟ୍‌ରକ୍ଷଣରେ ମୋତେ ଆହୁରି ଉନ୍ନତି କରିବାକୁ ପଡ଼ିବ ବୋଲି ବଟଲର କହିଛନ୍ତି।

ଟିକେ ଖରାପ ପ୍ରଦର୍ଶନ କରୁ କରୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଆରମ୍ଭ ହୋଇଯାଏ। ଏହା ବହୁତ କଷ୍ଟକର। ଏହାକୁ ସ୍ବୀକାର କରିବା ସହ ସମାଲୋଚକଙ୍କୁ ତାଙ୍କ ବାଟରେ ଛାଡ଼ି ଆଗକୁ ବଢ଼ିବାକୁ ହେବ। ସକାରାତ୍ମକ ଚିନ୍ତା ଧାରା ନେଇ ନିଜର ପ୍ରତିଦ୍ବନ୍ଦ୍ବିତାମୂଳକ ଉତ୍ସାହକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ବଟଲର ଓ କ୍ରିସ୍‌ ୱକ୍ସ ଷଷ୍ଠ ୱିକେଟ୍‌ରେ ୧୩୯ ରନ୍‌ର ଭାଗୀଦାରି କରି ଇଂଲଣ୍ଡକୁ ବିପଦରୁ ରକ୍ଷା କରିଥିଲେ। ୱକ୍ସଙ୍କ ସହ ‌ମୋର ଭାଗୀଦାରିକୁ ଉପଭୋଗ କରିଥିଲି। ସେ ଆମ ଦଳରେ ଖାଲି ମୂଲ୍ୟବାନ ଖେଳାଳି ନୁହଁନ୍ତି। ଜଣେ ଚମତ୍କାର କ୍ରିକେଟର୍‌ ଏବଂ ଅଲ୍‌ରାଉଣ୍ଡର ବୋଲି ବଟଲର କହିଛନ୍ତି। ବଟଲରଙ୍କ ଖରାପ ୱିକେଟ୍‌ରକ୍ଷଣ ସତ୍ବେ ଅଧିନାୟକ ଜୋ ରୁଟ୍‌ ତାଙ୍କୁ ପୂରା ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର