ଭୁବନେଶ୍ବର: ଆଇଏସଏଲ୍‌ର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମରେ ଆଇ-ଲିଗ୍ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହେବ। ଆଇ-ଲିଗ୍‌ରେ ଗତବର୍ଷଠାରୁ ପୁନର୍ବାର ସାମିଲ ହୋଇଥିବା ଇଣ୍ଡିଆନ୍ ଆ‌େରାଜ୍ ଏହାକୁ ଚଳିତ ଋତୁ ପାଇଁ ଘରୋଇ ପଡ଼ିଆ କରିଛି। ଏଠାରେ ଏହି ଦଳ ଅନ୍ୟୁନ ୧୦ଟି ମ୍ୟାଚ୍ ଖେଳିବ। ସେଥିପାଇଁ ଇଣ୍ଡିଆନ୍ ଆରୋଜ୍ ଦଳ ମଙ୍ଗଳବାର ସଂଧ୍ୟ‌ାରେ ଭୁବ‌େନଶ୍ବର ପହଞ୍ଚି ଯାଇଛି। ବୁଧବାରଠାରୁ ଦଳ ଏଠାରେ ଅଭ୍ୟାସ ଆରମ୍ଭ କରିବ। ଇଣ୍ଡିଆନ୍ ଆରୋଜ୍ ଦଳ ୨୦୧୧‌ରୁ ୨୦୧୩ ପର୍ଯ୍ୟନ୍ତ ଆଇ-ଲିଗ୍‌ ତିନିଟି ଋତୁରେ ଅଂଶ ଗ୍ରହଣ କରିଥିଲା। ହେଲେ ମୁଖ୍ୟ ପ୍ରାୟୋଜକ ପିଲାନ ଗ୍ରୁପ୍ ଓହରିଯିବାରୁ ୨୦୧୩ ହିଁ ଏହି ଦଳର ଶେଷ ଆଇ-ଲିଗ୍ ଋତୁ ହୋଇଥିଲା।

Advertisment

ଗତବର୍ଷ ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ବକପ୍‌ର ସଫଳ ଆୟୋଜନ ପରେ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ୍) ଏହି ଦଳର ପୁନରୁଦ୍ଧାର କରିଥିଲା। ଯୁବ ଖେଳାଳିଙ୍କୁ ଏକ ବଳିଷ୍ଠ ମଞ୍ଚ ଦେବାଲାଗି ୧୭ ବର୍ଷରୁ କମ୍ ବିଶ୍ବକପ୍ ଖେଳିଥିବା ବଛାବଛା ଖେଳାଳିଙ୍କୁ ନେଇ ୨୦୧୭-୧୮ ଋତୁରେ ‘ଇଣ୍ଡିଆନ୍ ଆରୋଜ୍‌’ ନାମରେ ଏହି ଦଳ ଆଇ-ଲିଗ୍‌ରେ ପୁନଃ ପ୍ରବେଶ କରିଥିଲା। ଚଳିତ ବର୍ଷ ଅର୍ଥାତ୍ ୨୦୧୮-୧୯ ଋତୁରେ ଇଣ୍ଡିଆନ୍ ଆରୋଜ୍ କଳିଙ୍ଗ ଷ୍ଟାଡିୟମରେ ତା’ର ଘରୋଇ ମ୍ୟାଚ୍ ଖେଳିବ। ଯାହା ଫଳରେ କଳିଙ୍ଗ ଷ୍ଟାଡିୟମର ଜାଜ୍ଜୁଲ୍ୟମାନ କ୍ରୀଡ଼ା‌ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ିହେବ। ସୂଚନା ଅନୁସାରେ ଇଣ୍ଡିଆନ୍ ଆରୋଜର କେତେକ ମ୍ୟାଚ୍ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଆଇ-ଲିଗ୍‌ର ଦ୍ବାଦଶ ସଂସ୍କରଣ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ। ଏଥିରେ ୧୧ ଦଳ ଅଂଶଗ୍ରହଣ କରିବେ। ଆଗକୁ ହେବାକୁ ଥିବା ବିଭିନ୍ନ ବିଶ୍ବକପ୍‌ ଲାଗି ଏକ ଭାରତୀୟ ଦଳ ପ୍ରସ୍ତୁତି କରିବା ଲକ୍ଷ୍ୟ ନେଇ ଏଆଇଏଫଏଫ୍ ଏହି ଦଳକୁ ପୁନର୍ବାର ଆଇ-ଲିଗ୍‌କୁ ଆଣିଥିବା ଜଣାପଡ଼ିଛି।