ମୋ ସମୟ ଆସିଛି, ଅଲିମ୍ପିକ୍ସ ସ୍ବର୍ଣ୍ଣ ପାଇଁ ସବୁମତେ ଚେଷ୍ଟା କରିବି: ନିଖତ୍‌

ନୂଆଦିଲ୍ଲୀ : ନୂଆ ବିଶ୍ବ ବିଜୟିନୀ ଭାରତୀୟ ମୁଷ୍ଟିଯୋଦ୍ଧା ନିଖତ ଜରିନ୍‌ଙ୍କ ମୁହଁରେ ଏବେ ହସ ଓ ହସ। ଯେତେଥର ସେ ସ୍ବର୍ଣ୍ଣ ପଦକଟିକୁ‌ ଦେଖୁଛନ୍ତି ଖୁସିରେ ବିଭୋର ହୋଇ ପଡୁଛନ୍ତି। ପଞ୍ଚମ ଭାରତୀୟ ମହିଳା ଭାବେ ଗୁରୁବାର ରାତିରେ ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ୫୨ କିଲୋଗ୍ରାମ ଓଜନ ବର୍ଗ ଫାଇନାଲ୍‌ରେ ନିଖତ ଥାଇଲାଣ୍ଡ୍‌ର ଜିଟପଙ୍ଗ୍‌ ଜୁତାମସଙ୍କୁ ୫-୦ରେ ହରାଇ ନିଜ ସ୍ବପ୍ନ ସାକାର କରିଥିଲେ। ଏଥି ସହ ଏହି ୨୫ ବର୍ଷୀୟ ତେଲେଙ୍ଗାନା ଯୁବତୀ ବିରଳ ଭାରତୀୟଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦, ୨୦୧୮)ଙ୍କ ବ୍ୟତୀତ ସରିତା ଦେବୀ (୨୦୦୬), ଜେନି ଆର୍‌ଏଲ୍‌ (୨୦୦୬) ଏବଂ ଲେଖା କେସି (୨୦୦୬) ମଧ୍ୟ ଏହି କ୍ଲବ୍‌ର ସଦସ୍ୟା ରହିଛନ୍ତି। ଦେଶର ସେଲିବ୍ରିଟି ମୁଷ୍ଟିଯୋଦ୍ଧାଙ୍କ ନାମ ସହ ତାଙ୍କ ନାମ ଯୋଡ଼ି ହୋଇଥିବାରୁ ନିଖତ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି।

ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଜୟର ସଫଳତାର ଶ୍ରେୟ ମୋ କଠିନ ପରିଶ୍ରମକୁ ଯିବ। ମୁଁ ମୋ ଲକ୍ଷ୍ୟ ପଥରେ ସଙ୍କଳ୍ପବଦ୍ଧ ଥିଲି। ଭାସ୍କର ଭଟ୍ଟ ସାର ଓ ମୋ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଦେବି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଟପ୍ସର ଭୂମିକା ମଧ୍ୟ ପ୍ରମୁଖ ଥିଲା। ମୋ ସଫଳତାର ଯାତ୍ରାରେ ଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ବାର୍ତା ଦେଖି ଖୁସି ହୋଇଯାଇଥିଲି। ଏଭଳି ସଫଳତା ପାଇବି ବୋଲି ବିଶ୍ବାସ କରିନଥିଲି। ବିଶ୍ବ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପଦକ ପାଇବି ବୋଲି ମୁଁ ବିଶ୍ବାସ କରିନଥିଲି। ଚଳିତ ବର୍ଷର ଏହା ମୋର ଦ୍ବିତୀୟ ସ୍ବର୍ଣ୍ଣ ପଦକ। ଫେବ୍ରୁଆରିରେ ନିଖତ ଷ୍ଟ୍ରାଞ୍ଜା ମେମୋରିଆଲ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଗତ ଜାତୀୟ ପ୍ରତ‌ିଯୋଗିତା ପୂର୍ବରୁ ନିଖତ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ‘ପ୍ୟାରିସ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲା’। ସେବେଠାରୁ ମୁଁ ଯେତେ‌ ପ୍ରତିଯୋଗିତା ଖେଳୁଛି ହାରିବା ଜିତିବାକୁ ଗୁରୁତ୍ବ ଦେଉନାହିଁ। ଅଭିଜ୍ଞତା ଅର୍ଜନ ମୁଖ୍ୟ ଲକ୍ଷ୍ୟ ରହିଛି। ଏସବୁ ଅଭିଜ୍ଞତା ମୋତେ ପ୍ୟାରିସ୍ ଅଲିମ୍ପିକ୍ସରେ ସହାୟକ ହେବ। ପ୍ୟାରିସ୍‌ ପର୍ଯ୍ୟନ୍ତ ମୁଁ କେବଳ ମୋ ଦୁର୍ବଳତା ଉପରେ କାମ କରିବି’ ବୋଲି କହିଥିଲେ ନିଖତ। ଏବେ ମୋ ସମୟ ଆସିଯାଇଛି। ନିକଟ ଭବିଷ୍ୟତରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉପରେ ନଜର ରହିଥିଲେ ମଧ୍ୟ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସ୍ବର୍ଣ୍ଣ ପଦକ ଜିତିବାକୁ ସବୁମତେ ଚେଷ୍ଟା କରିବି ବୋଲି ନିଖତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର