ନୂଆଦିଲ୍ଲୀ: ଭାରତୀୟ ଫୁଟ୍ବଲ୍ ଦୁନିଆର ଅନ୍ୟତମ ମହାନ ଖେଳାଳି ସୁନିଲ ଛେତ୍ରୀ ତାଙ୍କ ଖେଳ ଜୀବନର ଆଦ୍ୟାବସ୍ଥାରେ ଚାପକୁ ମୁକାବିଲା କରିନପାରି କାନ୍ଦି ପକାଉଥିଲେ। ଏପରିକି ଫୁଟ୍ବଲ୍ ଖେଳକୁ ଛାଡ଼ିଦେବା କଥା ଚିନ୍ତା କରୁଥିଲେ। କିନ୍ତୁ ଆର୍ମିରେ କାମ କରୁଥିବା ପିତାଙ୍କ ସହାୟତାରୁ ଏହି ଆହ୍ବାନକୁ ଅତିକ୍ରମ କରିବାରେ ସଫଳ ହୋଇଥିଲେ। ନିଜ ଖେଳ ଜୀବନ ସମ୍ପର୍କରେ ଏଭଳି କଥା କହିଛନ୍ତି ଛେତ୍ରୀ।
ମାତ୍ର ୧୭ ବର୍ଷ ବୟସରେ ସୁନିଲ ଛେତ୍ରୀ କୋଲକାତାର ଅଗ୍ରଣୀ କ୍ଲବ୍ ମୋହନ ବାଗାନ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ପ୍ରଥମ ବର୍ଷ ମୁଁ ୨୦/୩୦ ମିନିଟ୍ ଖେଳୁଥିବାରୁ ଠିକ୍ ଥିଲା। ଲୋକମାନେ ମୋତେ ବାଇଚୁଙ୍ଗ ଭୂତିଆଙ୍କ ସହ ତୁଳନା କରୁଥିଲେ। କୋଲକାତାରେ କିନ୍ତୁ ଫୁଟ୍ବଲ୍ ତୁମକୁ ତୁରନ୍ତ ଶିଖାଇଦିଏ। ପରାଜୟ ମୁହାଁ ହେଲେ ପ୍ରଶଂସକମାନେ ଶତ୍ରୁ ପାଲଟିଯାଆନ୍ତି, କୋଲକାତାରେ ପରାଜୟ ପାଇଁ କୌଣସି ସ୍ଥାନ ନ ଥାଏ। ତେଣୁ ଚାପ ଏତେ ଥିଲା ଯେ ମୁଁ ବେଳେବେଳେ କାନ୍ଦି ପକାଏ ଏବଂ ଖେଳ ଛାଡ଼ିଦେବା କଥା ଚିନ୍ତା କରୁଥିଲି। ବାପାଙ୍କୁ ଡାକି କହି ଦେଉଥିଲି ମୋ ଦ୍ବାରା ଏହା ଆଉ ହେବ ନାହିଁ'। କିନ୍ତୁ ପିତାଙ୍କ ସମର୍ଥନ କାରଣରୁ ମୁଁ ପେସାଦାର ଫୁଟ୍ବଲର୍ ହୋଇପାରିଛି ବୋଲି କହିଥିଲେ ୩୫ ବର୍ଷୀୟ ଛେତ୍ରୀ।
ପିତାମାତା ଫୁଟ୍ବଲ୍ର ଥିବାରୁ ମୋତେ ଏତେ ସମର୍ଥନ ମିଳିଥିଲା। ପିତା ଆର୍ମି ଦଳରୁ ଖେଳିଥିଲେ, ମା' ନେପାଳ ଜାତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ମୋ ପାଇଁ ଏହା ସହଜ ହୋଇଥିଲା। ମା କିନ୍ତୁ ଘରେ ମୋର ବଡ଼ ପ୍ରତିଦ୍ବନ୍ଦ୍ବୀ ଥିଲେ। ମୁଁ ତାଙ୍କୁ ଚାଇନିଜ୍ ଚକ୍କର, ଚେସ୍, କ୍ୟାରମ୍, ଭଲିବଲ୍, ବ୍ୟାଡ୍ମିଣ୍ଟନ୍, ଫୁଟ୍ବଲ୍ ଓ କୁସ୍ତିରେ ହରାଇବାକୁ ଚେଷ୍ଟା କରୁଥିଲି ବୋଲି ଛେତ୍ରୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୫ରେ ପାକିସ୍ତାନ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଛେତ୍ରୀ ବର୍ତମାନ ବିଶ୍ବର ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ଅଛନ୍ତି। ଆଗରେ କେବଳ ପର୍ତ୍ତୁଗିଜ୍ ସୁପରଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି।