‘ପ୍ରଥମ ବଲ୍‌ରେ ଭଗବାନଙ୍କୁ ଆଉଟ୍ କରିବାକୁ ଚାହୁଥିଲି, ଏହା ଘଟି ବି ଥିଲା’

ମୁମ୍ବାଇ: ୨୦୦୩ ବିଶ୍ବକପ୍‌ରେ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ୍‌ ଅଖ୍‌ତରଙ୍କ ବୋଲିଂରେ ସଚିନ୍‌ ତେନ୍ଦୁଲକର ମାରିଥିବା ଛକାକୁ ସଂଖ୍ୟାଧିକ ଭାରତୀୟ ଏବେ ବି ମନେ ରଖିଛନ୍ତି। ସେହି ମୁହୂର୍ତ୍ତକୁ ମଧ୍ୟ ନିଜେ ଅଖତର ଭୁଲି ପାରୁନାହାଁନ୍ତି। ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ଙ୍କ ଭଳି ଖେଳାଳିଙ୍କ ଦ୍ବାରା ମରାଯାଇଥିବା ସେହି ସ୍ମରଣୀୟ ଛକା ଅଧିକାଂଶ ଭୁଲିଯିବା ଉଚିତ ବୋଲି ଅଖ୍‌ତର କହିଛନ୍ତି। ଅଖ୍‌ତର ସେହି ସ୍ମରଣୀୟ ଛକା ମୁହୂର୍ତ୍ତ ସାଙ୍ଗକୁ ସଚିନ୍‌ଙ୍କୁ ପ୍ରଥମ ଥର ଭେଟିଥିବା ବେଳର ଘଟଣାକୁ ମନେ ପକାଇଛନ୍ତି। ସଚିନ୍‌ ତେନ୍ଦୁଲକର ଓ ସୋଏବ୍‌ ଅଖ୍‌ତର ଉଭୟ ସେମାନଙ୍କ ଜାଜୁଲ୍ୟମୟ କ୍ୟାରିୟର ସାରା ଅସଂଖ୍ୟ ଥର ମୁହାଁମୁହିଁ ହୋଇଥିଲେ। ସେତେବେଳେ ସଚିନ୍‌ ତାଙ୍କ ଯୁଗର ଜଣେ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଥିଲେ। ତାଙ୍କ ନାମରେ ଅସଂଖ୍ୟ କୀର୍ତ୍ତିମାନ ମଧ୍ୟ କରିନେଇଥିଲେ। ଅନ୍ୟପକ୍ଷରେ ଅଖତର ମଧ୍ୟ ‌ତାଙ୍କ ସମୟର ଜଣେ ଭୟସଂଚାରକାରୀ ଦ୍ରୁତ ବୋଲର ଥିଲେ। ଯିଏକି ବୋଲିଂରେ ପୂର୍ବର ସମସ୍ତ ଗତି କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ସେଥିପାଇଁ ତାଙ୍କୁ ମଧ୍ୟ ‘ରାୱଲପିଣ୍ଡି ଏକ୍ସପ୍ରେସ୍‌’ ଭାବେ ପରିଗଣିତ କରାଯାଉଥିଲା। ତେଣୁ କ୍ରିକେଟ୍‌ ପଡ଼ିଆରେ ଉଭୟଙ୍କ ଲଢ଼େଇ ସବୁବେଳେ ସେମାନଙ୍କ ଦକ୍ଷତାର ପରୀକ୍ଷା ଭାବେ ବିବେଚନା କରାଯାଏ। ଏଭଳି ସମୟ ଥିଲା ଯେତେବେଳେ ଅଖ୍‌ତର ବୋଲିଂର ଶୀର୍ଷରେ ପହଞ୍ଚିଥିଲେ ସେତେବେଳେ ବି ଅନ୍ୟପକ୍ଷରେ ସଚିନ୍‌ ତାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରୁଥିଲେ।

ଉଭୟଙ୍କ ପ୍ରଥମ ଦେଖା କିନ୍ତୁ କୋଲ୍‌କାତାରେ ହୋଇଥିଲା। ଆଉ ସେତେବେଳର କଥାକୁ ମନେ ପକାଇଛନ୍ତି ଅଖ୍‌ତର। ମୁଁ ସେତେବେଳେ ସର୍ବକନିଷ୍ଠ ଖେଳାଳି ଭାବେ ପାକିସ୍ତାନ ଦଳରେ ପ୍ରବେଶ କରିଥିଲି। ମୋ କ୍ୟ‌ାରିୟରରେ ପ୍ରଥମ ଥର ପାଇଁ ସଚିନ୍‌ଙ୍କୁ ୧୯୯୯ରେ କୋଲ୍‌କାତା ଟେଷ୍ଟ୍‌ ଅବସରରେ ବୋଲିଂ କରିଥିଲି। ସେତେବେଳେ ମୁଁ ଶୁଣିଥିଲି, ସଚିନ୍‌ ଭଗବାନ ଥିଲେ। ତେଣୁ ମୁଁ କହିଲି ଇଏ ଭଗବାନ? ୟାଙ୍କ ଅବସ୍ଥା ନିଶ୍ଚିତ ଖରାପ କରିଦେବି। ସଚିନଙ୍କୁ ପ୍ରଥମ ବଲ୍‌ରେ ଆଉଟ୍‌ କରିବି ବୋଲି ଚାହିଁଥିଲି ଏବଂ ତାହା ହିଁ ହେଲା ବୋଲି ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲ ଏଆର୍‌ୱାଇ ନ୍ୟୁଜ୍‌କୁ ଶନିବାର ଏକ ସାକ୍ଷାତକାର ଅବସରରେ ସ୍ମୃତିଚାରଣ କରିଛନ୍ତି ଅଖ୍‌ତର। ଏଠାରେ ସୂଚନା‌ଯୋଗ୍ୟ, ବିବାଦୀୟ ବିବୃତ୍ତି ଦେବାରେ ଅଖ୍‌ତର ବେଶ୍‌ ଜଣାଶୁଣା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସ୍ଥଗିତ ରହିବା ନେଇ ବିସିସିଆଇକୁ ସମାଲୋଚନା କରିବା ଏବଂ ମଙ୍କିଗେଟ୍‌ ବିବାଦ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ଅଖ୍‌ତର। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡ୍‌ସଙ୍କୁ ଆକ୍ଷେପ କରିଥିବା ହରଭଜନ ସିଂହଙ୍କୁ ରକ୍ଷା କରିବା ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଏହା ପ୍ରଭାବ ଥିଲା ବୋଲି ଅଖ୍‌ତର ସଂକେତ ଦେଇଛନ୍ତି। ବେଳେବେଳେ ସେମାନେ ମେଲ୍‌ବର୍ନରେ ସହଜ ୱିକେଟ୍‌ ଅକ୍ତିଆର କରୁଥିଲେ। ଯେତେବେଳେ କେହି ଜଣେ ଅନ୍ୟ ଜଣଙ୍କୁ ମାଙ୍କଡ଼ କହିବା ସତ୍ତ୍ବେ ବର୍ତିଗଲେ। ଏପରିକି ସେହି ଘଟଣାକୁ ନେଇ ଶୃଙ୍ଖଳାରୁ ଓହରିଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ମୁଁ ଅଷ୍ଟ୍ରେଲୀୟମାନଙ୍କୁ ପଚାରୁଛି ସେମାନଙ୍କ ନୈତିକତା କୁଆଡ଼େ ଗଲା? ବୋଲି ଅଖ୍‌ତର କହିଛନ୍ତି।

ସମ୍ବନ୍ଧିତ ଖବର