ଅଧାରୁ ଶେଷ ହେଲା ଫୁଟ୍‌ବଲ୍ ଋତୁ

ଲିଗ୍‌ କମିଟି ସୁପାରିସକୁ ଏଆଇଏଫ୍‌ଏଫ୍‌ର ଅନୁମୋଦନ
ମୋହନ ବାଗାନ୍‌ ଆଇଲିଗ୍‌ ବିଜେତା
ବିଜେତା ରାଶି ବ୍ୟତୀତ ଅବଶିଷ୍ଟ ପୁରସ୍କାର ୧୦ ଦଳ ମଧ୍ୟରେ ବଣ୍ଟାଯିବ

ନୂଆଦିଲ୍ଲୀ : କରୋନା ଗୃହାବଦ୍ଧକୁ ଦୃଷ୍ଟିରେ ରଖି ଭାରତରେ ପ୍ରମୁଖ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆଇଲିଗ୍‌କୁ ଚଳିତ ବର୍ଷ ପାଇଁ ବନ୍ଦ କରିଦିଆଯାଇଥିଲା। ଏହି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚ୍‌ସବୁ ବାତିଲ କରିଦିଆଯିବା ସହିତ ମାର୍ଚ୍ଚ ୧୪ ତାରିଖ ମଧ୍ୟରେ ସର୍ବାଧିକ ପଏଣ୍ଟ୍‌ ସ୍ଥିତିରେ ରହିଥିବା ମୋହନ ବାଗାନ୍ ଦଳକୁ ବିଜେତା ଘୋଷିତ କରାଯାଇଥିଲା। ଏହାକୁ ନେଇ କିଛିଟା ବିରୋଧାଭାସ ଆସିଥିଲେ ମଧ୍ୟ ଲିଗ୍‌ କମିଟି ଏହାକୁ ଅନୁମୋଦନ ପାଇଁ ଏଆଇଏଫ୍‌ଏଫ୍‌ (ସର୍ବଭାରତୀୟ ଫୁଟ୍‌ବଲ୍‌ ଫେଡେରେସନ୍‌)କୁ ସୁପାରିସ କରିଥିଲା। ଏଥିପାଇଁ ଗତ ୧୮ ତାରିଖରେ ବୈଠକ ବସିଥିଲା ଏବଂ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ଶେଷରେ ଲିଗ୍‌ କମିଟିର ସୁପାରିସ କରିଥିବା ୭ ପ୍ରସ୍ତାବ ଉପରେ ମୋହର ଲଗାଇଛି। ପ୍ରତିଯୋଗିତା ଚଳିତ ବର୍ଷ ବନ୍ଦ କରିବା ଏବଂ ଲିଗ୍‌ କମିଟିର ସୁପାରିସକୁ ଏଆଇଏଫ୍ଏଫ୍‌ କାର୍ଯ୍ୟନିର୍ବାହୀ କମିଟି ଗ୍ରହଣ କରିନେଇଛି ଏବଂ ଅଂଶୀଦାରମାନେ ଖେଳାଳି, ଅଧିକାରୀ ଓ ପ୍ରଶଂସକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ବ ଦେବେ ବୋଲି କହିଛି। କେବେ ପୁଣି ଦେଶରେ ଫୁଟ୍‌ବଲ ସହିତ ଅନ୍ୟାନ୍ୟ କ୍ରୀଡ଼ା କାର୍ଯ୍ୟକଳାପ ପୁନଃଆରମ୍ଭ ହେବ ତାହା ଅନିଶ୍ଚିତ ରହିଛି। କାର୍ଯ୍ୟନିର୍ବାହୀ କମିଟି ଯେଉଁ ୭ ପ୍ରସ୍ତାବକୁ ଅନୁ‌ମୋଦନ ଦେଇଛି ଆସନ୍ତୁ ତାହା ଉପରେ ନଜର ପକାଇବା।

