ଅସୁବିଧାରେ ଆଇ ଲିଗ୍ ଖେଳାଳି, ଛଟେଇ ନୋଟିସ୍ ସହ ଦରମା ବନ୍ଦ କଲେ କ୍ଲବ୍

ପଣଜୀ: କରୋନା ମହାମାରୀ ଆତଙ୍କ ପାଇଁ ଫୁଟ୍‌ବଲ୍ ପଡ଼ିଆ ଏବେ ଖାଁ ଖାଁ। ନା ଖେଳ ହେଉଛି, ନା ଖେଳାଳି ବାହାରକୁ ବାହାରୁଛନ୍ତି। କେବଳ ଭାରତ ନୁହେଁ ସବୁବେଳେ ଚଳ ଚଞ୍ଚଳ ରହୁଥିବା ସମଗ୍ର ବିଶ୍ବର ଫୁଟ୍‌ବଲ୍ ଜଗତ ଯେମିତି ଗୋଟିଏ ସ୍ଥାନରେ ଅଟକି ଯାଇଛି। କରୋନାର ଅଦିନିଆ ଓ ଅପ୍ରତ୍ୟାଶିତ ଧକ୍କାରେ ଫୁଟ୍‌ବଲ୍ ଦୁନିଆ ‌ପୂରା ସ୍ଥାଣୁ ପାଲଟି ଯାଇଛି। ଏଭଳି ସ୍ଥିତିରେ ଭାରତର ନିଜସ୍ବ ଘରୋଇ ଫୁଟ୍‌ବଲ୍ ପ୍ରତିଯୋଗିତା ‘ଆଇ ଲିଗ୍’ର ଖେଳାଳିଙ୍କ ମୁଣ୍ଡ ଉପରେ ଡେମୋକ୍ଲିସଙ୍କ ଖଣ୍ଡା ଝୁଲୁଛି। କରୋନାର ଅକାଳ ପ୍ରହାରରେ ସେମାନଙ୍କର ସବୁ ପୂର୍ବ ଯୋଜନା ପଣ୍ଡ ହୋଇଯାଇଛି। ଏଭଳି ସ୍ଥିତିରେ ଲିଗ୍‌ର କେତେକ କ୍ଲବ୍ ନିଜ ନିଜର ଖେଳଳିଙ୍କୁ ଛଟେଇ ‌ନୋଟିସ୍ ଜାରି କରିଥିବାର ଖବର ଆଲୋଡ଼ନ ସୃଷ୍ଟି କରିଛି। ଏପରିକି କିଛି କ୍ଲବ୍‌ ମଧ୍ୟ ସୋନଙ୍କ ଚୁକ୍ତିରେ ଥିବା ‘ପ୍ରାକୃତିକ ବିପର୍ଯ୍ୟୟ’ ବା ଫୋର୍ସ ମାଜୁରି’ ଧାରାକୁ ଉପଯୋଗ କରି ‌ଏଭଳି ଖେଳାଳିଙ୍କ ଦରମା ମଧ୍ୟ ବନ୍ଦ କରି ଦେଇଛନ୍ତି। ଫଳରେ ଖେଳାଳିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।

୪ ରାଉଣ୍ଡ ଖେଳ ବାକି ଅଛି
ଗତମାସରେ ଶେଷ ହୋଇଥିବା ଦେଶର ଅନ୍ୟତମ ପେସାଦାର ଲିଗ୍ ‘ଆଇଏସଏଲ୍’ର ୧୦ ଦଳର ଖେଳାଳିମାନେ କିନ୍ତୁ ସୌଭାଗ୍ୟବଶତଃ ଏଭଳି କୌଣସି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। ଲିଗ୍ ଶେଷ ହୋଇ ଯାଇଥିବାରୁ ସେମାନେ ନିଜ ନିଜ ଚୁକ୍ତି ମୁତାବକ ପାଉଣା ପାଇବାକୁ ହକ୍‌ଦାର ହୋଇ ସାରିଛନ୍ତି। ହେଲେ ‘ଆଇ-ଲିଗ୍’ର ଆହୁରି ୪ ରାଉଣ୍ଡ ଖେଳ ବାକି ରହିଛି। ଅର୍ଥାତ୍ ଚଳିତ ବର୍ଷର ଆଇ-ଲିଗ୍ ଋତୁ ଏବେ ସୁଦ୍ଧା ଅସଂପୂର୍ଣ୍ଣ ହୋଇ ରହିଛି। ଚଳିତ ବର୍ଷର ଶେଷ ଆଇ-ଲିଗ୍ ମ୍ୟାଚ୍ ମାର୍ଚ ୧୪ ତାରିଖରେ ଖେଳା ଯାଇଥିଲା। ଆଇ-ଲିଗକୁ କରୋନା ମହାମାରୀ ପାଇଁ ବାତିଲ କରିଦେବାକୁ କଥାବାର୍ତ୍ତା ଚାଲିଥିବାରୁ ଫ୍ରାଞ୍ଚାଇଜ ବା ଅଂଶଗ୍ରହଣକାରୀ ଦଳଗୁଡ଼ିକ ନିଜ ନିଜର କ୍ଷତିକୁ କମାଇବାକୁ ପଦକ୍ଷେପ ନେବା ଆରମ୍ଭ କରି ଦେଲେଣି। କିଛି ଦଳ ସେମାନଙ୍କ ଚୁକ୍ତିରେ ଥିବା ‌ଫୋର୍ସ ମାଜୁରେ (ଏକ ଫ୍ରାନ୍ସ ଶବ୍ଦ ଯାହାକୁ କୌଣସି ଅପ୍ରତ୍ୟାଶିତ ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉପଯୋଗ କରିବା ପାଇଁ ଖେଳାଳିଙ୍କ ଚୁକ୍ତିରେ ସାମିଲ କରାଯାଇଥାଏ) ଧାରାକୁ ଚାଲୁ କରି ସାରିଲେଣି। ଖେଳାଳିଙ୍କ ଚୁକ୍ତି ପତ୍ରର ଅନୁଚ୍ଛେଦ ୨ର ଧାରା ୫.୬ରେ ଏହା ସ୍ଥାନ ପାଇଛି। ତଦନୁଯାୟୀ କୌଣସି ଅପ୍ରତ୍ୟାଶିତ ଘଟଣା ଘଟିଲେ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ସ୍ଥିତି, ଯାହାକୁ ନିୟନ୍ତ୍ରଣ କରିବା ଆଦୌ ସମ୍ଭବ ନୁହେଁ, ସେଭଳି ସ୍ଥିତିରେ କୌଣସି ଗୋଟିଏ ପକ୍ଷ ନିଜ ଦାୟିତ୍ବ ସଂପାଦନ କରିବାକୁ ବାଧ୍ୟ ରହିବେ ନାହିଁ। ଅର୍ଥାତ୍ ସେ ଚାହିଁଲେ ଚୁକ୍ତିରୁ ବାହାରି ଯାଇପାରିବେ।

ଆଉ କିଛି ବାଟ ନାହିଁ: ମାଲିକ
ଏହି ବିଷୟରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଗୋଟିଏ ଦଳର ମାଲିକ କହିଛନ୍ତି ଯେ ଆମେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଛୁ। ଖେଳାଳିମାନେ ଏହାକୁ ଭଲ ନପାଇପାରନ୍ତି। ଏପରିକି ସେମାନେ ଏଥିନେଇ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିପାରନ୍ତି। ହେଲେ ଆମ ପାଖରେ ଆଉ କିଛି ବାଟ ନାହିଁ। ଅବଶ୍ୟ ଅନ୍ୟ କିଛି କ୍ଲବ୍‌ର ଚୁକ୍ତିରେ ଖେଳାଯାଇସାରିଥିବା ଶେଷ ମ୍ୟାଚ୍ ପର୍ଯ୍ୟନ୍ତ ଦରମା ଦେବାର ଧାରା ରହିଛି। ଏଭଳି ସ୍ଥିତିରେ ଖେଳାଳିମାନେ ସେମାନଙ୍କ ବକେୟା ପାଉଣା ପାଇବାକୁ ହକ୍‌ଦାର ହେବେ। ଶେଷ ମ୍ୟାଚ୍ ଗତ ମାସ ୧୪ ତାରିଖରେ ଖେଳା ଯାଇଥିଲା। ଫଳରେ ଏଭଳି ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କ ମାର୍ଚ ମାସ ପର୍ଯ୍ୟନ୍ତର ଦରମାକୁ କେହି ଅଟକାଇ ପାରିବେ ନାହିଁ। ଯଦି ଆଇ-ଲିଗ୍ ଅଧାରୁ ବାତିଲ ହୁଏ, ତାହାଲେ ଖେଳାଳିମାନେ କିନ୍ତୁ ଏପ୍ରିଲ ଓ ମେ ମାସର ଦରମାରୁ ବଞ୍ଚିତ ହେବେ। ‘‘ମୁଁ ଜାଣିଛି କିଛି କ୍ଲବ୍ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ୍ ପାଉଣା ମଧ୍ୟ ଦେଉ ନାହାନ୍ତି। ହେଲେ ଆମେ ଏଭଳି କରିବୁ ନାହିଁ। ଆମେ ମାର୍ଚ ମାସରେ ମ୍ୟାଚ୍ ଖେଳିଥିଲୁ, ଏଣୁ ଆମେ ଦେଇଥିବା କଥାରୁ ଓହରିବୁ ନାହିଁ। ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍ଏ‌ଫ୍) ଯଦି ଲିଗ୍ ବାତିଲ କରେ ତେବେ ବଳକା ମାସର ଦରମା ସେମାନେ ଦାବି କରି ପାରିବେ ନାହିଁ ବୋଲି ଖେଳାଳି ଜାଣିଛନ୍ତି।’’ ଏଭଳି ମନ୍ତବ୍ୟ ଦେଇଛନ୍ତି ଗୋକୁଳମ୍ କେରଳ ମାଲିକ ଭିସି ପ୍ରବୀଣ। ଯେଉଁ ‌ବିଦେଶୀ ଖେଳାଳିଙ୍କ ଚୁକ୍ତି କାର୍ଯ୍ୟକାଳ ମେ’ ୨୦ରେ ସରୁଛି, ସେମାନେ ସବୁଠାରୁ ଅଧିକ କ୍ଷତି ସହିବାର ଆଶଙ୍କା ରହିଛି। ଏଭଳି କିଛି ଖେଳାଳିଙ୍କୁ ଛଟେଇ ‌ନୋଟିସ୍ ମଧ୍ୟ ମିଳି ସାରିଛି। ତେବେ ସେମାନଙ୍କୁ ଜୁଲାଇ ୩୧ ବେଳକୁ ଯଦି ସ୍ଥିତି ସୁଧୁରି ଥାଏ ତାହାଲେ ଦରମା ମିଳିବ ବୋଲି ନୋଟିସରେ କୁହାଯାଇଛି। ଆଇ-ଲିଗ୍‌ର ଭବିଷ୍ୟତ ନେଇ ଏଆଇଏଫ୍‌ଏଫ୍ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଛି। ଲିଗ୍ ପର୍ଯ୍ୟାୟ ପ୍ରଦର୍ଶନ ଦୃଷ୍ଟିରୁ ମୋହନ ବାଗାନ ବିଜେତା ହେବା ଏକପ୍ରକାର ସ୍ପଷ୍ଟ ହୋଇ ସାରିଥିଲା ବେଳେ ଏଆଇଏଏଫ୍ ମଧ୍ୟ ଚଳିତ ବର୍ଷ ରେଲିଗେସନ୍ ବା ଦଳଗୁଡ଼ିକୁ ତଳସ୍ତରକୁ ଖସାଇବା ସପକ୍ଷରେ ନଥିବାରୁ ଗତ ମାସରେ ହିଁ ଆଇ-ଲିଗ୍ ୨୦୨୦ର ଶେଷ ମ୍ୟାଚ୍ ଖେଳ ହୋଇ ସାରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ହେଲେ ଏହା ଖେଳାଳି, ପ୍ରଶଂସକ କିମ୍ବା ଦଳ କାହା ପାଇଁ ଯେ ଭଲ ଖବର ନୁହେଁ, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର