କୋଲ୍‌କାତା: ଯେତେବେଳେ ଭାରତରେ ଟେଷ୍ଟ୍ କ୍ରିକେଟ୍ କଥା ଉଠେ, ସେତେବେଳେ ରାହୁଲ ଦ୍ରାବିଡଙ୍କ ନାଁ ସବୁଠାରୁ ପ୍ରଥମେ ଆସେ। ‘ଦି ଵାଲ୍’ ଆଖ୍ୟା ହାସଲ କରିଥିବା ଦ୍ରାବିଡ଼ ମଧ୍ୟ ଦିବା-ରାତ୍ର ଟେଷ୍ଟ୍ ପ୍ରେମରେ ପଡ଼ିଛନ୍ତି। ଇଡେନ୍ ଗାର୍ଡେନ୍ସରେ ଭାରତ-ବାଂଲାଦେଶ ମ୍ୟାଚ୍ ଦେଖିବାକୁ କୋଲକାତା ଆସିଥିବା ଅବସରରେ ଦ୍ରାବିଡ଼ଙ୍କୁ ଯେତେବେଳେ ଗୋଲାପି ବଲ୍ ଟେଷ୍ଟ୍‌କୁ ନେଇ ମତାମତ ମଗାଯାଇଥିଲା, ନିଶ୍ଚିତ ଭାବେ ଏଭଳି ଏକ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ସେ ପସନ୍ଦ କରିବେ ବୋଲି ଦ୍ରାବିଡ଼ କହିଥିଲେ। ଶୁକ୍ରବାର ପ୍ରଥମ ଦିନରେ ଇଡେନ୍‌ରେ ପାଖାପାଖି ୬୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଏଠାକୁ ଆସି ମୁଁ ବହୁତ ଖୁସି, ଏହା ମୋର ଅନେକ ପୁରୁଣା ସ୍ମୃତିକୁ ମନେପକାଇ ଦେଇଛି। ଯେତେବେଳେ ଆପଣଙ୍କ ସାମ୍ନାରେ ୪୫ରୁ ୫୦ ହଜାର ଦର୍ଶକ ଥିବେ, ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗିବ। ଏଠାରେ ବହୁତ ଭଲ ପରିବେଶ ରହିଛି ଏବଂ ବହୁତ ଅଧିକ ଲୋକ ଅଛନ୍ତି। ଏହାଠୁ ଏଧିକ କଣ ଦରକାର? ଆଶାକରୁଛି ଆମେ ଏଭଳି ମ୍ୟାଚ୍ ଆୟୋଜନ ଜାରି ରଖିବା ବୋଲି କହିଛନ୍ତି ଦ୍ରାବିଡ଼। ଯଦି ଆପଣଙ୍କ ସମୟରେ ଦିବା-ରାତ୍ର ଟେଷ୍ଟ୍ ଖେଳାଯାଇଥାନ୍ତା ଆପଣ କ’ଣ କରିଥାନ୍ତେ ବୋଲି ପ୍ରଶ୍ନର ଉତ୍ତର ରଖି ଦ୍ରାବିଡ଼ କହିଛନ୍ତି ଯେ ମୁଁ ଏହା ଖେଳିବାକୁ ପସନ୍ଦ କରିଥାନ୍ତି। ମୁଁ ସବୁବେଳେ ୪୦ରୁ ୫୦ ହଜାର ଲୋକଙ୍କ ସାମ୍ନାରେ ଖେଳିବାକୁ ଚାହିଁଛି। ଆମେ ୨୦୦୧ରେ ଯେତେବେଳେ ଇଡେନ୍‌ରେ ଖେଳିଥିଲୁ, ପାଖାପାଖି ୧ ଲକ୍ଷ ଲୋକ ଉପସ୍ଥିତ ଥିଲେ, ଏଥିରେ ଆମକୁ ବହୁତ ମଜା ଆସିଥିଲା। ଦ୍ରାବିଡ ଭାରତ ପାଇଁ ୧୬୪ ଟେଷ୍ଟ୍ ମ୍ୟାଚ୍ ଖେଳି ୧୩,୨୮୮ ରନ୍ (୩୬ ଶତକ, ୫ ଦ୍ବିଶତକ, ୬୩ ଅର୍ଧଶତକ) କରିଥିବା ବେଳେ ୩୪୪ ଦିନକିଆରୁ ୧୦,୮୮୯ ରନ୍‌ (୧୨ ଶତକ, ୮୩ ଅର୍ଧଶତକ) କରିଛନ୍ତି। ଦ୍ରାବିଡ଼ ବର୍ତ୍ତମାନ ଭାରତ-ଏ ଓ ୧୯ ବର୍ଷରୁ କମ୍ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ସହ ଜାତୀୟ କ୍ରିକେଟ୍‌ ଏକାଡେମିର ମୁଖ୍ୟ ଭାବେ ଦାୟିତ୍ବରେ ଅଛନ୍ତି।