ସୁପର ଓଭର ପୂର୍ବରୁ ଅସନ୍ତୁଷ୍ଟ ଓ କ୍ଷୁବ୍ଧ ଥିଲି: ଗେଲ୍

ଦୁବାଇ: ରବିବାରର ଉତ୍କଣ୍ଠାଭରା ଡବଲ୍ ସୁପରଓଭର ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ନାଟକୀୟ ଢଙ୍ଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ରୋହିତ ଶର୍ମା ଓ କ୍ବିଣ୍ଟନ୍ ଡି’କକ୍‌ଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ସାମ୍ନାରେ ମହମ୍ମଦ ସାମି ମାତ୍ର ୫ ରନ୍ ଡିଫେଣ୍ଡ କରିବା ପରେ ଦ୍ବିତୀୟ ସୁପର ଓଭରରେ କ୍ରିସ୍ ଗେଲ ଓ ମୟଙ୍କ ଅଗ୍ରୱାଲ ପଞ୍ଜାବକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଦ୍ବିତୀୟ ସୁପର ଓଭର ପାଇଁ ବ୍ୟାଟିଂକୁ ଯିବା ପୂର୍ବରୁ ମନରେ କିଭଳି ଭାବନା ଥିଲା ବୋଲି ମ୍ୟାଚ୍‌ ପରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଗେଲ୍ କହିଥିଲେ ଯେ ଦୃଢ଼ ସ୍ଥିତିରେ ଥାଇ ନିର୍ଧାରିତ ଓଭରରେ ଆମେ ମ୍ୟାଚ୍ ଜିତି ନ ପାରିବା ନେଇ ମୁଁ ଟିକିଏ କ୍ଷୁବ୍ଧ ଥିଲା। ମନରେ କ୍ରୋଧ ମଧ୍ୟ ଜାଗ୍ରତ ହୋଇଥିଲା। ତେବେ ଶେଷରେ ମ୍ୟାଚ୍ ଜିତି ପାରି ଥିବାରୁ ମୁଁ ଖୁସୀ ଅଛି। ବ୍ୟାଟିଂ କରିବାକୁ ଗଲା ବେଳେ ମୟଙ୍କ ମୋତେ ପଚାରିଥିଲେ ପ୍ରଥମ ବଲ୍‌ର ସମ୍ମୁଖୀନ କିଏ ହେବ? ମୁଁ କହିଥିଲି ମୟଙ୍କ ତୁମେ ଏଭଳି ପ୍ରଶ୍ନ କରି ପାରୁଛ। ନିର୍ଦ୍ବନ୍ଦ୍ବରେ ବସ୍ (ଗେଲ୍ ନିଜେ ନିଜକୁ ୟୁନିଭର୍ସ ବସ୍ ଉପାଧି ଦେଇଛନ୍ତି) ହିଁ କରିବେ। ମୋ ମତରେ ଆମ ବିଜୟର ପ୍ରକୃତ ହିରୋ ମହମ୍ମଦ ସାମି ଥିଲେ। କାରଣ ୧୫-୨୦ ରନ୍ ଡିଫେଣ୍ଡ କରିବା ଅଲଗା କଥା। ୫ ରନ୍‌କୁ ରୋକିବା ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ସାମି ଚମତ୍କାର କାମ କରିଥିଲେ।

ସମ୍ବନ୍ଧିତ ଖବର