ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଥିଲା। ହେଲେ ଫାଇନାଲ୍ରେ ଅଷ୍ଟ୍ରେଲିଆଠୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଦଳକୁ ଫାଇନାଲ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଷୋଡ଼ଶୀ ଶେଫାଳି ବର୍ମା। ତାଙ୍କର ବିସ୍ଫୋରକ ବ୍ୟାଟିଂ ହିଁ ଭାରତକୁ ଆଗରେ ରଖିଥିଲା। ତାଙ୍କ ପ୍ରଦର୍ଶନ ବଳରେ ସ୍ମୃତି ମନ୍ଧନା ଓ ହରମନ୍ପ୍ରୀତ କୌରଙ୍କ ଭଳି ତାରକାଙ୍କୁ ପଛରେ ପକାଇ ସେ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଥିଲେ। ବିଶ୍ବକପ୍ରେ ଏହି ଡାହାଣହାତୀ ବ୍ୟାଟର୍ ୩୨.୬୦ ହାରାହାରି ଓ ୧୫୮.୨୫ ଷ୍ଟ୍ରାଇକ୍ ରେଟ୍ରେ ୧୬୩ ରନ୍ କରିଥିଲେ। ସେଦିନର ଫାଇନାଲ୍ ଆମ ସହ ନଥିଲା। କିନ୍ତୁ ଖେଳରେ ଜିତିବା ଓ ହାରିବା ଥାଏ। ଅଗକୁ ଯେଉଁ ସୁଯୋଗ ଆସିବ ତାହା ଆମ ପକ୍ଷରେ ଯିବ। ଯାହା ହେଲା ବଦଳାଇ ପାରିବାନି ହେଲେ ଯାହା ହେବ ତାହା ଆମ ହାତରେ ଅଛି ବୋଲି ଶେଫାଳି କହିଛନ୍ତି। ମୋର କାମ ହେଉଛି ରନ୍ ସ୍କୋର କରିବା ଏବଂ ଦଳକୁ ଏକ ସୁବିଧାଜନକ ସ୍ଥିତିରେ ରଖିବା। ଲୋକମାନେ ପ୍ରଦର୍ଶନକୁ ପ୍ରଶଂସା କଲେ ନିଶ୍ଚିତ ଭାବରେ ଭଲ ଲାଗେ। କିନ୍ତୁ ହାତରେ ଟ୍ରଫି ଧରି ଥିଲେ ଆହୁରି ଭଲ ଲଗିଥାନ୍ତା ବୋଲି ଶେଫାଳି କହିଛନ୍ତି।
ମହାମାରୀ କରୋନା ପାଇଁ ମୁଁ ଏବେ ଘରେ ରହିଛି। ଫିଟ୍ ରହିବା ପାଇଁ ହରିଆଣା କ୍ରିକେଟ୍ ସଂଘ (ଏଚ୍ସିଏ) ଦେଇଥିବା ଫିଟ୍ନେସ୍ ସାରଣୀ ଅନୁସରଣ କରୁଛି। ଏହି ସାରଣୀ ଅନୁଯାୟୀ ଘରେ ହିଁ ସବୁ ବ୍ୟାୟାମ କରି ପାରୁଛି। ଜିମ୍ ଯିବାକୁ ପଡ଼ୁନି ବୋଲି କହିଛନ୍ତି ଶେଫାଳି। ଏହି ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ମନରେ ପ୍ରବେଶ କରିପାରେ। କିନ୍ତୁ ଏଚ୍ସିଏ ଆମ ପାଇଁ କ୍ରୀଡ଼ା ମନୋବିଜ୍ଞାନୀ ନିଯୁକ୍ତି କରିଛି। ସେମାନଙ୍କ ସହ କଥା ହେଉଛୁ। ଏହି କଠିନ ସମୟରେ ସକାରାତ୍ମକ ରହିବାରେ ସେମାନଙ୍କ ପ୍ରେରଣା ବହୁତ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି। “ସତ କହିବାକୁ ଗଲେ ଅଶ୍ୱନୀ ସାର୍ (ପ୍ରଶିକ୍ଷକ), ଏଚ୍ସିଏ ଏବଂ ବେସଲାଇନ ଭେଞ୍ଚର୍ସ (ପ୍ରତିଭା ପରିଚାଳନା କମ୍ପାନୀ)ଙ୍କ ସମର୍ଥନ ପ୍ରକୃତରେ ସାହାଯ୍ୟ କରିଛି। ସେମାନଙ୍କ ସହ ମିଶିବା ମୋ ବାପାଙ୍କ ଉପରେ ଥିବା ଚାପ କମିଯାଇଛି। ଡ୍ରେସିଂ ରୁମ୍ର ଅନୁଭୂତି ଅଲଗା ପ୍ରକାର। ବରିଷ୍ଠମାନେ କୁହନ୍ତି, ଆମେ କନିଷ୍ଠମାନେ ସେମାନଙ୍କ କଥା ଶୁଣୁ। କେବଳ ହରମନ୍ପ୍ରୀତ ଓ ସ୍ମୃତି ଦିଦି ନୁହନ୍ତି ସମସ୍ତଙ୍କ ସହଯୋଗ ଥାଏ। ଏଠାରେ ଏକ ସୁନ୍ଦର ପରିବେଶ ଥାଏ। ପ୍ରକୃତରେ ଡବ୍ଲୁଭି ରମଣ ସାର୍ ଆମର ଜଣେ ଶ୍ରେଷ୍ଠ ପ୍ରଶିକ୍ଷକ ବୋଲି ଶେଫାଳି କହିଛନ୍ତି। ଯେତେବେଳେ ଆମେ ଅଟକି ଯାଉ ରମଣ ସାର୍ ସମାଧାନର ବାଟ ବତାନ୍ତି। ଯଦି କୌଣସି ସମସ୍ୟା ସାମ୍ନାକୁ ଆସେ, ମୁଁ ସବୁବେଳେ ତାଙ୍କ ପାଖକୁ ଯାଏ। ସେ ତାର ବାଟ ବତାଇଥାନ୍ତି। ସତରେ ସେ ସହଜରେ ଆମମାନଙ୍କ ମନରେ ଆତ୍ମ ବିଶ୍ବାସ ଭରି ଦିଅନ୍ତି ବୋଲି ଶେଫାଳି କହିଛନ୍ତି।
ଭାଗୀଦାରି ବିଷୟରେ ସେ କୁହନ୍ତି, ଆମେ ଆରମ୍ଭରୁ ସହଜରେ ଖେଳିଥାଉ। ଯଦି ଏକ ଖରାପ ବଲ୍ ଥାଏ, ତେବେ ଏହାକୁ ମାରିବା ଜରୁରି। ଏଥିରେ ଦୁଇଟି ଉପାୟ ନାହିଁ। ତେଣୁ, ଯେତେବେଳେ ମୁଁ ଏକ ଖରାପ ବଲ୍ ପାଇଥାଏ, ସେତେବେଳେ ମୁଁ ଏହାକୁ ମାରିଲି ଏବଂ ତାଙ୍କ ପାଇଁ ସମାନ କାମ କରେ। ଯେତେବେଳେ ଆମେ ଭଲ ବଲ୍ ପାଉ ଗୋଟିଏ ରନ୍ ନେବାକୁ ଚେଷ୍ଠା କରୁ ନହେଲେ ନାହିଁ। ରନ୍ କରିବାକୁ କେବେ ବ୍ୟସ୍ତ ହୋଇନଥାଉ। ହେଲେ ମୋର ଚିରାଚରିତ ଶୈଳୀରେ କୌଣସି ପରିବର୍ତ୍ତନ କରିନଥାଏ ବୋଲି ଶେଫାଳି କହିଛନ୍ତି। ଭାରତ ପାଇଁ ଅଧିକ ଖେଳିବା ଏବଂ ଦଳକୁ ଜିତାଇବା ମୋର ଇଛା। ମୁଁ ବ୍ୟାଟିଂ କରିବାକୁ ଗଲା ବେଳେ ଭାରତ ପାଇଁ ଅଧିକ ରନ୍ କରିବାକୁ ଚାହିଁ ଥାଏ ବୋଲି ଶେଫାଳି କହିଛନ୍ତି।