ହକି ପ୍ରତି ଅବଦାନ ଜାରି ରଖିବି: ବୀରେନ୍ଦ୍ର

ରାଉରକେଲା : ‘ବିଗତ କିଛି ସପ୍ତାହ ହେଲା ମୋର ହକି ଜୀବନ ବିଷୟରେ ଆତ୍ମନିରୀକ୍ଷଣ କରିଆସୁଥିଲି। ଏବେ ଆଗକୁ ବଢ଼ିବାର ସମୟ ଉପନୀତ। ଆଗାମୀ ପିଢ଼ିର ଉଦୀୟମାନ ହକି ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ପହଞ୍ଚିଯାଇଛି। ଭାରତୀୟ ଦଳକୁ ଅଲ୍‌ବିଦା କହିବାର ଏହା ହିଁ ପ୍ରକୃଷ୍ଟ ସମୟ। ଏବେ ନୂଆ ପଥରେ ଯାତ୍ରା କରିବାକୁ ବାହାରିଛି। ଏଣୁ ହକିରୁ ବିଦାୟ ନେଉଛି। ଭାରତୀୟ ଜର୍ସି ପିନ୍ଧି ଭାରତକୁ ପ୍ରତିନଧିତ୍ବ କରିବା ସବୁଠାରୁ ଖୁସି ଓ ଗୌରବର ବିଷୟ। କିନ୍ତୁ ଭବିଷ୍ୟତରେ ଆଉ ଭାରତୀୟ ଦଳ ସହ ଡ୍ରେସିଂ ରୁମ୍‌ ସେୟାର କରିପାରିବିନି। ସାଥୀ ଖେଳାଳିଙ୍କ ସହ ସମୟ କାଟିବାର ସୁଯୋଗ ବି ମିଳିବନି। ଏ ବିଷୟରେ ଚିନ୍ତା କଲାବେଳେ ଶିହରଣ ସୃଷ୍ଟି ହୋଇଯାଉଛି, କିନ୍ତୁ ଆଗକୁ ବଢ଼ିବାକୁ ହେବ। ମୋ ସାଥୀ ଖେଳାଳି, ଭାରତୀୟ ଦଳକୁ ମୋର ସବୁବେଳେ ଶୁଭେଚ୍ଛା ରହିବ। ଭାରତୀୟ ଦଳ ଆଗାମୀ ମ୍ୟାଚ୍‌ରେ ଏବଂ ୨୦୨୪ ଅଲିମ୍ପିକ୍‌ରେ ବିଜୟଧାରା ଅବ୍ୟାହତ ରଖି ପୁନର୍ବାର ଗୌରବ ଆଣିବେବୋଲି ଆଶା।

