ହାଇଦ୍ରାବାଦ: ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ୧୯୯୮ ମସିହାରେ ଆୟୋଜିତ ହୋଇଥିଲା ସାର୍ଜା କପ୍। ଏଥିରେ ଅଷ୍ଟ୍ରେଲିଆ ବିପକ୍ଷରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମାରିଥିବା ଲାଗ ଲାଗ ଶତକ ଆଜିପର୍ଯ୍ୟନ୍ତ ମନରେ ତାଜା ହୋଇରହିଛି। ସେଥିମଧ୍ୟରୁ ପ୍ରଥମ ଶତକକୁ 'ମରୁ ଝଡ଼'ର ଆଖ୍ୟା ଦିଆଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ରେ ଭାରତକୁ ୨୮୪ ରନ୍ର ପିଛା କରିବାକୁ ପଡ଼ିଥିଲା। ସାର୍ଜାରେ ପ୍ରକୃତ ମରୁ ଝଡ଼ ଆସିଯିବାରୁ ମ୍ୟାଚ୍ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଫଳରେ ପରିବର୍ତିତ ଟାର୍ଗେଟ୍ ୪୬ ଓଭରରେ ୨୭୭ ଧାର୍ଯ୍ୟ ହୋଇଥିଲା। ପୁଣି ଫାଇନାଲ୍ ପ୍ରବେଶ ପାଇଁ ସେହି ମ୍ୟାଚ୍ର ଗୁରୁତ୍ବ ରହିଥିଲା। ଅତି କମ୍ରେ ୨୩୭ ରନ୍ କରିପାରିଲେ ରନ୍ ରେଟ୍ରେ ନ୍ୟୁଜିଲାଣ୍ଡ୍କୁ ପଛରେ ପକାଇ ଭାରତ ଫାଇନାଲ୍କୁ ଉନ୍ନୀତ ହେବାର ଥିଲା। ହେଲେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ୱିକେଟ୍ ଝଡ଼ି ଚାଲିଥିଲା। ଏପରିକି ଭାରତ ଫାଇନାଲ୍ ଯୋଗ୍ୟତା ହାସଲ କରିବା ଅସମ୍ଭବ ମନେ ହୋଇଥିଲା। ତେବେ ସେହି ମ୍ୟାଚ୍ରେ ସଚିନ୍ ୧୪୩ ରନ୍ ସ୍କୋର୍ କରିବାରୁ ଭାରତ ୨୫୦/୬ (୪୬ ଓଭର)ରେ ଅଟକି ଯାଇଥିଲା। ମ୍ୟାଚ୍ ୨୭ ରନ୍ରେ ହାରିଯାଇଥିଲେ ମଧ୍ୟ ଭାରତ ଫାଇନାଲ୍ ପ୍ରବେଶ କରିଥିଲା। ପୂର୍ବତନ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ତଥା ସାର୍ଜା କପ୍ର ସେହି ମ୍ୟାଚ୍ ଖେଳିଥିବା ଭିଭିଏସ୍ ଲକ୍ଷ୍ମଣ ସଚିନ୍ଙ୍କ ସେହି ଶତକୀୟ ପାଳିକୁ ମରୁ ଝଡ଼ ଭାବେ ବର୍ଣ୍ଣନା କରିବା ସାଙ୍ଗକୁ ତାକୁ କଦାପି ଭୁଲିପାରିବେନି ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
ପ୍ରକୃତ ମରୁ ଝଡ଼ ଯୋଗୁଁ ଖେଳ ବନ୍ଦ ରହିବା ପରେ ଡ୍ରେସିଂ ରୁମ୍ରେ କ'ଣ ଘଟିଥିଲା ମନେ ପକାଇଛନ୍ତି ଲକ୍ଷ୍ମଣ। ସେହି ମ୍ୟାଚ୍ ବେଳେ ମୁଁ ସୌଭାଗ୍ୟବଶତଃ ସୁରକ୍ଷିତ ରହିଥିଲି। ଏହା ମୋ ପାଇଁ ସବୁଠୁ ସ୍ମରଣୀୟ ଅଭିଜ୍ଞତା ଥିଲା। ମୁଁ ନନ୍ ଷ୍ଟ୍ରାଇକର ପଟେ ଥିଲି। ସଚିନ୍ ବ୍ୟାଟିଂ କରୁଥା'ନ୍ତି। ତାଙ୍କ ପାଇଁ ଭାରତ କିପରି ଫାଇନାଲ୍କୁ ଯିବ ତାହା ଛଡ଼ା ଅନ୍ୟ କିଛି ଚିନ୍ତା ନଥିଲା। ପୁଣି ତାହା ମଧ୍ୟ ତାଙ୍କର ଶ୍ରେଷ୍ଠ ଦିନିକିଆ ଶତକ ଥିଲା। ସେ ଅନେକ ଶତକ ହାସଲ କରିଛନ୍ତି, ହେଲେ ସାର୍ଜା କପ୍ର ସେହି ଦୁଇଟି ଶତକ ବିଶେଷକରି ମୋ ପାଇଁ ମରୁ ଝଡ଼ ସଦୃଶ ଥିଲା ବୋଲି କହିଛନ୍ତି ଲକ୍ଷ୍ମଣ। ପ୍ରଥମ ଶତକ ବଳରେ ଫାଇନାଲ୍ରେ ପ୍ରବେଶ କରିଥିବା ଭାରତ ତାଙ୍କ ଦ୍ବିତୀୟ ଶତକ ବଳରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସାର୍ଜା କପ୍ ବିଜେତା ହୋଇଥିଲା। ଅଷ୍ଟ୍ରେଲୀୟ ଘାତକ ବୋଲରଙ୍କୁ ନିରାଶ କରି ସଚିନ୍ ଯେଭଳି ଲାଗ ଲାଗ ଶତକ ଜମାଇଲେ ତାହା ମରୁ ଝଡ଼ଠୁ ବି କିଛି କମ୍ ଥିଲା ବୋଲି ଲକ୍ଷ୍ମଣ ବର୍ଣ୍ଣନା କରିଛନ୍ତି।
ଅଂଶୁ ଭାଇ (ଅଂଶୁମାନ ଗାଏକ୍ବାଡ) ଆମର ପ୍ରଶିକ୍ଷକ ଥିଲେ। ମୋର ମନେ ଅଛି ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍ ବେଳେ ମରୁ ଝଡ଼ ପରେ ଆମେ ରୁମ୍ ବଦଳାଇଥିଲୁ। ସେତେବେଳେ ଅଂଶୁ ଭାଇ ମୋ ପାଖକୁ ଆସି କଥା ହୋଇଥିଲେ ଏବଂ ପରେ ସଚିନ୍ଙ୍କ ପାଖକୁ ଯାଇଥିଲେ। ସେତେବେଳେ ସଚିନ୍ ତାଙ୍କ ୱାକ୍ମ୍ୟାନ୍ ଏବଂ ହେଡ୍ଫୋନ୍ ଜରିଆରେ ସଂଗୀତ ଶୁଣୁଥିଲେ। ସେ ବ୍ୟାଟିଂକୁ ଯିବା ପୂର୍ବରୁ ନିଜକୁ ସହଜ କରିପାରୁଥିଲେ। ତେଣୁ ସେ ହେଡ୍ ଫୋନ୍ କାଢ଼ି ''ଚିନ୍ତା କରନି ଅଂଶୁ ଭାଇ, ଦଳକୁ ଫାଇନାଲ ପହଞ୍ଚାଇବା ପାଇଁ ଯଥାସମ୍ଭବ ସବୁକିଛି କରିବାର ପ୍ରତିଶୃତି ଦେଉଛି'' ବୋଲି କହିଥିବା କଥା ମନେ ପକାଇଛନ୍ତି ଲକ୍ଷ୍ମଣ। ଆଉ ତାଙ୍କର ସେହି କଥାକୁ ରଖିଥିଲେ ମଧ୍ୟ। ଝଡ଼ ପରି ଆମର ୱିକେଟ୍ ଝଡ଼ି ଚାଲିଥିଲା। ସଚିନ୍ଙ୍କ ସହ ମୁଁ ଏକମାତ୍ର ତଥା ଶେଷ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ କ୍ରିଜ୍ରେ ଥିଲି। ଏହାପରେ ବୋଲରଙ୍କ ଆଗମନ ଘଟିବ। ହେଲେ ସଚିନ୍ଙ୍କ ସେତେବେଳର ଆତ୍ମବିଶ୍ବାସ ମୋତେ ଖୁବ୍ ପ୍ରଭାବିତ କରିଥିଲା। ନିଜ ଉପରେ ତାଙ୍କର ଏତେ ଆତ୍ମବିଶ୍ବାସ ଥିଲା ଯେ ଦଳ ନିଶ୍ଚିତ ଫାଇନାଲ୍ ପହଞ୍ଚିବ ବୋଲି କହିଥିଲେ। ସେଭଳି ବିଶ୍ବାସ ମଧ୍ୟ ସଚିନ୍ ହିଁ ପ୍ରଶିକ୍ଷକଙ୍କୁ ଦେଇଥିଲେ। ସେଭଳି ଆତ୍ମବିଶ୍ବାସଭରା ଶବ୍ଦକୁ କଦାପି ମୁଁ ଭୂଲିପାରିବିନି ବୋଲି କହିଛନ୍ତି ଲକ୍ଷ୍ମଣ।