ଆଇ ଲିଗ୍‌: ବାରବାଟୀରେ ଆରୋଜର ଦ୍ବିତୀୟ ବିଜୟ

କଟକ: ବାରବାଟୀ ଷ୍ଟାଡିୟମରେ ଇଣ୍ତିଆନ୍‌ ଆରୋଜ୍‌ ଦ୍ବିତୀୟ ବିଜୟ ସ୍ବାଦ ପାଇଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଆରୋଜ ୧-୦ ଗୋଲ୍‌ରେ ଗୋକୁଲମ୍‌ ଏଫ୍‌ସିକୁ ହରାଇଛି। ୬୬ତମ ମିନିଟ୍‌ରେ ଆରୋଜ୍‌କୁ ମିଳିଥିବା ପେନାଲ୍‌ଟିକୁ ଅମରଜିତ୍‌ ସି˚ହ କିୟାମ ଗୋଲ୍‌ରେ ପରିଣତ କରି ଦଳକୁ ଜିତାଇଥିଲେ। ଅମରଜିତ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଏହି ବିଜୟ ଫଳରେ ଇଣ୍ତିଆନ୍‌ ଆରୋଜ୍‌ ପଏଣ୍ଟ୍‌ ତାଲିକାରେ ନବମ ସ୍ଥାନକୁ ଉଠିଥିଲା ବେଳେ ଗୋକୁଲମ୍‌ ଅଷ୍ଟମ ସ୍ଥାନ ବଜାୟ ରଖିଛି। ମ୍ୟାଚ ଆରମ୍ଭରୁ ଗୋକୁଲମ୍‌ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରିଥିଲେ ବି ଆରୋଜ୍‌ ଡିଫେଣ୍ତରକୁ ଟପିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଆରୋଜ୍‌ ମଧ୍ୟ ଦକ୍ଷତାର ପ୍ରମାଣ ଦେଇ ଗୋଲ୍‌ ପୋଷ୍ଟ ପର୍ଯ୍ୟନ୍ତ ବଲ୍‌ ନେଇଥିଲେ ବି ଫିନିସି˚ ଠିକ୍‌ଭାବେ ହେଉନଥିବା ଦେଖାଯାଇଥିଲା। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧରେ ୬୩ ମିନିଟ୍‌ରେ ଗୋକୁଲମ୍‌ର ଫେଲିପ୍‌ କ୍ୟାଷ୍ଟ୍ରୋଙ୍କୁ ଏକ ଫ୍ରି କିକ୍‌ ମିଳିଥିଲା। ହେଲେ ଡାନିଏଲ୍‌ ଆଡୋଙ୍କ ହେଡର, ବଲ୍‌କୁ ପୋଷ୍ଟ ବାହାରକୁ ନେଇଯାଇଥିଲା। ୬୬ ମିନିଟ୍‌ରେ ଗୋକୁଲମ୍‌ ପୋଷ୍ଟ୍‌ ଅଞ୍ଚଳ ଭିତରେ ଫେଲିପ୍‌ ଆରୋଜ୍‌ର ବିକ୍ରମ ପ୍ରତାପ ସି˚ହଙ୍କୁ ଫାଉଲ ମାରିବାରୁ ଘରୋଇ ଦଳକୁ ପେନାଲ୍‌ଟି ମିଳିଥିଲା। ଏହାକୁ ଅମରଜିତ୍‌ ଗୋଲ୍‌ରେ ପରିଣତ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ଆରୋଜ୍‌ ପ୍ରତିଯୋଗିତାରେ ଦ୍ବିତୀୟ ବିଜୟ ପାଇଥିଲା।

ସମ୍ବନ୍ଧିତ ଖବର