ଧୋନିଙ୍କ ସମର୍ଥନ ପାଇଁ ମୁଁ ଏତେ ଦିନିକିଆ ଖେଳିଥିଲି: କେଦାର

ନୂଆଦିଲ୍ଲୀ: ଭାରତୀୟ ଦଳର ଲିଟିଲ୍ ମାଷ୍ଟର୍ ଅଲରାଉଣ୍ଡର୍ ଭାବେ ଢେର କିଛି ଦିନ ଖେଳିଥିବା କେଦାର ଯାଦବ କହିଛନ୍ତି, କେବଳ ମହେନ୍ଦ୍ର ସିଂହ ଧୋନିଙ୍କ ସମର୍ଥନ କାରଣରୁ ସେ ଭାରତୀୟ ଦଳରୁ ଏତେ ଦିନିକିଆରେ ପ୍ରତିନିଧିତ୍ବ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରୁ ବାଦ୍ ପଡିବା ପରେ କରୋନା କାରଣରୁ ଏହା ବାତିଲ ହୋଇଥିଲା। ଭାରତ ପାଇଁ ୭୩ ଦିନିକିଆ ‌ଖେଳି ସାରିଥିବା କେଦାରଙ୍କ ବୟସ ୩୫ ବର୍ଷ। ସେଥିପାଇଁ ଏବେ ତାଙ୍କ ସମୟ ସରି ଆସୁଛି ବୋଲି ମଧ୍ୟ ବିବେଚନା କରାଯାଉଛି। ସଚିନ ତେନ୍ଦୁଲକରଙ୍କୁ ଆଦର୍ଶ ମାନି ମୁଁ କ୍ରିକେଟ୍‌ ଖେଳିଥିଲି। ତାଙ୍କ ସହ ଖେଳିପାରିନଥିବାରୁ ବଡ଼ ଅନୁତପ୍ତ, କିନ୍ତୁ ମହେନ୍ଦ୍ର ସିଂହ ଧୋନି ମୋ ପସନ୍ଦର କ୍ରିକେଟର୍‌। ସେ ମୋ ଭିତରେ ଆତ୍ମବିଶ୍ବାସ ଭରି ଦେଇଥିଲେ। ମୁଁ ମାତ୍ର ୮ରୁ ୧୦ ଦିନିକିଆ ଖେଳିପାରିଥାନ୍ତି, କିନ୍ତୁ ତାଙ୍କ ସମର୍ଥନ କାରଣରୁ ଏତେ ମ୍ୟାଚ୍‌ (୭୩) ଖେଳିପାରିଛି। ମୁଁ ଯେତେବେଳେ ମାହି ଭାଇଙ୍କୁ ଦେଖିଲି ଭାବିଥିଲି ସେ ଭାରି କଠୋର ଥିବେ। ସେ କିନ୍ତୁ ସେଭଳି ନୁହଁନ୍ତି। ୨୦୧୪ରେ ପଦାର୍ପଣ କରିଥିବା କେଦାର ୨ ଶତକ, ୬ ଅର୍ଧଶତକ ସହିତ ମୋଟ ୧୩୮୯ ରନ୍ କରିଛନ୍ତି। ନିଜର ପାର୍ଶ୍ବ ବାହୁ ବୋଲିଂ ଶୈଳୀ ସମ୍ପର୍କରେ ପ୍ରଶ୍ନ ହେବାରୁ କେଦାର କହିଥିଲେ ୨୦୧୬ ମସିହାର ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଶୃଙ୍ଖଳା ବେଳେ ଅନିଲ ଭାଇ ପ୍ରଶିକ୍ଷକ ଥାନ୍ତି, ନେଟ୍‌ସରେ ଅଭ୍ୟାସ କରିଥିଲି। ନିଜ ପ୍ରଥମ ଦିନିକିଆରେ ମୁଁ ଜିମ୍ମି ନିଶାମଙ୍କୁ ଆଉଟ୍ (କଟ୍ ଆଣ୍ଡ୍ ବୋଲ୍‌ଡ) କରିଥିଲି। ଏହା ପରେ ମୋ ଉପରେ ମାହି ଭାଇଙ୍କ ବିଶ୍ବାସ ବଢ଼ିଯାଇଥିଲା।

ମାହି ବନାମ ସଲ୍‌ମାନ
ବଲିଉଡ୍ ତାରକା ସଲ୍‌ମାନ ଖାନ୍ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରୁ କିଏ ପସନ୍ଦର ବୋଲି ପ୍ରଶ୍ନ ହେବାରୁ କେଦାର କହିଥିଲେ ‘ଏହା ବାପା ମା’ଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଭଳି ପ୍ରଶ୍ନ’। ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ମୁଁ ଏତେ ମ୍ୟାଚ୍‌ ଖେଳିଥିଲି ଏବଂ ସଲମାନଙ୍କୁ ଭେଟିବାର ସୁଯୋଗ ବି ପାଇଥିଲି। ତଥାପି ମୁଁ ଏମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ ବାଛି ପାରିବି ନାହିଁ। କେଦାରଙ୍କ ଏହି ଉତ୍ତରକୁ ପ୍ରଶଂସକମାନେ ଢେର ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର