ଭୁବନେଶ୍ବର (ସୁରେଶ ସ୍ବାଇଁ): ସତର ଅଠର ବର୍ଷ ତଳେ ଖେଳ ଆରମ୍ଭ କରିବା ବେଳେ ମୁଁ ଯେ ଦିନେ ଭାରତ ପାଇଁ ଖେଳିବି ଭାବି ନଥିଲି। ଏପରିକି ସ୍ବପ୍ନ ବି ଦେଖିନଥିଲି। ଏହି ଲମ୍ବା ଯାତ୍ରାରେ ଦୁଇ ଦୁଇ ଥର ଅଲିମ୍ପିକ୍ସ ଖେଳିବା, ୩ ଥର ଏଫ୍‌ଆଇଏଚ୍‌ର ଶ୍ରେଷ୍ଠ ଗୋଲରକ୍ଷିକା ସମ୍ମାନ ପାଇବା, ୩ ଥର ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଜିତିବା, ଅର୍ଜୁନ ପୁରସ୍କାର ପାଇବା, ଭାରତୀୟ ଦଳର ନେତୃତ୍ବ ନେବା ଭଳି ଗୌରବ ମୋତେ ଗର୍ବିତ କରିଛି। ଏହାଠାରୁ ଅଧିକ କିଛି ମୁଁ ଆଶା କରି ନଥିଲି। ଭାରତ ପାଇଁ ୩୦୦ ମ୍ୟାଚ୍‌ ଖେଳିବାଠାରୁ ବଡ଼ ଉପଲବ୍‌ଧି କିଛି ନାହିଁ। ଏସବୁ କଥା କହିବା ବେଳେ ମୁଁ ଭାବବିହ୍ବଳ ହୋଇଯାଉଛି ବୋଲି କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିଲେ ଗୋଲରକ୍ଷିକା ସବିତା ପୁନିଆ। 

Advertisment

ନେଦରଲାଣ୍ଡ୍‌ସ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍‌ ମୋ ଖେଳ ଜୀବନର ଅନ୍ୟତମ ସ୍ମରଣୀୟ ହୋଇ ରହିବ। ଭାରତ ଜିତିପାରିଥିଲେ ଭଲ ଲାଗିଥା’ନ୍ତା। କିନ୍ତୁ ଏ‌ପର୍ଯ୍ୟନ୍ତ ଆସିବି ବୋଲି ମୁଁ ଭାବି ନଥିଲି। ସବୁ ଶ୍ରେୟ ମୋ ପରିବାର ଓ ପିତାମାତାକୁ ଦେବି ବୋଲି ସବିତା ପ୍ରକାଶ କରିଥିଲେ। ୨୦୦୭ରେ ଗମ୍ଭୀରତାର ସହ ଖେଳ ଆରମ୍ଭ କରିଥିଲି। ୨୦୦୮ରୁ ଭାରତୀୟ ଦଳରୁ ଖେଳି ଆସିଛି। କିନ୍ତୁ ୨୦୧୩ ମସିହା ପର୍ଯ୍ୟନ୍ତ ମୁଁ ଦଳର ଦ୍ବିତୀୟ ଗୋଲ୍‌ରକ୍ଷକ ରହିଥିବା ବେଳେ ମନକୁ ଅନେକ ଥର ଆସିଛି ଖେଳ ଛାଡ଼ିଦେବି। ପରିବାର ଲୋକ କିନ୍ତୁ ସବୁବେଳେ ସମର୍ଥନ ଦେଇ ଆସୁଥିଲେ। ସର୍ବଦା କହୁଥିଲେ କିଏ ଦେଖୁ ନଦେଖୁ ପରିଶ୍ରମ ଜାରି ରଖ। ଏହା ମୋତେ ବିଗତ ଏକ ଦଶନ୍ଧି ଧରି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଗୋଲ୍‌ରକ୍ଷକ ହେବାରେ ପରିଣତ କରିଥିଲା। ନିଜକୁ ଆତ୍ମସମୀକ୍ଷା କରିବା ବେଳେ ଭାବିଥାଏ ମୁଁ ଏଭଳି ଏକ ଗାଁରୁ ଆସିଛି ଯେଉଁଠି କାହାରିକୁ ଖେଳର ଏବିସିଡି ଜଣା ନଥିଲା। ଏବେ କିନ୍ତୁ ମୋ ସଫଳତା ଅନେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଦେଶର ଯୁବ ସମାଜ ପାଇଁ ମୁଁ ସେହି ଗୋଟିଏ କଥା କହିବି କେବଳ ଖେଳ ନୁହେଁ ଯାହା ବି କରିବାକୁ ଚାହୁଛ ଲକ୍ଷ୍ୟ ସ୍ଥିର ରଖି ପରିଶ୍ରମ କରିଚାଲ, ସଫଳତା ନିଶ୍ଚିତ ମିଳିବ। ସୋମବାର ସବିତାଙ୍କ ମନଖୋଲା ଆଳାପ ବି ଭାରତର ଖରାପ ପ୍ରଦର୍ଶନକୁ ଗୌଣ କରି ଦେଇଥିଲା।

ହରିୟାଣାର ସୀର୍ସା ନିକଟସ୍ଥ ଯୋଦ୍ଧକନ୍‌ ଗାଁର ୩୪ ବର୍ଷୀୟା ସବିତା ତାଙ୍କ ଉଜ୍ଜ୍ବଳ ଖେଳ ଜୀବନରେ ଅର୍ଜୁନ ପୁରସ୍କାର ପାଇଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ତାଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସିତ ହୋଇଥିଲା। ଭାରତୀୟ ମହିଳା ହକିର ‘ଦ ୱାଲ୍’ ବିବେଚିତ ହେଉଥିବା ସବିତା ୩ ଥର ଏସିଟି ସ୍ବର୍ଣ୍ଣ ଓ ୨ ଥର ରୌପ୍ୟ ଜିତିଛନ୍ତି। ଏସିଆ କପ୍‌ରେ ବି ସେ ଥରେ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ ୨ ଥର କାଂସ୍ୟ ପଦକ ହାସଲ କରିବାର ସୌଭାଗ୍ୟ ପାଇଛନ୍ତି। ଏସୀୟ କ୍ରୀଡ଼ାର ବିଗତ ୩ ସଂସ୍କରଣରେ ପଦକ (୨୦୧୪-ରୌପ୍ୟ, ୨୦୧୮-କାଂସ୍ୟ, ୨୦୨୨-କାଂସ୍ୟ) ଜିତିବା ମଧ୍ୟ ବଡ଼ ଉପଲବ୍‌ଧି। ନେସନ୍ସ କପ୍ ସ୍ବର୍ଣ୍ଣ ଏବଂ ରା‌ଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ବି ସବିତା ପୁନିଆଙ୍କ କ୍ୟାରିୟରକୁ ଏକପ୍ରକାର ପୂର୍ଣ୍ଣତାରେ ଭରି ଦେଇଛି। ଜଣେ ଗୋଲ୍‌ରକ୍ଷକ ଭାବେ ଏତେ ମ୍ୟାଚ୍‌ ଖେଳିବା ଏକ ବଡ଼ କୃତିତ୍ବ ବୋଲି ସବିତା ନିଜେ ବିଶ୍ବାସ କରନ୍ତି। ବାସ୍ତବରେ ସବିତା ଦ୍ବିତୀୟ ଭାରତୀୟ ମହିଳା ଭାବେ ୩୦୦ ମ୍ୟାଚ୍‌ ଖେଳିଲେ। ପୁରୁଷ କି ମହିଳା ହେଉ ପିଆର୍‌ ଶ୍ରୀଜେଶଙ୍କ ପରେ ଭାରତର ଦ୍ବିତୀୟ ଗୋଲ୍‌ରକ୍ଷକ ଭାବେ ମଧ୍ୟ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ସବିତାଙ୍କୁ  ସୋମବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ମଧ୍ୟ ସମ୍ବର୍ଧିତ କରିଥିଲେ। ସୂଚନାଯୋଗ୍ୟ, ସବିତାଙ୍କ ନେତୃତ୍ବରେ ଭାରତ ମଧ୍ୟ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ଏବଂ ଦୁଇ ଥର ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ (୨୦୨୩ ଓ ୨୦୨୪) ଜିତିଥିଲା।