ଚଳିତ ୨୦୧୯-୨୦ ଋତୁର ପରିସମାପ୍ତି ଘଟିଲା।
ମୋହନ ବାଗାନ୍‌ ୨୦୧୯-୨୦ ପାଇଁ ହିରୋ ଲିଗ୍‌ ବିଜେତା ଘୋଷିତ।
ଚଳିତ ବର୍ଷର ପୁରସ୍କାର ରାଶିକୁ (ବିଜେତା ମୋହନବାଗାନ୍‌ର ଅଂଶକୁ ବାଦ୍‌ ଦେଇ) ଅବଶିଷ୍ଟ ଅଂଶଗ୍ରହଣକାରୀ ୧୦ କ୍ଲବ୍‌ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ। ଫଳରେ ବୋହନବାଗାନ୍‌ ବିଜେତା ସ୍ବରୂପ ୧ କୋଟି ଟଙ୍କା ପକେଟସ୍ଥ କରିବାକୁ ଥିଲା ବେଳେ ଅବଶିଷ୍ଟ ୧.୨୫ କୋଟି ଟଙ୍କାକୁ ୧୦ ଦଳ ମଧ୍ୟରେ ସମାନ ୧୨.୫ ଲକ୍ଷ ଲେଖାଏଁ ବାଣ୍ଟି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଚଳିତ ବର୍ଷ କାହାରିକୁ ବ୍ୟକ୍ତିଗତ ପୁରସ୍କାର ରାଶି ଦିଆଯିବନି ଏବଂ କୌଣସି ଦଳ ଦ୍ବିତୀୟ ଡିଭିଜନ୍‌କୁ ଖସିବେନି।
ଆସନ୍ତା ଋତୁରେ ଏକ ଛୋଟକାଟିଆ ପ୍ରତିଯୋଗିତା ଆୟୋଜନ ପାଇଁ ଏଆଇଏଫ୍‌ଏଫ୍‌ ଏସୀୟ ଫୁଟ୍‌ବଲ୍‌ କନ୍‌ଫେଡେରେସନ୍‌ ସହ ଆଲୋଚନାକୁ ଅପେକ୍ଷା। ତା ସହିତ ୨୦୨୦-୧୨ ହିରୋ ଲିଗ୍‌କୁ ‌ଯୋଗ୍ୟତା ପାଇଁ ଦ୍ବିତୀୟ ଡିଭିଜନ୍‌ କ୍ଲବ୍‌ଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ବିଚାରଯୋଗ୍ୟ।
ଚଳିତ ଋତୁର ସମସ୍ତ ୟୁଥ୍‌ ଲିଗ୍‌ (ହିରୋ ଉପକନିଷ୍ଠ, ହିରୋ କନିଷ୍ଠ, ହିରୋ ଏଲିଟ୍‌ ଏବଂ ୧୭ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ବାଳିକା ଲିଗ୍‌)ର ପରିସମାପ୍ତି ଘଟିଲ। ପୁନର୍ବାର୨୦୨୦-୨୧ ଋତୁରୁ ସାନି ଆରମ୍ଭ ହେବ।

ଲକ୍‌ଡାଉନ୍‌ ଉଠିଯିବା ପରେ ଏଆଇଏଫ୍‌ଏଫ୍‌ ଏକାଡେମି ସ୍ବୀକୃତି ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ନଥିପତ୍ର ଦାଖଲ କରିବାର ସମୟସୀମା ବୃଦ୍ଧି କରାଯିବ। ତେବେ ବିଭିନ୍ନ ବୟସବର୍ଗରେ ଫୁଟ୍‌ବଲ କାର୍ଯ୍ୟକଳାପର ପ୍ରଭାବ କ’ଣ ରହିବ ସେ ନେଇ ଏଆଇଏଫ୍‌ଏଫ୍‌ ବିଚାର କରୁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସାଙ୍ଗକୁ ବିଭିନ୍ନ ରାଜ୍ୟ ସରକାର ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶକୁ ବିଚାର କରାଯାଇ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଏଆଇଏଫ୍‌ଏଫ୍‌ କହିଛି।

