କଟକ: ଆସର ପେରିକ୍ ଦୀପାଣ୍ତା ଡିକ୍କାଙ୍କ ଦୁଇଟି ଗୋଲ୍ ବଳରେ ମୋହନବାଗାନ ଚଳିତ ଆଇ-ଲିଗ୍ ଋତୁରେ ପ୍ରଥମ ବିଜୟ ହାସଲ କରିଛି। ଶନିବାର ବାରବାଟୀ ଷ୍ଟାଡିୟମରେ ଇଣ୍ତିଆନ୍ ଆରୋଜ୍କୁ ୨-୦ ଗୋଲ୍ରେ ମୋହନବାଗାନ ହରାଇଛି। ମ୍ୟାଚ୍ ଆରମ୍ଭରୁ ବାଗାନ ଖେଳାଳିମାନେ ଆକ୍ରମଣାତ୍ମକ ଖେଳିଥିଲା ବେଳେ ପ୍ରଥମାଧକୁ ସ˚ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲେ। ୭, ୧୪, ୨୦, ୨୫ ମିନିଟ୍ରେ ଘନଘନ ଆକ୍ରମଣ ହୋଇଥିଲେ ବି ଆରୋଜ୍ ଗୋଲରକ୍ଷକ ଗିଲ୍ ସବୁଗୁଡ଼ିକୁ ପ୍ରତିହତ କରିଥିଲେ। ହେଲେ ୨୯ତମ ମିନିଟ୍ରେ ହେନ୍ରୀ କିସେକାଙ୍କ ପାସ୍କୁ ଡିକ୍କା ଡାଇଭ୍ ମାରି ହେଡର୍ ଜରିଆରେ ଏକ ଆକର୍ଷଣୀୟ ଗୋଲ୍ ଦେଇଥିଲେ। ପ୍ରଥମ ଗୋଲ୍ ପରେ ଆରୋଜ ଖେଳାଳିମାନେ ଚାପରେ ଆସିଯାଇଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରଥମାର୍ଧ ଶେଷ ହେବାର ଅଳ୍ପ ସମୟ (୪୫+୧) ପୂର୍ବରୁ ପୋଷ୍ଟ ଅଞ୍ଚଳ ଭିତରେ ବାଗାନର ପିଣ୍ଟୁ ମହତା ବଲ୍ ଛଡ଼ାଇନେଇ ଯାଉଥିବାବେଳେ ଆରୋଜ୍ର ବୋରିସ୍ ସି˚ହ ଥାଙ୍ଗଜାମ୍ଙ୍କ ହାତରେ ତାହା ବାଜିଯାଇଥିଲା। ଫଳରେ ରେଫରି ଏହାକୁ ପେନାଲ୍ଟି କିକ୍ ଘୋଷଣା କରିଥିଲେ। ଡିକ୍କା ଏହି ସୁଯୋଗକୁ ହାତଛଡ଼ା ନକରି ମ୍ୟାଚ୍ର ଦ୍ବିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଧରେ ମୋହନ ବାଗାନ୍ ୨-୦ ଗୋଲ୍ରେ ଆଗୁଆ ରହିବା ପରେ ଆରୋଜ୍ ଦ୍ବିତୀୟାର୍ଧରେ ଅଧିକ କ୍ଷୀପ୍ର ଖେଳିଥିଲା। କିନ୍ତୁ ସବୁ ଚେଷ୍ଟାକୁ ବାଗାନ ଡିଫେଣ୍ତରମାନେ ଧୂଳିସାତ୍ କରିଥିଲେ। ଶେଷ ହୁଇସିଲ୍ ବାଜିବା ବେଳକୁ ଆଉ କୌଣସି ଗୋଲ୍ ନହେବାରୁ ମୋହନ ବଗାନ ପ୍ରଥମ ଥର ୩ ପଏଣ୍ଟ ଅକ୍ତିଆର କରିଥିଲା। ଡିକ୍କାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା ପୁରସ୍କୃତ କରିଥିଲେ।