ଦାରିଦ୍ର୍ୟ ରୋକିପାରିନଥିଲା ସଫଳତା
ହକି ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କ ବାଲ୍ୟ ଜୀବନ ଆର୍ଥିକ ଅନଟନରେ ବିତିଥିଲା। ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଥିବାରୁ ପ୍ରତିଟି ମୂହୁର୍ତ୍ତରେ ବହୁବିଧ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେବେ ଏସବୁ କିନ୍ତୁ କ୍ରୀଡ଼ା ପ୍ରତିଥିବା ସେମାନଙ୍କର ଭଲ ପାଇବାକୁ କମ୍‌ କରିପାରିନଥିଲା। ନିଷ୍ଠାପର ପରିଶ୍ରମ ଓ ଦୃଢ଼ ମନସ୍କହୋଇ କଠୋର ଅଭ୍ୟାସ ବଳରେ ସେ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଖେଳାଳି ହୋଇପାରିଥିଲେ। ବାପା ଇଗ୍ନେସ ଲାକ୍ରା ଆର୍‌ଏସ୍‌ପି ଇସ୍ପାତ ଜେନେରାଲ ହସପିଟାଲରେ ଷ୍ଟୋର୍‌କିପର୍‌ ଭାବେ କାର୍ଯ୍ୟରତ ଥିବାବେଳେ ମା ମେରୀ ଲାକ୍ରା ଗୃହିଣୀ। ଚାରି ଭଉଣୀ ଓ ଦୁଇ ଭଉଣୀଙ୍କ ମଧ୍ୟରେ ସବା ସାନ ହେଉଛନ୍ତି ବୀରେନ୍ଦ୍ର। ବୀରେନ୍ଦ୍ରଙ୍କ ଭାଇଭଉଣୀ କହିଲେ, ବଡ଼ ଭଉଣୀ ଜ୍ୟୋତି ଲାକ୍ରା, ଅନୀତା ଲାକ୍ରା, ସୁନୀତା ଲାକ୍ରା, ସୁସ୍ମିତା ଲାକ୍ରା ଓ ବଡ଼ଭାଇ ସୁଜିତ ଲାକ୍ରା। ସେକ୍ଟର-୧୯ରେ ରହୁଥିଲେ ବୀରେନ୍ଦ୍ରଙ୍କ ପୂରା ପରିବାର। ପିଲାଟି ଦିନରୁ ହକି ଖେଳ ପ୍ରତି ଆକୃଷ୍ଟ ହୋଇଥିବା ବୀରେନ୍ଦ୍ର ପ୍ରଥମ ଡେ ସ୍କଲାର ଭାବେ ସେଲ୍‌ ହକି ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ପରେ, ୨୦୦୪ ମସିହାରେ କ୍ରୀଡ଼ା ଛାତ୍ରାବାସରେ ଯୋଗଦେଇଥିଲେ। ଅପରପକ୍ଷରେ ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ‌ ଥିଲେ ବୀରେନ୍ଦ୍ରଙ୍କ ବାପା। ‌ଯେଉଁ ସ୍ବଳ୍ପ ଦରମା ମିଳୁଥିଲା, ସେଥିରେ ୮ ଜଣଙ୍କ ଭରଣପୋଷଣ କରୁଥିଲେ। ନିମିତ୍ତମାତ୍ର ଆୟରେ କଷ୍ଟେମଷ୍ଟେ ଝିଅମାନଙ୍କର ବିବାହ କରିଥିଲେ। ଅପରପକ୍ଷରେ ଘୋର୍‌ ଅର୍ଥାଭାବ ସତ୍ତ୍ବେ ବୀରେନ୍ଦ୍ର କିନ୍ତୁ ଖେଳ ପ୍ରତି ନିଜର ନିଷ୍ଠା ଜାରି ରଖିଥିଲେ। ୨୦୦୯ ମସିହାରେ ବୀରେନ୍ଦ୍ରଙ୍କ ବାପାଙ୍କ ବିୟୋଗ, ସବୁକିଛି ଓଲଟାପାଲଟ କରିଦେଇଥିଲା। ବାପାଙ୍କ ବିୟୋଗ ପରେ ପୂରା ପରିବାରର ଜନ୍ମମାଟି ଗୁରୁଣ୍ଡିଆର ଲଛଡ଼ାକୁ ଚାଲିଯାଇଥିଲେ। ବାପାଙ୍କ ବିୟୋଗ ବେଳେ ବୀରେନ୍ଦ୍ର କନିଷ୍ଠ ବିଶ୍ବକପ୍‌ ଖେଳିବାକୁ ମାଲେସିଆରେ ଥିଲେ। ବାପାଙ୍କ ମୃତ୍ୟୁପରେ ଆର୍ଥିକ ସ୍ଥିତି ନିମ୍ନସ୍ତରକୁ ଚାଲିଆସିଥିଲା। ଏସବୁ ଝଡ଼ଝଞ୍ଜାକୁ କିନ୍ତୁ ବୀରେନ୍ଦ୍ରଙ୍କ ପ୍ରଦର୍ଶନରେ ଫରକ୍‌ ପକାଇପାରିନଥିଲା। ପରବର୍ତ୍ତୀ ସମୟରେ ‌ସେ ଗୋଟିଏପରେ ଗୋଟିଏ ସଫଳତାର ପାହାଚ ଚଢ଼ିଥିଲେ।

ସମ୍ବନ୍ଧିତ ଖବର