ଇଂଲଣ୍ଡ ବୋଲରଙ୍କ ମାନସିକସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରିଥିଲି: ପନ୍ତ

ବର୍ମିଂହାମ: ୧୪୬ ରନ୍‌ର ଅସାଧାରଣ ପାଳି ଖେଳି ଭାରତୀୟ କ୍ରିକେଟ୍ ଦଳକୁ ଘୋର ସଙ୍କଟରୁ ଉଦ୍ଧାର କରିବା ପରେ ଯୁବ ତାରକା ଋଷଭ ପନ୍ତଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ଭାରତ ମାତ୍ର ୯୮ ରନ୍‌ରେ ୫ ୱିକେଟ୍ ହରାଇ ଶୋଚନୀୟ ସ୍ଥିତିରେ ଥିଲା ବେଳେ ବ୍ୟାଟିଂ କରିବାକୁ ଆସି ପନ୍ତ ନିଜ ପରାକ୍ରମୀ ବ୍ୟାଟିଂର ବଳିଷ୍ଠ ନମୁନା ଦେଖାଇଥିଲେ। ତାଙ୍କ କୀର୍ତ୍ତିମାନଭରା ପାଳି ପାଇଁ ଭାରତ ବର୍ମିଂହାମ ଟେଷ୍ଟ୍‌ର ପ୍ରଥମ ଦିନ ଖେଳ ୩୩୮/୭ର ସମ୍ମାନଜନକ ସ୍କୋରରେ ‌ଶେଷ କରିଥିଲା। ବିରାଟ କୋହଲି ଏବଂ ଚେତେଶ୍ବର ପୂଜାରାଙ୍କ ଭଳି ଅଭିଜ୍ଞ ବ୍ୟାଟର୍‌ ଇଂଲଣ୍ଡ ବୋଲରଙ୍କୁ ସମ୍ମୁଖୀନ ହୋଇ ପାରିନଥିଲା ବେଳେ ପନ୍ତ କିନ୍ତୁ ଅତି ସହଜରେ ସେମାନଙ୍କଠାରୁ ନିଜ ଇଚ୍ଛାରେ ରନ୍ କାଢ଼ୁଥିଲେ। ଶୁକ୍ରବାର ଏହି ସ୍ମରଣୀୟ ସଫଳତାର କାରଣ ଉପରୁ ପରଦା ହଟାଇଛନ୍ତି ପନ୍ତ୍‌। ଏକ ସାକ୍ଷାତକାରରେ ପନ୍ତ କହିଛନ୍ତି ଯେ ଇଂଲିସ୍ ପରିବେଶରେ ଜଣେ ବୋଲର ଯଦି ଫୁଲ୍ ଲେନ୍ଥ ବଲ୍ ପକାଏ, ତାହେଲେ ତାଙ୍କ ମାନସିକ ସ୍ଥିତିକୁ ବିଗାଡ଼ିବା ଏକାନ୍ତ ଅପରିହାର୍ଯ୍ୟ ହୋଇଥାଏ।

ମୁଁ ଠିକ୍ ଏହା ହିଁ କରିଥିଲି। ଗୋଟିଏ ଦିଗକୁ ସଟ୍ ଖେଳିବା ପରିବର୍ତ୍ତେ ନିଜ ବ୍ୟାଟିଂରେ ବିବିଧିତା ଭରିଥିଲି। ପଡ଼ିଆର ସବୁ ଦିଗକୁ ସଟ୍ ଖେଳିଥିଲି। କ୍ରିଜ୍‌କୁ ଭଲ ଭାବରେ ଉପଯୋଗ କରି ମୁଁ କେତେବେଳେ ବ୍ୟାକ୍‌ ଫୁଟ୍‌ ତ ଆଉ କେତେବେଳେ ଫ୍ରଣ୍ଟ୍ ଫୁଟ୍‌କୁ ଯାଇ ସଟ୍ ମାରୁଥିଲି। ଅବଶ୍ୟ ଏଥିନେଇ ମୁଁ କୌଣସି ପ୍ରାକ୍ ଯୋଜନା କରି ନଥିଲି। ମୁଁ କେବଳ ବୋଲର କ’ଣ କରୁଛି, ତାକୁ ଠଉରାଇବା ଊପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲି। ତେବେ ଭଲ ବଲ୍‌କୁ ସମ୍ମାନ ଦେବାକୁ ଭୁଲି ନଥିଲି। ରକ୍ଷଣାତ୍ମକ ବ୍ୟାଟିଂର କଳା କୌଶଳକୁ ଆହୁରି ଶାଣିତ କରିବା ଲାଗି ମୁଁ କଠିନ ପରିଶ୍ରମ କରି ଆସୁଛି। ମୋ ପିଲାବେଳର ପ୍ରଶିକ୍ଷକ ତାରକ ସିହ୍ନା ସାର୍ ଥରେ ମୋ‌ତେ କହିଥିଲେ ଯେ ତୁମେ ବୋଲରଙ୍କୁ ଆକ୍ରମଣ କଲେ କିଛି ଯାଏ ଆସେ ନାହିଁ। ହେଲେ ତା ସହ ଆବଶ୍ୟକ ସ୍ଥଳେ ରକ୍ଷଣାତ୍ମକ ବ୍ୟାଟିଂ କରିବାକୁ ମଧ୍ୟ କେବେ ବି ପଛୁଘୁଞ୍ଚା ଦେବନି। ଏହି ପାଳି ମୁଁ ତାଙ୍କ ପରାମର୍ଶକୁ ହିଁ କାମରେ ଲଗାଇ ସଫଳ ହୋଇଥିଲି ବୋଲି ପନ୍ତ୍‌ କହିଛନ୍ତି।

ସମ୍ବନ୍ଧିତ ଖବର