ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ ଶୁକ୍ରବାର ଅତିଥି ଥିଲେ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ ପଦକ ବିଜେତା ବଂଧୁକଚାଳକ ଗଗନ ନାରଙ୍ଗ। ହକି ବିଶ୍ବକପ୍ ଦେଖିବାର ପ୍ରଥମ ଅବସର ପାଇଥିଲେ ବି ସେ ନିୟମିତ ହକି ଦେଖନ୍ତି ଏବଂ ଅଲିମ୍ପିକ୍ସରେ ଭାଗ ନେବାବେଳେ ଏହାକୁ ଦେଖିବାର ସୁଯୋଗ ଛାଡ଼ନ୍ତି ନାହିଁ ବୋଲି ମିଡିଆ ସେଣ୍ଟରରେ ସାମ୍ବାଦିକଙ୍କ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ୩୫ ବର୍ଷୀୟ ଏହି ହାଇଦ୍ରାବାଦୀ ତାରକା। ଭାରତୀୟ ଦଳର ଗୋଲରକ୍ଷକ ତଥା ପୂର୍ବତନ ଅଧିନାୟକ ପିଆର୍ ଶ୍ରୀଜେଶ ମୋ ଭଲ ବଂଧୁ । ଭାରତୀୟ ଖେଳାଳିଙ୍କୁ ମୁଁ ଏହି ଅବସରରେ ଶୁଭେଚ୍ଛା ଜଣାଉଛି। ଭୁବନେଶ୍ବରରେ ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତୁ ଏବଂ ପଦକ ଜିତନ୍ତୁ ବୋଲି ମୋର ଆଶା ଓ ଭରସା ବୋଲି ନାରଙ୍ଗ ପ୍ରକାଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ଆସି ବିଶ୍ବକପ୍ ମ୍ୟାଚ୍ ଦେଖିବା ସ୍ବତନ୍ତ୍ର ଅନୁଭବ ଦେଇଛି। ୨୦୧୦ରେ ନୂଆଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ବିଶ୍ବକପ୍ ହେବା ପରେ ଏହା ସବୁଠୁ ବଡ଼ ପ୍ରତିଯୋଗିତା ଭାରତରେ ହେଉଛି। ଭୁବନେଶ୍ବର କିନ୍ତୁ ନୂଆ ଉଦାହରଣ ସୃଷ୍ଟି କରିଛି। କ୍ରୀଡ଼ା ମାଧ୍ୟମରେ ସାମାଜିକ ବିକାଶର ବାର୍ତା ଏଠାରୁ ମିଳିଛି। ଓଡ଼ିଶା ସରକାର ବଂଧୁକଚାଳନା ସହିତ ଯେଉଁ ୭ଟି ଉଚ୍ଚମାନର ଏକାଡେମି ପ୍ରତିଷ୍ଠା କରିବାକୁ ଯାଉଛନ୍ତି ତାହା ନିଶ୍ଚିତ ସୁଫଳ ଦେବ। ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ଏବଂ ଅଂଶିକା ପ୍ରଧାନ ପ୍ରତିଭାବାନ। ଭୁବନେଶ୍ବରରେ ଏକାଡେମି ପ୍ରତିଷ୍ଠା ପରେ ଅଧିକରୁ ଅଧିକ ପ୍ରତିଭା ଓଡ଼ିଶାରୁ ବାହାରିବେ। କନିଷ୍ଠ ସ୍ତରରୁ ବରିଷ୍ଠ ବର୍ଗକୁ ଆସୁଥିବା ଖେଳାଳିଙ୍କୁ ସମ୍ଭାଳିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ଲଣ୍ଡନ ଅଲିମ୍ପିକ୍ସରେ ୧୦ ମିଟର୍ ଏୟାର ରାଇଫଲ୍ କାଂସ୍ୟ ପଦକ ଜିତିଥିବା ନାରଙ୍ଗ। ବଂଧୁକଚାଳନା ନିଶ୍ଚିତ ବ୍ୟୟବହୁଳ ଖେଳ, କିନ୍ତୁ ସଭିଏଁ ଅଭ୍ୟସ୍ତ ହୋଇଗଲେଣି। ୧୦ ବର୍ଷ ତଳେ ଜାତୀୟ ପ୍ରତିଯୋଗିତାରେ ୧୦୦/୨୦୦ ଖେଳାଳି ଭାଗ ନେଉଥିଲେ। କିଛି ଦିନ ତଳେ କେରଳ ଜାତୀୟ ପ୍ରତିଯୋଗିତାରେ ୬୦୦୦ ଭାଗନେବା ବଡ଼ କଥା ବୋଲି ନାରଙ୍ଗ କହିଥିଲେ।
ଏକ ପଞ୍ଜାବୀ ପରିବାରରେ ଚେନ୍ନାଇରେ ଜନ୍ମିତ ଗଗନ ନାରଙ୍ଗଙ୍କୁ ବଂଧୁକଚାଳନା ଖେଳ ଜୀବନ କିନ୍ତୁ ଗଢ଼ିଛି ଓ ବଢ଼ିଛି ହାଇଦ୍ରାବାଦରେ। ୨୦୦୩ ଆଫ୍ରୋ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣରୁ ଅନ୍ତର୍ଜାତୀୟ ସଫଳତା ଆରମ୍ଭ କରିଥିବା ଏହି ତାରକା ଏବେ ବି ଖେଳ ଜୀବନରେ ସକ୍ରିୟ ଅଛନ୍ତି। ୪ ଥର ଅଲିମ୍ପିକ୍ସ (୨୦୦୪, ୨୦୦୮, ୨୦୧୨ ଏବଂ ୨୦୧୬)ରେ ଭାଗ ନେଇଥିବା ନାରଙ୍ଗ କିନ୍ତୁ ୬ ବର୍ଷ ତଳେ ଲଣ୍ଡନରେ ୭୦୧.୧ ପଏଣ୍ଟ୍ ସହିତ ୧୦ ମିଟର୍ ଏୟାର ରାଇଫଲ୍ କାଂସ୍ୟ ପଦକ ଜିତି ଶ୍ରେଷ୍ଠତ୍ବ ଅର୍ଜନ କରିଥିଲେ। ନିଜର ଏହି ପ୍ରିୟ ଇଭେଣ୍ଟରେ ସେ ବିଶ୍ବକୀର୍ତିମାନକୁ ନିଜ ନାମରେ ରଖିଛନ୍ତି। ବିଶ୍ବକପ୍ରୁ ୨ ସ୍ବର୍ଣ୍ଣ, ୩ କାଂସ୍ୟ ଏବଂ ୫୦ ମିଟର୍ ରାଇଫଲ୍ ଥ୍ରୀ ପୋଜିସନରେ ସ୍ବର୍ଣ୍ଣ ଜିତିଛନ୍ତି। ଖେଳରତ୍ନ ଏବଂ ପଦ୍ମଶ୍ରୀ ପୁରସ୍କାର ବି ସେ ହାତେଇ ସାରିଛନ୍ତି।