ଫାଙ୍କା ଷ୍ଟାଣ୍ଡ୍‌ରେ ମ୍ୟାଚ୍‌ ପାଇଁ ଏଆଇଏଫ୍‌ଏଫ୍‌ ଆଗ୍ରହୀ ନୁହେଁ
ଚେନ୍ନାଇ : ସଂପ୍ରତି ମହାମାରୀ କରୋନା ଲାଗି ବିଶ୍ବରେ ବହୁ କ୍ରୀଡ଼ା ପ୍ରତିଯୋଗିତା ବାତିଲ କିମ୍ବା ସ୍ଥଗିତ ରହିଛି। ସ୍ଥିତି ନ ବଦଳିବା ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ସନ୍ଦେହ ଜାରି ରହିଛି। ଏହା ଦ୍ବାରା କ୍ରୀଡ଼ାବିତ୍‌ଠୁ ଆରମ୍ଭକରି କ୍ରୀଡ଼ା ସଂଗଠନ ମଧ୍ୟ କ୍ଷତି ସହିବାକୁ ଲାଗିଛନ୍ତି। କ୍ଷତି ଭରଣା କରିବା ଲାଗି କିଛି କ୍ରୀଡ଼ା ସଂଗଠନ ଫାଙ୍କା ଷ୍ଟାଡିୟମ୍‌ରେ ପ୍ରତିଯୋଗିତା ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଲେଣି। ଫୁଟ୍‌ବଲ୍‌ ପ୍ରତିଯୋଗିତା ବୁନ୍ଦେସ୍‌ଲିଗା ଖାଲି ଷ୍ଟାଡିୟମରେ ଆସନ୍ତା ମେ’ ମାସରୁ ଆରମ୍ଭ ହେବା ଲଗି ସ୍ଥିର ହୋଇଛି। କରୋନା ସଂକ୍ରମଣକୁ ଦୂରେଇ ରହିବା ଲାଗି ଖାଲି ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନ କରିବାକୁ ଅନେକ ଦେଶ ମଧ୍ୟ ଚିନ୍ତା କରୁଛନ୍ତି। କିନ୍ତୁ ଭାରତର ଦୁଇ ପ୍ରମୁଖ କ୍ରୀଡ଼ା ସଂଗଠନ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଖାଲି ଷ୍ଟାଡିୟମରେ ମ୍ୟାଚ୍‌ କରିବାକୁ ଆଗ୍ରହୀ ନାହାଁନ୍ତି। ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଏବଂ ବିନା ଦର୍ଶକରେ ଉଭୟ ମ୍ୟାଚ୍ ନଖେଳିବା ସପକ୍ଷରେ ଅଛନ୍ତି। ଏଆଇଏଫ୍ଏଫ୍ ଉପାଧ୍ୟକ୍ଷ ସୁବ୍ରତ ଦତ୍ତ କହିଛନ୍ତି ଯେ ଷ୍ଟାଡିୟମ୍ ଭିତରେ କେବଳ ଟିଭି ଦଳ ଏବଂ ସାମ୍ବାଦିକଙ୍କୁ ଅନୁମତି ଦେଲେ ଶହେରୁ ଅଧିକ ଲୋକ ହେବେ। କିଏ ନିଶ୍ଚିତ କରିବ ଯେ ଏମାନଙ୍କ ନିକଟରେ କରୋନା ଭୂତାଣୁ ନାହିଁ। ଯଦି କିଛି ହୁଏ, ପୁରା ଷ୍ଟାଡିୟମକୁ ସିଲ୍‌ କରାଯିବ। ଭୁଲନ୍ତୁ ନାହିଁ, ପ୍ରଶଂସକମାନେ ଭାରତୀୟ ଫୁଟ୍‌ବଲ୍‌ ଜୀବନର ରକ୍ତ। ଏମାନଙ୍କୁ ଛାଡ଼ି ଖାଲି ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜନ କରିବା ଠିକ୍‌ ହେବନି।

ସମ୍ବନ୍ଧିତ ଖବର