ମୁଁ ସବୁ ଚେଷ୍ଟା କରିଥିଲି, ବ୍ୟାଟିଂକ୍ରମ କିନ୍ତୁ ଜାମ୍‌ ଥିଲା: ବଦ୍ରିନାଥ

ନୂଆଦିଲ୍ଲୀ: ସୁବ୍ରମଣ୍ୟମ ବଦ୍ରିନାଥଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ କାଣ୍ଟଛାଣ୍ଟ ରହିଥିବାରୁ ତାଙ୍କ ମନରେ ଅନୁତାପ ରହିବା ସ୍ବାଭାବିକ। ୨୦୦୮ରୁ ୨୦୧୧ ମସିହା ମଧ୍ୟରେ ବଦ୍ରିନାଥ ଭାରତ ପାଇଁ ମାତ୍ର ୧୦ ମ୍ୟାଚ୍‌ ଖେଳିଥିଲେ। ଏହା ମଧ୍ୟରେ ୨ ଟେଷ୍ଟ, ୭ ଦିନିକିଆ ଏବଂ ଗୋଟିଏ ଟି-୨୦ ସାମିଲ ରହିଛି। ଏକମାତ୍ର ଟି-୨୦ରେ ସେ ମ୍ୟାଚ୍‌ ବିଜୟୀ ୪୩ ରନ୍ ମଧ୍ୟ କରିଥିଲେ। କିନ୍ତୁ ଘରୋଇ କ୍ରିକେଟର୍‌ ଅନ୍ୟତମ ବଡ଼ ଖେଳାଳି ଅମୋଲ ମଜୁମଦାରଙ୍କ ଭଳି ବଦ୍ରିନାଥ ବି ଅନେକ ଥର ଅନୁତାପ କରିଥା’ନ୍ତି। ଭାରତୀୟ ଦଳର ନିୟମିତ ସଦସ୍ୟ ‌ହୋଇନପାରିବାର ଦୁଃଖ ଏହି ତାମିଲନାଡୁ କ୍ରିକେଟର୍‌ଙ୍କୁ ସାରା ଜୀବନ ପିଛା କରିବ। ଏପରିକି ଅଲରାଉଣ୍ଡର୍‌ ଅଭାବ ଥିବାବେଳେ ନିଜକୁ ଏହି ସ୍ଥାନରେ ଫିଟ୍‌ କରିପାରିନଥିଲେ। ଯୁବରାଜ ସିଂହ, ସୁରେଶ ରାଇନାଙ୍କ ପରେ କେଦାର ଯାଦବ ଯେଇଁ ଭୂମିକା ତୁଲାଇଥିଲେ ତାଙ୍କ ଭଳି ହେବାର ଢେର ଦକ୍ଷତା ରଖିଥିବାର ବିଶ୍ବାସ ବି କରୁଥିଲେ ବଦ୍ରିନାଥ। ନିଜ ଖେଳ ଜୀବନ ସମ୍ପର୍କରେ ଖୋଲା ଆଲୋଚନା ବେଳେ ବଦ୍ରିନାଥ ମଧ୍ୟ ଏସବୁର କାରଣ ଦର୍ଶାଇଛନ୍ତି।

‘ମୋ ପହଞ୍ଚରେ ଥିବା ସବୁକିଛିକୁ ମୁଁ ଚେଷ୍ଟା କରିଥିଲି। ଭାରତୀୟ ଦଳର ବ୍ୟାଟିଂକ୍ରମ କିନ୍ତୁ ସଚିନ, ରାହୁଲ, ଲକ୍ଷ୍ମଣ, ଗମ୍ଭୀର, ଯୁବରାଜଙ୍କୁ ନେଇ ଜାମ ଥିଲା। ଏହା ପ‌ରେ ବୋଲିଂ ଜରିଆରେ କିଛି କରି ଅଲରାଉଣ୍ଡର୍‌ ସ୍ଥାନ ଦଖଲ କରିବାକୁ ଚେଷ୍ଟା କରିଥିଲେ ଭଲ ‌ହୋଇଥା’ନ୍ତା। ବ୍ୟାଟିଂ ଉପରେ ଏତେ ଏକାଗ୍ରତା ନ ରଖି ଅଲ୍‌ରାଉଣ୍ଡର୍‌ ହେବାକୁ ଚେଷ୍ଟା କରିବାର ଥିଲା। ୬ କିମ୍ବା ୭ ନମ୍ବରରେ ବ୍ୟାଟିଂ କରିବା ସହ ନିଜ ଉପଯୋଗୀ ଅଫସ୍ପିନ୍‌‌‌ ବୋଲିଂ କରିଥିଲେ ମୁଁ ଅଧିକ କିଛି କରିପାରିଥାଆନ୍ତି’ ବୋଲି ବଦ୍ରିନାଥ ପ୍ରକାଶ କରିଛନ୍ତି। ତାମିଲନାଡୁ ପାଇଁ ୧୦,୦୦୦ ରୁ ଅଧିକ ରନ୍‌ ସଂଗ୍ରହ କରିଥିବା ବଦ୍ରିନାଥ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳି ମଧ୍ୟ ନିଜ ଟି-୨୦ ଦକ୍ଷତାରେ ଢେର ଉନ୍ନତି କରିଥିଲେ। ‘ଟି-୨୦ କ୍ରିକେଟ୍‌…ତୁମକୁ ଏଭଳି ଖେଳିବାକୁ ହେବ, ସର୍ବଦା ବଲକୁ ଶୁନ୍ୟକୁ ମାରିବାକୁ ପଡ଼ିବ, ଛକା ହିଟ୍‌ କରିପାରୁଥିବ: ଏହା କିନ୍ତୁ ସତ୍ୟକଥା ନୁହେଁ। ଖେଳର ମୌଳିକ ଦୃଢ଼ ଥିଲେ ଆପଣ ଯେ କୌଣସି ଫର୍ମାଟ ଖେଳିପାରିବେ’ ବୋଲି ବଦ୍ରିନାଥ ପ୍ରକାଶ କରିଥିଲେ। କେନ୍‌ ୱିଲିୟମସନଙ୍କୁ ଆପଣ ଉଦାହରଣ ଭାବେ ନେଇପାରିବେ ଏବଂ ସମାନ ଢଙ୍ଗରେ ମଧ୍ୟ ମାଇକେଲ୍ ହସି ଖେଳିଥା’ନ୍ତି। ମୁଁ ସବୁବେଳେ ଏମାନଙ୍କ ନାମ ନେଇଥାଏ, ଏମାନେ ବଡ଼ ହିଟ୍‌ ଖେଳନ୍ତି ନାହିଁ, କିନ୍ତୁ ଟି-୨୦ କ୍ରିକେଟ୍‌ରେ ବି ସଫଳ ବୋଲି ବଦ୍ରିନାଥ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର