ମନେ ପଡ଼ିଲା ଗମ୍ଭୀରଙ୍କ ‘ଟ୍ବେଣ୍ଟି-୨୦ ମାଷ୍ଟର୍‌ଷ୍ଟ୍ରୋକ୍‌’

ନୂଆଦିଲ୍ଲୀ: ସିଡନିରେ ରବିବାର ଶେଷ ହୋଇଥିବା ଚତୁର୍ଥ ଆସେସ୍‌ ଟେଷ୍ଟ୍ ରୋମାଞ୍ଚକର ଡ୍ର ଦେଇଥିଲା। ଇଂଲଣ୍ଡର ଶେଷ ଯୋଡ଼ି ଷ୍ଟୁଆର୍ଟ ବ୍ରଡ୍‌-ଜେମ୍ସ ଆଣ୍ଡରସନ୍‌ ଅନ୍ତିମ ଦୁଇ ଓଭରକୁ ଖେଳିଦେବାରୁ ଅଷ୍ଟ୍ରେଲିଆ ଏକ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ସମୟରେ ଅଷ୍ଟ୍ରେଲିଆର ସମସ୍ତ କ୍ଷେତ୍ରରକ୍ଷକ ବ୍ୟାଟର୍‌ଙ୍କୁ ଘେରି ଯାଉଥିବାର ଦୃଶ୍ୟ ଏବେ ଭାଇରାଲ୍ ହୋଇଛି। ଏହି ଦୃଶ୍ୟ ଦେଖିବା ପରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଏକ ପୁରୁଣା ଦିନର ସମାନ ମୁହୂର୍ତ୍ତକୁ ମନେ ପକାଇ ଫଟୋକୁ ଟ୍ବିଟ୍‌ କରିଛି। ୨୦୧୬ ମସିହାରେ ‌ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷର ଏକ ମ୍ୟାଚ୍‌ ବେଳେ କେକେଆର୍‌ ପାଇଁ ଅଧିନାୟକ ଗୌତମ ଗମ୍ଭୀର ଏଭଳି ଆକ୍ରମଣାତ୍ମକ ‌କୌଶଳ ଆପଣାଇଥିଲେ। ଯାହାକୁ ଚେନ୍ନାଇକୁ ୧୦୩/୬ରେ ସୀମିତ ରଖି ଦେଇଥିଲା। ଚାପରେ ପଡ଼ି ମହେନ୍ଦ୍ର ସିଂହ ଧୋନି ମଧ୍ୟ ୨୨ ବଲରୁ ମାତ୍ର ୮ ରନ୍‌ କରିଥିଲେ। କେକେଆର୍‌ ଏହାକୁ ଗମ୍ଭୀରଙ୍କ ‘ଟ୍ବେଣ୍ଟି-୨୦ ମାଷ୍ଟରଷ୍ଟ୍ରୋକ୍‌’ ଉଲ୍ଲେଖ କରିବା ପରେ କିଛି ସିଏସ୍‌କେ ପ୍ରଶଂସକ ଖପ୍ପା ହୋଇଯାଇଛନ୍ତି। ଏପରିକି ସ‌ିଏସ୍‌କେର ଅନ୍ୟତମ ସଦସ୍ୟ ରବୀନ୍ଦ୍ର ଜାଦେଜା ‌ଲେଖିଥିଲେ ‘ଏହା ମାଷ୍ଟର୍‌ଷ୍ଟ୍ରୋକ୍ ନୁହେଁ, ସୋ’ ଅଫ୍‌’।

ସମ୍ବନ୍ଧିତ ଖବର