ନୂଆଦିଲ୍ଲୀ: ମୋ ନାମରେ ଆସିଥିବା ଅଭିଯୋଗରୁ ଗୋଟିଏ ବି ପ୍ରମାଣିତ ହୋଇଗଲେ ମୁଁ ନିଜକୁ ଝୁଲାଇ ଆତ୍ମହତ୍ୟା କରିଦେବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ) ବ୍ରିଜଭୂଷଣ ଶରଣ ସିଂହ। ଦିଲ୍ଲୀ ପୁଲିସ ଅଭିଯୋଗର ତଦନ୍ତ କରୁଥିବାରୁ ମୁଁ ଏ ସମ୍ପର୍କରେ ବିଶେଷ ମତ ଦେବି ନାହିଁ। ମୁଁ ଆନ୍ଦୋଳନର ପ୍ରଥମ ଦିନରୁ କହି ଆସିଛି। କୁସ୍ତି ସହ ଜଡ଼ିତ ‌ଯେ କୌଣସି ବ୍ୟକ୍ତିଙ୍କୁ ଆପଣ ପଚାରି ପାରିବେ ବୋଲି ବ୍ରିଜଭୂଷଣ ପ୍ରକାଶ କରିଛନ୍ତି। ଏହି ଭାଜପା ସାଂସଦଙ୍କ ନାମରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନା ଆଣିବା ସହ ଗିରଫ ଦାବିରେ ଦୀର୍ଘ ଦୁଇ ସପ୍ତାହ ହେଲା ଯନ୍ତର ମନ୍ତରରେ ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନରେ ରବିବାରଠାରୁ କୃଷକ ସଂଗଠନ, ଛାତ୍ର ସଂଘ ମଧ୍ୟ ସାମିଲ ହୋଇଛନ୍ତି। ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାଙ୍କ ସହ ଅନ୍ୟ ଯାହାକୁ ବି ପଚାରନ୍ତୁ‌ ସେମାନେ ସତ କଣ ଜାଣିଛନ୍ତି। ଭାରତୀୟ କୁସ୍ତି ପାଇଁ ମୁଁ ୧୧ ‌ବର୍ଷ ହେବ ଜୀବନ ଦେଇଛି। ବ୍ରିଜଭୂଷଣ ଶରଣ କେବେ ରାବଣ ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ସୋମବାର ଯନ୍ତର ମନ୍ତରରେ ବିଭିନ୍ନ କୃଷକ ନେତା ମାନେ ପୁଲିସ୍ ବାରିକେଡ୍ ଭାଙ୍ଗି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ‘ଆମେ ଏଠାକୁ ରାଜନୀତି କରିବାକୁ ଆସିନାହୁଁ। ନ୍ୟାୟ ପାଇଁ ଲଢ଼େଇ କରୁଛୁ। ଏଥିରେ ଯେ କେହି ଯୋଗଦେବା ସ୍ବାଗତଯୋଗ୍ୟ। ଏ ଲଢ଼େଇକୁ କେହି ଅପହରଣ କରିପାରିବେ ନାହିଁ। ଏ ଲ‌‌ଢ଼େଇ ଦେଶର କନ୍ୟାଙ୍କ ଲଢ଼େଇ ବୋଲି କହିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ। ଦୀର୍ଘ ୧୫ ଦିନ ପରେ ଧାରଣାସ୍ଥଳରେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଅଭ୍ୟାସ କରିଛନ୍ତି। ଆଗାମୀ ଏସୀୟ କ୍ରୀଡ଼ା ପାଇଁ ସେ ଏହି ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରେ ଜଡ଼ିତ ଥିବା ୩ଟି ଜିଲ୍ଲାର କୁସ୍ତି ସଂଘ ସମ୍ପାଦକଙ୍କୁ ହରିୟାଣା ଆମେଚର କୁସ୍ତି ସଂଘ (ହାୱା) ନିଲମ୍ବିତ କରିଛି।