ଲଣ୍ଡନ୍‌: ଶୁବମନ ଗିଲ୍‌ଙ୍କ ପୂର୍ବରୁ ବିସିସିଆଇ ଚାହୁଥିଲା ଅଗ୍ରଣୀ ପେସ୍ ବୋଲର୍ ଯଶପ୍ରୀତ୍ ବୁମରା ଟେଷ୍ଟ୍ ଦଳର ନିୟମିତ ଅଧିନାୟକ ହୁଅନ୍ତୁ। କିନ୍ତୁ ବୁମ୍‌ରା ଏହି ପ୍ରସ୍ତାବକୁ ନିଜ ଆଡ଼ୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଫିଟ୍‌ନେସ୍‌ ଉପରେ ଗୁରୁତ୍ବ ଦେବା ଓ ପ୍ରଦର୍ଶନରେ ସ୍ଥିରତା ଆଣିବା ଲକ୍ଷ୍ୟରେ ସେ ଏଭଳି ପ୍ରତ୍ୟାଖ୍ୟାନ କରିଥିବା ସ୍ବୀକାର କରିଛନ୍ତି। ପୂର୍ବତନ କ୍ରିକେଟର୍‌ ଦିନେଶ କାର୍ତ୍ତିକଙ୍କ ସହ ଏକ ଆଲୋଚନା ବେଳେ ବୁମରା କହିଥିଲେ, ଟେଷ୍ଟ୍ ଅଧିନାୟକତ୍ବ ପ୍ରସ୍ତାବକୁ ମନା କରିବା କଠୋର ନିଷ୍ପତ୍ତି ଥିଲା। ବିସିସିଆଇ ଚୟନକର୍ତ୍ତାଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ‌ ହୋଇଯାଇଥିଲା। ମୋ ପାଇଁ କାର୍ଯ୍ୟଭାର ପରିଚାଳନା ପ୍ରାଥମିକତା ଥିଲା। ମୁଁ କେବେ ଦଳ ପାଇଁ ସବୁ ମ୍ୟାଚ୍‌ ଖେଳିପାରିବି ନାହିଁ, ଯାହାକି ଦଳ ପ୍ରତି ଅନ୍ୟାୟ ହେବ। ବିରାଟ ଓ ରୋହିତ ଅବସର ନେବା ପୂର୍ବରୁ ମୁଁ ଏକଥା ଆଇପିଏଲ୍‌ ସମୟରେ ବିସିସିଆଇକୁ କହି ଦେଇଥିଲି। ଭବି‌‌‌‌‌ଷ୍ୟତ ଯୋଜନା ସହିତ ମୋ କାର୍ଯ୍ୟଭାର ପରିଚାଳନା ବି ଗୁରୁତ୍ବପୂର୍ଣ୍ଣ। ନିକଟ ଅତୀତରେ ବୁମ୍‌ରା ଏକାଧିକ ଥର ଆହତ କାରଣରୁ ଦଳଠାରୁ ଦୂରେଇ ରହିଥିଲେ। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ରେ ନେତୃତ୍ବ ନେଉଥିଲେ ମଧ୍ୟ ମ୍ୟାଚ୍‌ ଅଧାରୁ ପଡ଼ିଆ ବାହାରକୁ ଚାଲି ଆସିଥିଲେ। ଗତ ଚାମ୍ପିଅନ୍ସ ଟ୍ରଫିରେ ବି ସେ ଖେଳିପାରି ନଥିଲେ। ‘ବିସିସିଆଇ ମୋତେ ନେତୃତ୍ବ ଭୂମିକା ଦେବାକୁ ଚାହୁଥିଲା, ମୁଁ ମନା କରି ଦେଲି। କିଛି ମ୍ୟାଚ୍‌ ଖେଳି ଦଳ ଛାଡ଼ି ପଳାଇବା ଠିକ୍ କଥା ନୁହେଁ। କାରଣ ମୁଁ ଦଳକୁ ପ୍ରଥମେ ରଖିଥାଏ’ ବୋଲି ସେ କହିଥିଲେ। ଦଳ ପ୍ରତି ବୁମ୍‌ରାଙ୍କ ପ୍ରତିବଦ୍ଧତା ଏହାଦ୍ବାରା ପ୍ରମାଣିତ ହୋଇଛି।

Advertisment

ମୁଁ ବି ଶୁଣିଛି, ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ରୁ ତିନିଟି ଟେଷ୍ଟ୍ ଖେଳିବି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି କଥା ଘୋଷଣା କରିସାରିଛନ୍ତି। ମଝିରେ ମଝିରେ ବିଶ୍ରାମ ନେଇ ଖେଳିବା ଯୋଜନା ହୋଇଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁମ୍‌ରା ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ଟେଷ୍ଟ୍ ଖେଳିବେ। ୩୧ ବର୍ଷୀୟ ବୁମ୍‌ରା କିନ୍ତୁ ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଅଗ୍ରଣୀ ୱିକେଟ୍ (୩୨) ହାସଲକାରୀ ଥିଲେ। କିନ୍ତୁ ଇଂଲଣ୍ଡ ଗସ୍ତରେ ଯଦି କୌଣସି ମ୍ୟାଚ୍‌ ନିଶ୍ଚିତ ବିଜୟ ସ୍ଥିତି ସୃଷ୍ଟି କରେ ତେବେ ବୁମରାଙ୍କ ୩ ମ୍ୟାଚ୍‌ ଯୋଜନାକୁ ବି ପରିବର୍ତ୍ତନ କରାଯାଇପାରେ ବୋଲି ବିଶ୍ବାସ କରାଯାଉଛି। ଏଭଳି ଆଶା ବି ରଖିଛନ୍ତି ଦିନେଶ କାର୍ତ୍ତିକ ଓ ମାଇକ୍ ଆଥରଟନ୍‌। ସୂଚନାଯୋଗ୍ୟ, ବୁମ୍‌ରାଙ୍କ ଇଂଲଣ୍ଡ ରେକର୍ଡ ଭଲ ରହିଛି। ସେଠାରେ ବୁମ୍‌ରା ୯ ଟେଷ୍ଟ୍ ଖେଳି ୨୬.୨୭ ହାରାହାରିରେ ୩୭ ୱିକେଟ୍ ଅକ୍ତିଆର କରିଛନ୍ତି।