‘ହାଡ୍‌ଲି, ବୋଥାମ ଓ ଇମ୍ରାନଙ୍କ ମିଳିତ ଫିଟ୍‌ନେସ୍‌ଠାରୁ ମୋର ଯଥେଷ୍ଟ ଭଲ ଥିଲା’

ନୂଆଦିଲ୍ଲୀ: ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ବକପ୍‌ ବିଜୟ ଦେଇଥିବା ମହାନ କ୍ରିକେଟ୍ ତାରକା କପିଳ ଦେବ ୩୭ ବର୍ଷ ତଳର ସ୍ମୃତି ରୋମନ୍ଥନ କରିଛନ୍ତି। ଜିମ୍ବାୱେ ବିପକ୍ଷ ସାହସିକ ୧୭୫* ରନ୍ ପାଳି ସମ୍ପର୍କରେ ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ଡବ୍ଲୁଭି ରମଣଙ୍କ ସହ ଆଲୋଚନା ବେଳେ ଏହି ପୂର୍ବତନ ଅଧିନାୟକ ତଥା ବିଶ୍ବଶ୍ରେଣୀୟ ଅଲରାଉଣ୍ଡର କହିଥିଲେ ‘ମ୍ୟାଚ୍‌ ଜିତିବା ପାଇଁ ମୁଁ ଜୀବନ ସାରା ପ୍ଲାନ୍ ‘ଏ’ ପ୍ରସ୍ତୁତ ରଖିଥାଏ। କାରଣ ପ୍ଳାନ୍ ‘ବି’ କିମ୍ବା ‘ସି’ ଦୁର୍ବଳତାର ପରିଚୟ ବୋଲି ମୁଁ ଭାବେ।

‘ଯଶପାଲ କହିଥିଲେ ସଭିଏଁ ଅସୁଛନ୍ତି, ଯାଉଛନ୍ତି’
ଜିମ୍ବାୱେ ବିପକ୍ଷ ସେହି ମ୍ୟାଚ୍‌କୁ ମନେ ପକାଇ କପିଳ କହିଥିଲେ ଯେ ଆମେ ଯେତେବେଳେ ୯ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲୁ (ପରେ ୧୭/୫), ଭିତରେ ଭିତରେ ମୁଁ ଭାଙ୍ଗିପଡ଼ିଥିଲି। କିନ୍ତୁ ଏକ ସ୍ଥିର ପୃଷ୍ଠଭୂମିରୁ ଆସିଥିବାରୁ ମୋ ପାଖରେ ସବୁବେଳେ ଲଢ଼ିବା ଚରିତ୍ରଟିଏ ମହଜୁଦ ଥିଲା। ମୁଁ ସେତେବେଳେ ୟାଶ (ଯଶପାଲ୍ ଶର୍ମା)ଙ୍କ ପାଖକୁ ଯାଇ ପ୍ରଶ୍ନ କରିଥିଲି କ’ଣ ଚାଲିଛି?’ ସେ କହିଥିଲେ, ‘ସଭିଏଁ ଆସୁଛନ୍ତି ଓ ଯାଉଛନ୍ତି’। ଅଯଥାରେ କଟ୍‌ ବିହାଇଣ୍ଡ୍ ‌ହୋଇଯାଉଛନ୍ତି। କିଛି ସମୟ ପରେ ସେ ନିଜେ ଆଉଟ୍ ହୋଇଗଲେ ଏବଂ ରୋଜର ବିନ୍ନି ଆସିଥିଲେ। ମୁଁ ତାଙ୍କୁ ରନ୍‌ ସଂଗ୍ରହ ପାଇଁ ନଯାଇ ସମ୍ପୂର୍ଣ୍ଣ ଓଭର ଖେଳିବାକୁ କହିଥିଲି। ଜାଣିଥିଲି ରନ୍‌ ଆପେ ଆପେ ଆସିବ, କିଛି ସମୟ ପରେ ଆମେ ଭଲ ଭାଗୀଦାରି ଗଢ଼ିପାରିଥିଲୁ। ସେହି ଯେଉଁ ପାଳି ମୁଁ ଖେଳିଥିଲି (୧୭୫*, ୧୩୮ ବଲ୍‌, ୧୬ ଚୌକା, ୬ ଛକା) ଏହା ଶେଷ ୭ ଓଭରରେ କିର୍ମାନିଙ୍କ ସହ କରିଥିବା ଭାଗୀଦାରି କାରଣରୁ ସମ୍ଭବ ହୋଇଥିଲା। ଏହା ପୂର୍ବରୁ ଆମେ ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆକୁ ହରାଇ ସାରିଥିବାରୁ ନିଜ ଭାବମୂର୍ତ୍ତି ବଞ୍ଚାଇବା ମନୋଭାବରେ ଥିଲୁ।

ଜୀବନ ସାରା ମୁଁ ପ୍ଲାନ୍‌ ‘ଏ’ରେ ଖେଳିଛି
କ୍ରିକେଟ୍‌ରେ ଆପଣ ଯେତେବେଳେ ଯୋଜନା କରିବେ ସବୁବେଳେ ପ୍ଲାନ୍‌ ‘ଏ’ ରଖିବା ଉଚିତ୍। କାରଣ ପ୍ଲାନ୍ ‘ବି’ ଓ ପ୍ଲାନ୍ ‘ସି’ ଦୁର୍ବଳ ଲୋକଙ୍କ ବିକଳ୍ପ। ଯଦି ମନରେ ଗୋଟିଏ ନିର୍ଦ୍ଦିଷ୍ଟ ଯୋଜନା ଥିବ ସେଥିରେ ଆପଣଙ୍କୁ କ’ଣ କରିବାକୁ ହେବ ଜାଣିଥିଲେ, ଏହା କରିବାକୁ ଆପଣ ବାଧ୍ୟ ହେ‌ବେ। ଜିମ୍ବାୱେ ବିପକ୍ଷ ସେହି ସ୍ମରଣୀୟ ମ୍ୟାଚ୍‌ରେ କିରି (ସୟଦ କିର୍ମାନି)ଙ୍କ ସହ ବ୍ୟାଟିଂ ବେଳେ ସେ କହିଥିଲେ ‘କପିଳ ପା, ଯଦି ରନ୍‌ ଆଉଟ୍ ସୁଯୋଗ ଥିବ ତେବେ ତୁମେ ୱିକେଟ୍‌ ହରାଇବା କଥା ନୁହେଁ’। ଏଭଳି ଦଳୀୟ ଭାବନା କାରଣରୁ ଇତିହାସ ସୃଷ୍ଟି କରିବା ସମ୍ଭବ ହୋଇଥିଲା।

‌ଶ୍ରେଷ୍ଠ ଅଲରାଉଣ୍ଡର୍‌ କିଏ?
କପିଳଙ୍କୁ ଏହି ଅବସରରେ ତାଙ୍କ ସମୟର ଶ୍ରେଷ୍ଠ ଅଲ୍‌ରାଉଣ୍ଡର୍ କିଏ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ରିଚାର୍ଡ ହାଡ୍‌ଲି, ଇମ୍ରାନ୍ ଖାନ୍, ଇଆନ୍ ବୋଥାମ୍ ନା କପିଳ ଦେବଙ୍କ ନାମ ଦିଆଯାଇଥିଲା। କପିଳ କହିଥିଲେ ‘ମୁଁ ନିଶ୍ଚିତ ଇମ୍ରାନ୍ ଖାନଙ୍କ ନାମ ନେବି। ସେ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଥିଲେ। ଆମେ ଦେଖିଥିବା କ୍ରିକେଟର୍‌ଙ୍କ ମଧ୍ୟରେ ସେ ଭାରି ପରିଶ୍ରମୀ। ସେ ଆରମ୍ଭ ବେଳେ ଅତି ମାମୁଲି ଥିଲେ କିନ୍ତୁ ପରିଶ୍ରମରୁ ସଫଳ ଦ୍ରୁତ ବୋଲର ହୋଇଥିଲେ। ନିଜଠାରୁ ନିଜେ ଶିଖୁଥିଲେ। ବ୍ୟାଟିଂ ଉପରେ ମଧ୍ୟ କାମ କରୁଥିଲେ। ପରିସ୍ଥିତି ଅନୁସାରେ ଇଆନ୍ ବୋଥାମ ଜଣେ ଅସଲ ଅଲରାଉଣ୍ଡର୍‌ ଥିଲେ। ହାଡ୍‌ଲିଙ୍କୁ ମୁଁ ଭଲ ବ୍ୟାଟ୍‌ସମ୍ୟାନ୍‌ କହିବି ନାହିଁ। ଇମ୍ରାନ୍ କିନ୍ତୁ ପ୍ରତିପକ୍ଷ ପାଳିକୁ ବୋଲିଂରେ ବିଧ୍ବସ୍ତ କରିପାରନ୍ତି ଏବଂ ନେତୃତ୍ବ ନେବାର ଦକ୍ଷତା ଦେଖାଇଛନ୍ତି। ପାକିସ୍ତାନ ଦଳକୁ ନେତୃତ୍ବ ନେବାର ଆହ୍ବାନକୁ ସେ ଭଲ ଭାବେ ନିୟନ୍ତ୍ରଣ କରିଥିଲେ। ମୁଁ ନିଜକୁ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ବୋଲି କହିବି ନାହିଁ। ହେଲେ ଆମ ଚାରି ଜଣଙ୍କ ମଧ୍ୟରୁ ମୁଁ ସବୁଠାରୁ ଭଲ ଆଥଲେଟ୍ ଥିଲି। ମୋ ଫିଟନେସ୍ ଏମାନଙ୍କଠାରୁ ଯଥେଷ୍ଟ ଭଲ ଥିଲା। ଏପରିକି ଏହି ତିନି ଜଣଙ୍କ ଫିଟ‌୍‌ନେସ୍‌କୁ ମିଶାଇଲେ ମଧ୍ୟ ତା’ଠାରୁ ମୋ ଫିଟ୍‌ନେସ୍ ଭଲ ଥିଲା।

୩୦ ପରେ ଆଉଟ୍‌ ସୁଇଙ୍ଗ୍ କରିବା ସହଜ ନୁହେଁ
ବୟସ ବଢ଼ିବା ସହିତ କପିଳ ଦେବଙ୍କ ଆଉଟ୍ ସୁଇଙ୍ଗ କଳା ତଥା ଦକ୍ଷତା କ୍ରମେ ମଳିନ ପଡ଼ିଯାଇଥିଲା। ଏ ସମ୍ପର୍କରେ ପ୍ରଶ୍ନ ହେବାରୁ କପିଳ କହିଥିଲେ ‘ସମୟକ୍ରମେ ତୁମ ଶରୀର ବି ପରିବର୍ତନ ହୋଇଯାଏ, ଆହତ ସମସ୍ୟା, କାନ୍ଧ, ଆଣ୍ଠୁକୁ ବି ଶରୀର ସହିତ ସାଲିସ୍ କରିବାକୁ ପଡ଼ିଥାଏ। ତୁମେ ଯେତେବେଳେ ୧୮-୨୦ ବର୍ଷ ବୟସର ଯୁବକ ଥିବ, ତୁମ ସ୍ବାଭାବିକ ଦକ୍ଷତା ବାହାରି ଆସିବ। ନବେ ଦଶକ ବେ‌ଳକୁ ମୁଁ ଆଉ ଯୁବାବସ୍ଥାରେ ନ ଥିଲି, କ୍ରିକେଟ୍‌ ଜୀବନର ଭୁଲ୍‌ ପାର୍ଶ୍ବରେ ଥିଲି। ଆଉଟ୍ ସୁଇଙ୍ଗ ସ୍ବାଭାବିକ ଭାବେ କ୍ଷୀଣ ହେବାରେ ଲାଗିଥିଲା। ତେଣୁ କରି ମୁଁ ଆଉଟ୍ ସୁଇଙ୍ଗ ଅପେକ୍ଷା ଇନ୍‌ସୁଇଙ୍ଗ ବଲ୍‌ ଉପରେ କାମ ଆରମ୍ଭ କରି ଦେଇଥିଲି। ଭାବୁଛି ଏବେ ବି ଆଉଟ୍‌ସୁଇଙ୍ଗ ‌ବୋଲିଂ କରିପାରିବି, କିନ୍ତୁ ବୟସ ୩୦ ଟପିଲେ ପରିବର୍ତନ ଆରମ୍ଭ ହୋଇଯାଇଥାଏ। ୧୯୯୧-୯୨ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପୂର୍ବରୁ ମୁଁ ମୋ ବୋଲିଂ ଢଙ୍ଗର ଅନୁଧ୍ୟାନ କରିଥିଲି। ଜାଣିପାରିଥିଲି ମୋ ଅଣବୋଲିଂ ବାହୁ ପଛକୁ ଯିବା ପରିବର୍ତେ ଭିତରକୁ ଯିବା ଆରମ୍ଭ କଲାଣି। ଏହି କାରଣରୁ ଆଉଟ୍ ସୁଇଙ୍ଗ କମି ଯାଉଛି। ବାମବାହୁ ବୋଲିଂ କରୁନଥିଲେ ବି ଏହା ସମାନ ଭାବେ ଦୃଢ଼ ରହିବାର ଆବଶ୍ୟକତା ରଖିଥାଏ। ବାମଟି ଦୁର୍ବଳ ରହିଲେ ଡାହାଣ ବି ଦୁର୍ବଳ ହୋଇଯାଇଥାଏ। ମୁଁ ମୂଳତଃ ଆଉଟ୍ ସୁଇଙ୍ଗର ଥିବାରୁ ଏହା ଉପରେ କାମ କରି ଲୟ ଫେରାଇବାକୁ ଚେଷ୍ଟା କରିଥିଲି। କିନ୍ତୁ ସୁଫଳ ମିଳିନଥିଲା।

ଆଉ ୨୦୦୦ ରନ୍‌ କରିଥା’ନ୍ତି
ମୋତେ ଠିକଣା ଭାବେ ପରାମର୍ଶ ମିଳିଥିଲେ ମୁଁ (୫୨୪୮ ଟେଷ୍ଟ୍‌ ରନ୍‌) ଆଉ ୨୦୦୦ ରନ୍ ଅଧିକ କରିପାରିଥା’ନ୍ତି। ବର୍ତମାନର ପିଢ଼ିକୁ ମିଳୁଥିବା ପରାମର୍ଶ, ଭିଡିଓ ଅନୁଶୀଳନ ଆଦି ଥିଲେ ମୁଁ ନିଶ୍ଚିତ ଏହା କରିପାରିଥା’ନ୍ତି। ବର୍ତମାନର ପିଢ଼ି କ୍ରିକେଟରଙ୍କ ମଧ୍ୟରେ ଏହା ବଡ଼ ସହାୟକ ହେଉଛି। ନିଜ ଭୁଲ୍‌କୁ ସୁଧାରିନେବା ଏବଂ ଆକଳନ କରିବା ବ୍ୟବସ୍ଥା ଯଦି ସେତେବେଳେ ଥାଆନ୍ତା ମଁ ନିଶ୍ଚିତ ଅଧିକ ରନ୍‌ କରିପାରିଥା’ନ୍ତି। ମୁଁ କିନ୍ତୁ ମାନିବି ମୋ ସାଥୀମାନେ ଠିକ୍‌ ଥିଲେ, ମୁଁ ମୋ ଖେଳ ଜୀବନର ସମୀକ୍ଷା କରିନଥିଲି। ନିଜ ଖେଳ ସମ୍ପର୍କରେ ଚିନ୍ତା କରିବାକୁ ସମୟ ବି ନ ଥିଲା। ଖେଳ ଜୀବନ ଶେଷ ଆଡ଼କୁ କପିଳଙ୍କ ଚମକ ଟିକିଏ କମି ଯାଇଥିଲା। ବିଶେଷ କରି ବ୍ୟାଟିଂରେ ସେ ସେଭଳି ଭଲ ପ୍ରଦର୍ଶନ ଦେଇ ପାରୁ ନଥିଲେ। ତେବେ ସଠିକ୍ ପରାମର୍ଶ ଅଭାବ ଏହାର ଅନ୍ୟତମ କାରଣ ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର