୨୦ ବର୍ଷ ବୟସରେ ଟେଷ୍ଟ୍‌ ପଦାର୍ପଣ କରିଥିଲି: କୈଫ୍‌

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍‌ ୨୦୦୨ରେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରି ଦେଶ ପାଇଁ ୧୨୫ ମ୍ୟାଚ୍‌ ଖେଳିବାର ଗୌରବ ହାସଲ କରିଥିଲେ। କିନ୍ତୁ ଏହି ଉତ୍ତର ପ୍ରଦେଶ ବ୍ୟାଟ୍ସମ୍ୟାନ୍‌ ଏହା ପୂର୍ବରୁ ଟେଷ୍ଟ୍‌ ପଦାର୍ପଣ କରିଥିଲେ ମଧ୍ୟ କେବଳ ୧୩ ମ୍ୟାଚ୍‌ ଖେଳିବାରେ ସୀମିତ ରହିଯାଇଥିଲେ। ସେତେବେଳେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ‌ବୀରେନ୍ଦ୍ର ସେହବାଗଙ୍କ ପରି ବଡ଼ ବଡ଼ ଖେଳାଳିଙ୍କୁ ନେଇ ‌ଭାରତୀୟ ଦଳ ସୁଦୃଢ଼ ଥିଲା।‌ ତେଣୁ ମୁଁ ଓ ଯୁବରାଜ ସିଂହ ଅଧିକ ଟେଷ୍ଟ୍‌ ଖେଳିବାର ସୁଯୋଗ ପାଇନଥିଲୁ। ହେଲେ ଯୁବି ମୋଠୁ ଅଧିକ ଟେଷ୍ଟ୍‌ ଖେଳିଥିଲେ। ୨୦୦୬ରେ ଇଂଲଣ୍ଡ ବିପକ୍ଷ ନାଗପୁର ଟେଷ୍ଟ୍‌ ବେଳେ ଜଣେ ଆହତ ହେବାରୁ ମୋତେ ସୁଯୋଗ ମିଳିଥିଲା ଏବଂ ସେହି ଟେଷ୍ଟ୍‌ରେ ୯୧ ରନ୍‌ କରିଥିଲି। ‌ଯେତେବେଳେ ଆହତ ଖେଳାଳି ଜଣଙ୍କ ସୁସ୍ଥ ହୋଇଗଲେ ମୁଁ ବାଦ୍‌ ପଡ଼ିଥିଲି। ସେ ସମୟରେ ‌‌ଯେଉଁମାନେ ଖେଳୁଥିଲେ ସେମାନେ କ୍ରିକେଟ୍‌ର ଶ୍ରେଷ୍ଠ ତାରକା, କିଂବଦନ୍ତି ଥିଲେ। ସେମାନଙ୍କଠୁ ଆମେ ବହୁତ କିଛି ଶିଖିବାକୁ ପାଇଥିଲୁ ବୋଲି ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଅଧିନାୟକ କୈଫ୍‌ ଏକ ସାକ୍ଷାତକାରରେ କହିଛନ୍ତି।

ଆମ ଯୁବ ଦଳ ପୂରା ବିଶ୍ବକପ୍‌ରେ ସ୍ବତନ୍ତ୍ର ଭାବେ ଖେଳିଥିଲା। ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ଅଷ୍ଟ୍ରେଲିଆକୁ ଭେଟିଥିଲୁ ଏବଂ ୧୭୦ ରନ୍‌ରେ ବିଜୟୀ ହୋଇ ଟ୍ରଫି ଲଢ଼େଇରେ ପହଞ୍ଚିଥିଲୁ। ଏହି ମ୍ୟାଚ୍‌ରେ ଆରମ୍ଭରୁ ‌ଆମେ ଧିମା ଖେଳିଥିଲୁ, ହେଲେ ଯୁବି (୫୮, ୨୫ ବଲ୍‌)ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ୨୮୪ ରନ୍‌ କରିଥିଲୁ। ଏହାପରେ ଆମର ବରିଷ୍ଠ ବୋଲର ରାଜସ୍ଥାନର ଅନୁପ ଡାଭେ ଚମତ୍କାର ବୋଲିଂ କରିଥିଲେ। ଫାଇନାଲ୍‌ରେ ଆମେ ‌ଘରୋଇ ଶ୍ରୀଲଙ୍କାକୁ ଭେଟିଥିଲୁ। ଏହି ଦୁଇ ମ୍ୟାଚ୍‌ ସ୍ମରଣୀୟ ଥିଲା। ଏଥିସହ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ମଧ୍ୟ ସ୍ବତନ୍ତ୍ର ଥିଲା ବୋଲି କୈଫ୍‌ ଯୁବ ବିଶ୍ବକପ୍‌ ବିଜୟ ସ୍ମୃତିକୁ ମନେ ପକାଇ ‌କହିଛନ୍ତି। ଯେତେବେଳେ ଟେ‌ଷ୍ଟ୍‌ ମ୍ୟାଚ୍‌ ପାଇଁ ଡକରା ପାଇଲି ମୁଁ ବିସ୍ମିତ ହୋଇଯାଇଥିଲି। ଭାରତ ପ୍ରଥମ ଥର ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଜିତି ଥିବାରୁ ଗଣମାଧ୍ୟମରେ ଜୋର୍‌ଦାର ପ୍ରଚାର ଚାଲିଥିଲା। ‌ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ଯୁବ ବିଶ୍ବକପ୍‌ ବିଜେତା ଦଳର ଅଧିକାଂଶ ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ମୁଁ ଲଗାତାର ଏହି ପ୍ରତିଯୋଗିତାରେ ୨ ଥର ୯୦ ରନ୍‌ରୁ ଅଧିକ ରନ୍‌ କରିଥିଲି। ଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଟେ‌ଷ୍ଟ୍‌ ଦଳରେ ମୁଁ ସ୍ଥାନ ପାଇଥିଲି। ମୋତେ ସେତେବେଳେ ୨୦ ବର୍ଷ ବୟସ ହୋଇଥିଲା ଏବଂ ଆଲାନ୍‌ ଡୋନାଲ୍ଡ, ସନ୍‌ ପୋଲକ, ନଣ୍ଟି ହେୱାର୍ଡଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମ୍ନା କରିଥିଲି। ବିଶ୍ବର ଏହି ଶ୍ରେଷ୍ଠ ଦ୍ରୁତ ବୋଲରଙ୍କୁ ସାମ୍ନା କରିବି ବୋଲି ଚିନ୍ତା ବି କରିନଥିଲି। ପୂର୍ବରୁ କେବେ ବି ଏପରି ଦ୍ରୁତ ଓ ବାଉନ୍ସ ବଲ୍‌ ଖେଳି ନଥିଲି। ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟରେ ବହୁ ପାର୍ଥକ୍ୟ ବୋଲି ବୁଝିଥିଲି। ହେଲେ ଏଥିରୁ ବହୁତ କିଛି ଅଭିଜ୍ଞତା ପାଇଥିଲି। ଏହା ପରଠୁ ଦଳରୁ ବାଦ୍‌ ପଡ଼ିଲି, କଠିନ ପରିଶ୍ରମ ପରେ ଇଂଲଣ୍ଡ ବିପକ୍ଷରେ ମୋ ସହର କାନପୁରରେ ଦିନିକିଆ ପଦାର୍ପଣ କରିଥିଲି। ଏହି ଦୁଇ ବର୍ଷର ଅନ୍ତର ମୋତେ କେମିତି ଅନ୍ତର୍ଜାତୀୟସ୍ତରରେ ଖେଳିବା ଆବଶ୍ୟକ ଶିଖାଇଥିଲା ବୋଲି ପଦାର୍ପଣ ସ୍ମୃତିକୁ ମନେପକାଇ କୈଫ୍‌ କହିଛନ୍ତି। ବରିଷ୍ଠ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୈଫ୍‌ ଜଣେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବ‌େ ପରିଚିତ। ସେ ଗୋଟିଏ ଟେଷ୍ଟ୍‌ ଓ ୨ ଦିନିକିଆ ଶତକ ସହ ୩୩୦୦ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର