ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ ଅଧିନାୟକତ୍ବ କରୁଛନ୍ତି ଧୋନି। ତେବେ କ୍ରିକେଟରୁ ପୂର୍ଣ୍ଣ ଅବସର ନେବା ପରେ ଧୋନି କ’ଣ କରିବେ, ଏନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଏବେ ଏହାର ଉତ୍ତର ଏକ ଭାଇରାଲ ଭିଡିଓରୁ ମିଳିଛି।

Advertisment

ଭିଡିଓଟି ପୁରୁଣା ହୋଇଥିବା ବେଳେ ଏଥିରେ ଧୋନି ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ପ୍ରଶଂସକ ଧୋନିଙ୍କୁ କ୍ରିକେଟ୍ ବ୍ୟତୀତ ତାଙ୍କ ଲକ୍ଷ୍ୟ କ’ଣ ବୋଲି ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ, "ମୁଁ ଏହା ବିଷୟରେ କେବେ ଚିନ୍ତା କରି ନାହିଁ। ମୁଁ ଏବେ କ୍ରିକେଟ୍ ଖେଳୁଛି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମୁଁ ଆଇପିଏଲ ଖେଳୁଛି। କ୍ରିକେଟ୍ ପରେ ମୁଁ କ’ଣ କରିବି ଜାଣି ନାହିଁ। ହେଲେ ଆମ ଯବାନମାନଙ୍କ ସହ ନିଶ୍ଚତ ଭାବେ କିଛି ସମୟ ବିତାଇବାକୁ ପସନ୍ଦ କରିବି।"