ପ୍ରଥମ ଥର ସଚିନଙ୍କୁ ଆଉଟ୍‌ କରିବା ପରେ ଟେଷ୍ଟ୍‌ ମ୍ୟାଚ୍‌କୁ ଡରିନଥିଲି: ବ୍ରେଟ୍‌ ଲି

ନୂଆଦିଲ୍ଲୀ: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ ପ୍ରଥମଥର ଆଉଟ୍‌ କରିବାର ସ୍ମୃତିକୁ ମନେପକାଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍‌ ଲି। ଭାରତ ୧୯୯୯-୨୦୦୦ରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ କାନ୍‌ବେରାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଭାରତ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶରେ ସ୍ଥାନ ପାଇଥିଲେ ବ୍ରେଟ୍‌ ଲି। ଏହି ଅଭ୍ୟାସ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କରିଥିଲେ ଲି। ଏହା ପରେ ସେ ଟେଷ୍ଟ୍‌ ଦଳରେ ସ୍ଥାନ ପାଇଥିଲେ ଏବଂ ଶୃଙ୍ଖଳାରେ ୨ ଟେଷ୍ଟ୍‌ ଖେଳି ସଚିନଙ୍କ ସହ ମୋଟ ୧୩ ୱିକେଟ୍‌ ଅକ୍ତିଆର କରିଥିଲେ। ନିକଟରେ ସେ ଷ୍ଟାର ସ୍ପୋର୍ଟସ୍ ସୋ ‘କ୍ରିକେଟ୍ କନେକ୍ଟେଡ୍‌’ କଥା ହେବାବେଳେ ଏହି ସ୍ମୃତିକୁ ମନେ ପକାଇଥିଲେ। ମୁଁ ଯେତେ‌ବେଳେ ଲିଟିଲ ମାଷ୍ଟରଙ୍କ ବିପକ୍ଷରେ ଖେଳିବାକୁ ସୁଯୋଗ ପାଇଥିଲି ସେତେବେଳେ ମୋତେ ୨୨ ବର୍ଷ ହୋଇଥିଲା। ତାଙ୍କ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଯେତେବେଳେ ତାଙ୍କୁ ଆଉଟ୍‌ କଲି ଭାବିଲି ମୁଁ ସବୁ କାମ ସାରିଦେଲି। ସଚିନଙ୍କୁ ଆଉଟ୍‌ କରିବା ପରେ ଏତେ ଖୁସି ହୋଇଯାଇଥିଲି ଯେ ଟେଷ୍ଟ୍‌ ମ୍ୟାଚ୍‌ ବିଷୟରେ ଚିନ୍ତା କରିନଥିଲି ବୋଲି ଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଲି ଟେଷ୍ଟ୍‌ ଓ ଦିନିକିଆରେ ମୋଟ ୩୦୦ରୁ ଅଧିକ ୱିକେଟ୍‌ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର