କୋଲକାତା: ଐତିହାସିକ ଲର୍ଡସ ଗ୍ରାଉଣ୍ଡ୍ରେ ଶନିବାର ରାତିରେ ଇଂଲଣ୍ଡକୁ ହରାଇ ଭାରତୀୟ ମହିଳା ଦଳ ପ୍ରଥମ ଥର ୩-୦ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ଏହି ଐତିହାସିକ ସଫଳତାର ଆଲୋଚନାଠାରୁ କିନ୍ତୁ ଦୀପ୍ତି ଶର୍ମାଙ୍କ ଦ୍ବାରା ହୋଇଥିବା ଘଟିଥିବା ମଙ୍କଡିଂ ରନ୍ଆଉଟ୍ ଅଧିକ ଚର୍ଚ୍ଚା ଓ ବିତର୍କର ସୂତ୍ରପାତ କରିଛି। ଅନ୍ତିମ ୱିକେଟ୍ରେ ୩୫ ରନ୍ ଭାଗୀଦାରି କରିବା ପରେ ଇଂଲଣ୍ଡର ଚାର୍ଲି ଡିନ୍ଙ୍କୁ ଦୀପ୍ତି ଶର୍ମା ନନ୍ଷ୍ଟ୍ରାଇକିଂ ପାର୍ଶ୍ବରେ ରନ୍ ଆଉଟ୍ କରି ଦେଇଥିଲେ। ବିତର୍କ ଓ ବିରୋଧ ପରେ ଅଫସ୍ପିନ୍ ଅଲ୍ରାଉଣ୍ଡର୍ ଦୀପ୍ତି କହିଛନ୍ତି ‘‘ଏ ରନ୍ ଆଉଟ୍ ଯୋଜନା ମୁତାବକ ଥିଲା। ଏହା କରିବା ପୂର୍ବରୁ ବାରମ୍ବାର ଚାର୍ଲିଙ୍କୁ ମୁଁ ଚେତାବାନୀ ଦେଇଥିଲି, ଅମ୍ପାୟାରଙ୍କୁ ବି ଜଣାଇଥିଲି। ଏହାଠାରୁ ଅଧିକ କିଛି କରାଯାଇପାରିନଥାନ୍ତା। ଚାର୍ଲି ନନ୍ ଷ୍ଟ୍ରାଇକିଂ ପାର୍ଶ୍ବ କ୍ରିଜଠାରୁ ସେ ବହୁ ଦୂରକୁ ଚାଲିଯାଇଥିଲେ’’। ଇଂଲଣ୍ଡର ବହୁ ପୂର୍ବତନ ପୁରୁଷ ଓ ମହିଳା କ୍ରିକେଟର୍ ଏଭଳି ଆଉଟ୍ ସହ ଏକମତ ହୋଇନଥିଲେ ମଧ୍ୟ କ୍ରିକେଟ୍ ନିୟମ ଦୃଷ୍ଟିରୁ କିଛି କରିପାରିନଥିଲେ। ସାମ ବିଲିଙ୍ଗସ, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ୍ ‘କ୍ରିକେଟ୍ ଭାବନା’କୁ ନେଇ ପ୍ରଶ୍ନ ଉଠାଇଥିଲେ ମଧ୍ୟ ଦୀପ୍ତିଙ୍କ ସପକ୍ଷରେ କିନ୍ତୁ ବହୁ କ୍ରିକେଟର୍ ରବିଚନ୍ଦ୍ରନ ଅଶ୍ବିନ, ବୀରେନ୍ଦ୍ର ସେହବାଗ, ୱାସିମ ଜାଫର, ଆଲେକ୍ସ ହେଲ୍ସ ପ୍ରମୁଖ ମୁହଁ ଖୋଲିଛନ୍ତି। ଗତ ସପ୍ତାହରେ ଆଇସିସି ଏହାର କ୍ରିକେଟ୍ ନିୟମ ସଂଶୋଧନ କରିଥିବା ବେଳେ ରନ୍ଆଉଟ୍ ଆଇନ୍ ୩୮ ଅନୁସାରେ ଏହା ଆଉ ଅବୈଧ ନୁହେଁ ବୋଲି ସ୍ପଷ୍ଟ କରିଥିଲା। ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ରେ ଭାଷ୍ୟକାର ଦାୟିତ୍ବ ତୁଲାଉଥିବା ଅଞ୍ଜୁମ ଚୋପ୍ରା କହିଛନ୍ତି ‘ଏଭଳି ରନ୍ ଆଉଟ୍ ଭୁଲ ଥିଲେ ଟିଭି ଅମ୍ପାୟାର୍ ନଟ୍ ଆଉଟ୍ ଦେଇଥାନ୍ତେ। ଏଭଳି ଆଉଟ୍ରେ କିଛି ଦ୍ବନ୍ଦ୍ବ ନାହିଁ।’’ ଝୁଲଣଙ୍କୁ ଚମତ୍କାର ବିଜୟରେ ବିଦାୟ ଦେଇଥିବାରୁ ଦୀପ୍ତି କିନ୍ତୁ ଆତ୍ମସନ୍ତୋଷ ପ୍ରକଟ କରିଥିଲେ। କ୍ରିକେଟ୍ ପ୍ରତି ତାଙ୍କ ତ୍ୟାଗକୁ ଆମେ ଅନୁସରଣ କରିଚାଲିବୁ ବୋଲି ମଧ୍ୟ ଦୀପ୍ତି ପ୍ରକାଶ କରିଥିଲେ।
କପିଳ ଦେବଙ୍କ ଭିନ୍ନ ପରାମର୍ଶ
ବିଶ୍ବକପ୍ ବିଜେତା ଭାରତୀୟ କିବଂଦନ୍ତି କ୍ରିକେଟର୍ କପିଳ ଦେବ ‘କ୍ରିକେଟ୍ ଭାବନା’ ପ୍ରସଙ୍ଗରେ ଭିନ୍ନ ପରାମର୍ଶ ଦେଇଛନ୍ତି। ୩୦ ବର୍ଷ ତଳେ ନିଜେ ଏଭଳି ଆଉଟ୍ କରିଥିବା କପିଳ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଲେଖିଛନ୍ତି ‘ଏଭଳି ପରିସ୍ଥିତିରେ ମୁଁ ଅନୁଭବ କରୁଛି ପ୍ରତିଥର ବିତର୍କ ବଦଳରେ ଏକ ସରଳ ନିୟମ ରହୁ। ସମ୍ପୃକ୍ତ ବ୍ୟାଟର୍ଙ୍କୁ ରନ୍ରୁ ବଞ୍ଚିତ ରଖାଯାଉ। ଏହାକୁ ସର୍ଟ ରନ୍ ନିୟମରେ ଅନ୍ତର୍ଭୁକ୍ତ କରାଯାଉ। ମୋ ମନରେ ଏଭଳି ସମାଧାନ ଆସୁଛି’। ସୂଚନାଯୋଗ୍ୟ, ୧୯୯୨ ମସିହାରେ କପିଳ ଦେବ ନିଜେ ଏଭଳି ମଙ୍କଡିଂ ରନ୍ ଆଉଟ୍ କରିଥିଲେ। ୧୯୯୨-୯୩ ଗସ୍ତରେ ପୋର୍ଟ ଏଲିଜାବେଥ୍ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆରେ ପିଟର୍ କର୍ଷ୍ଟନଙ୍କୁ ପ୍ରଥମେ କପିଳ ଦେବ ନନ୍ଷ୍ଟ୍ରାଇକର ପାର୍ଶ୍ବରେ ରନ୍ ଆଉଟ୍ ନ କରି ଛାଡ଼ିଦେଇଥିଲେ। ତେବେ ଦ୍ବିତୀୟ ଥର ପିଟର୍ କର୍ଷ୍ଟେନ୍ ସମାନ ପ୍ରୟାସ କରୁଥିବା ବେଳେ କପିଳ ଦେବ ତାଙ୍କୁ ମଙ୍କଡିଂ ରନ୍ ଆଉଟ୍ କରିଦେଇଥିଲେ।
ବିତର୍କିତ ରନ୍ ଆଉଟ୍ ଅପରାଧ ନୁହେଁ: ହର୍ମନପ୍ରୀତ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆର ବିତର୍କିତ ରନ୍ ଆଉଟ୍ ଏକ ଅପରାଧ ନୁହେଁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ କୌର। ନନ୍ ଷ୍ଟ୍ରାଇକର୍ ପଟେ ଥିବା ଚାର୍ଲି ଡିଅନ୍ଙ୍କୁ ମଙ୍କଡିଂ ଆଉଟ୍ କରି ପ୍ୟାଭିଲିଅନ୍ ପଠାଇଥିବା ଦୀପ୍ତି ଶର୍ମାଙ୍କୁ ପୂରା ସମର୍ଥନ ଦେଇଛନ୍ତି ସେ। ‘ଆଜି ଯାହାସବୁ କରିଛୁ ମୁଁ ଭାବୁନି ତାହା ଅପରାଧ। ଏହା ଖେଳର ଏକ ଅଂଶ ଏବଂ ଆଇସିସିର ନିୟମ। ଏହି ସମୟରେ ଭାବୁଛି ଆମ ଖେଳାଳିଙ୍କୁ ସମର୍ଥନ କରିବି। ମୁଁ ବହୁତ ଖୁସି ଯେ ସେ (ଦୀପ୍ତି) ଏହା ଉପରେ ସଚେତନ ଥିଲେ। ମୁଁ କାହିଁ ଭାବୁନି ସେ ଭୁଲ୍ କରିଛନ୍ତି।’ ବୋଲି ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ହର୍ମନପ୍ରୀତ୍।