କୋହଲିଙ୍କୁ ଆଉଟ୍ କରିବା ସୂତ୍ର ସାମିଙ୍କୁ ଜଣା

ବେଙ୍ଗାଲୁରୁ: ଭାରତୀୟ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସାମି ନିଜ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କିପରି ଆଉଟ୍‌ କରିବେ ଭଲ ଭାବରେ ଜାଣିଛନ୍ତି। ଏହ‌ାକୁ ପ୍ରକାଶ କରିନଥିଲେ ମଧ୍ୟ ଦୃଢ଼‌ୋକ୍ତ ପ୍ରକାଶ କରିଛନ୍ତି। କୋହଲିଙ୍କ ସହିତ ବିତାଇଥିବା ସମୟରେ ‌ତାଙ୍କର ଶକ୍ତି ଓ ଦୁର୍ବଳତାକୁ ପାଇଛନ୍ତି ବୋଲି ସେ ଦାବି କରିଛନ୍ତି। ବହୁତଗୁଡ଼ିଏ କଥା ଅଛି ଯାହା ଖେଳିବା ଏବଂ ଅନ୍ୟ ଖେଳାଳିଙ୍କ ସହିତ ଗୁଣାତ୍ମକ ସମୟ ବିତାଇବାରେ ମିଳିଥାଏ। କେବଳ ତାଙ୍କର ଶକ୍ତି ବିଷୟରେ ଜାଣିନି, ବରଂ ତାଙ୍କର ଦୁର୍ବଳତା ମଧ୍ୟ ଜାଣିଛି। ଜଣେ ବୋଲର ଭାବରେ ଦୁର୍ବଳତା ଉପରେ କାର୍ଯ୍ୟ ଜାରି ରଖିବା ଆବଶ୍ୟକ ବୋଲି ସାମି ଏକ ଗଣମାଧ୍ୟମକୁ କହିଛନ୍ତି।

ଏହି ଡାହାଣହାତୀ ଦ୍ରୁତ ବୋଲର ଆହୁରି ମଧ୍ୟ କହିଛନ୍ତି ଯେ ଖେଳରେ ସର୍ବୋତ୍ତମଙ୍କ ମଧ୍ୟରେ ମଧ୍ୟ ‘ଛୋଟ ତ୍ରୁଟି’ ରହିଛି। ଏହାକୁ ଅସ୍ୱୀକାର କରି ହେବ ନାହିଁ ଯେ ଯିଏ ଖେଳରେ ଶ୍ରେଷ୍ଠ ତାଙ୍କ ନିକଟରେ ଛୋଟ ତ୍ରୁଟି ନାହିଁ ବୋଲି। ସେହି ଛୋଟ ତ୍ରୁଟି ଉପରେ କାମ କରିବା ଦରକାର। ଗୋଟିଏ କାର୍ଯ୍ୟ ଉପରେ ଧ୍ୟାନ ଦେଇ ସେଥିରେ କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ‌ଗୋଟିଏ ଉଦାହରଣ ଦେବି, ସଂପ୍ରତି ସମୟରେ ଜଣେ ବ୍ୟାଟ୍ସମ୍ୟାନ୍‌ କେଉଁ ସ୍ଥାନ‌ରେ ଦୁର୍ବଳ ତାକୁ ଖୋଜି ଏହା ଉପରେ କାମ କରିବା ଦରକାର। କୋହଲିଙ୍କୁ ଆଇପିଏଲ୍‌ରେ ଅନେକ ଥର ଆଉଟ କରିଛି। ଏହା ଉପରେ ବିଶେଷ କିଛି କହିବାର ନାହିଁ। ମୁଁ କହିବି କେବଳ ଦୁର୍ବଳ ଜୋନ୍‌ରେ କାମ କର। ଅଧିନାୟକ କୋହଲିଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ପଚରାଯିବାରୁ ସାମି କହିଛନ୍ତି ଯେ ସେ ସର୍ବଦା ବୋଲରଙ୍କୁ ସମର୍ଥନ ଦେଇ ଆସିଛନ୍ତି। ସେ ଆମକୁ ସର୍ବଦା ସେହି ସ୍ୱାଧୀନତା ଦେଇଛନ୍ତି. ଯାହା ଉପରେ ଆମେ ଆତ୍ମବିଶ୍ବାସ ଅନୁଭବ କରିପାରୁ। ଯିଏ ତୁମର ଶକ୍ତି ଏବଂ ଦୁର୍ବଳତା ଜାଣିପାରନ୍ତି ଏବଂ ସମର୍ଥନ କରନ୍ତି ସେଭଳି ଅଧିନାୟକ ଅନ୍ତର୍ଜାତୀୟସ୍ତରରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହା ଫଳରେ ତୁମେ ନିଜ ଖେଳରେ ଉନ୍ନତି ଆଣିପାରିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରାଟଙ୍କ ଆମର ଦକ୍ଷତା ଉପରେ ବହୁତ ବିଶ୍ୱାସ ରହଛି। ବୋଲରକୁ ଅଧିନାୟକଙ୍କ ସମର୍ଥନ ରହିବା ସହ ତା’ର ଦୃଷ୍ଟିକୋଣକୁ ମଧ୍ୟ ବୁଝିବା ଦରକାର। ଯାହା କୋହଲି କରନ୍ତି ଏବଂ ଫଳ ମଧ୍ୟ ପାଆନ୍ତି ବୋଲି ସାମି କହିଛନ୍ତି।

ସମ୍ବନ୍ଧିତ ଖବର