ଶାଇଲି ମୋ କୀର୍ତ୍ତିମାନ ଭାଙ୍ଗିଲେ ଖୁସି ହେବି: ଅଂଜୁ

ନୂଆଦିଲ୍ଲୀ: ବିଶ୍ବ ଯୁବ (୨୦ ବର୍ଷରୁ କମ୍‌) ଦୌଡ଼କୁଦରେ ଶାଇଲି ସିଂହ ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗ‌ୌରବ ଆଣିଛନ୍ତି। ଏହି ପଦକ ବିଜୟିନୀଙ୍କ ମାର୍ଗଦର୍ଶକ ହେଉଛନ୍ତି ତାରକା ଭାରତୀୟ ଲମ୍ବ ଡିଆଁଳି ଅଂଜୁ ବବି ଜର୍ଜ। ଯେତେବେଳ ଅଂଜୁ ପ୍ରଥମେ ଶାଇଲିଙ୍କୁ ଦେଖିଥିଲେ ସେତେବେଳେ ତାଙ୍କ ମାର୍ଗଦର୍ଶକ ହେବାକୁ ମନସ୍ଥ କରିନେଇଥିଲେ। ୧୩ ବର୍ଷ ବୟସରେ ଜାତୀୟ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନ ଅଧିକାର କରିଥି‌ଲେ ଏହି ଝାନ୍‌ସି ଜନ୍ମିତ ଝିଅ। ଅଂଜୁଙ୍କ ସହଯୋଗ ସାଙ୍ଗକୁ ତାଙ୍କ ସ୍ବାମୀ ରବର୍ଟ ବବି ଜର୍ଜଙ୍କ ପ୍ରଶିକ୍ଷଣରେ ଏବେ ୧୭ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦକ ଜିତିବାରେ ସଫଳ ହୋଇପାରିଛନ୍ତି। ଶାଇଲି ନାଇରୋବିରେ ରବିବ‌ାର ବିଶ୍ବ ଯୁବ ଫାଇନାଲ୍‌ରେ ୫.୫୯ ମିଟର ଡେଇଁ ଗୋଟିଏ ସେଣ୍ଟିମିଟର ପାଇଁ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ହେଲେ ଏହି ଐତିହାସିକ ସଫଳତା ପରେ ଅଂଜୁ ଏକ କହିଛନ୍ତି ‘‘ଶାଇଲି ଯେବେ ମୋ କୀର୍ତ୍ତିମାନ ଭାଙ୍ଗିବେ ତାହା ଦେଖି ବହୁତ ଖୁସି ହେବି’’।

‘‘ଯେତେବେଳେ ମୁଁ ଶାଇଲିଙ୍କୁ ଦେଖିଲି, ତାଙ୍କ ସଂକଳ୍ପ ଏବଂ ଶରୀର ଗଠନ ଯେପରି ରହିଛି ଲମ୍ବଡିଆଁ ପାଇଁ ଉପଯୁକ୍ତ। ଆଗକୁ ଏଥିରେ ନିଶ୍ଚିତ ସଫଳତା ପାଇବେ ବୋଲି ବିଶ୍ବାସ ଆସିଥିଲା। ଏହା ପରେ ଜାଣିଲି‌ ଯେ ‌ତାଙ୍କର ଶିଖିବାର ଆଗ୍ରହ ରହିଛି ଏବଂ ସର୍ବଦା ଉନ୍ନତି ଲାଗି ଚେଷ୍ଟିତ। କେବେ ବି ନାହିଁର ଶବ୍ଦ ଶାଇଲି ମୁହଁରେ ନାହିଁ। ସଂକ୍ଷପରେ କହିବାକୁ ଗଲେ ସେ ପୂରା ମୋ ପରି।’’ ବୋଲି ୨୦୦୩ ପ୍ୟାରିସ ବିଶ୍ବ ପ୍ରତିଯୋଗିତା କାଂସ୍ୟ ବିଜୟିନୀ ୪୪ ବର୍ଷୀୟା ଅଂଜୁ କହିଛନ୍ତି। ୨୦୧୭ ନଭେମ୍ବରରେ ବିଜୟୱାଡାରେ ଆୟୋଜିତ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ‌ଶାଇଲି (୧୨ରୁ ୧୪ ବର୍ଷ ବୟସ ବର୍ଗ) ଲମ୍ବଡିଆଁରେ ଭାଗନେଇଥିଲେ ଏବଂ ୪.୬୪ ମିଟର ସହ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ଏହା ପରେ ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଉଚ୍ଚଗୁଣବତ୍ତା ପ୍ରଶିକ୍ଷକ ଅଂଜୁଙ୍କ ସ୍ବାମୀ ରବର୍ଟ ବବି ଜର୍ଜଙ୍କ ପ୍ରଶିକ୍ଷଣରେ ଉନ୍ନତି କରିଥିଲେ। ବିଶାଖାପାଟଣାରେ ଆୟୋଜିତ ଜାତୀୟ ଅନ୍ତଃରାଜ୍ୟ ଜିଲ୍ଲା ‌କନିଷ୍ଠ ଦୌଡ଼କୁଦ ମିଟ୍‌ (ଏନ୍‌ଆଇଡିଜେଏଏମ୍‌) ‌ବେଳେ ଶାଇଲି ଖେଳ ପ୍ରତି ଆଗ୍ରହକୁ ଦେଖିଥିଲେ ଅଂଜୁ। ସେତେବେଳେ ସେ ଖାଲି ପାଦରେ ଦୌଡ଼ୁ ଥିଲେ। ତାଙ୍କ ମା’ ଜଣେ ଟେଲର ଏବଂ ରୋଜଗାର କମ୍‌। ତେଣୁ ଶାଇଲିଙ୍କୁ ଜୋତା ଦେବାକୁ ମା’ ସକ୍ଷମ ନଥିଲେ। ଏହି ପ୍ରତିଯୋଗିତାରେ ସେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଅଂଜୁଙ୍କ ମନ ଜିଣି ନେଇଥିଲେ। ଅଂଜୁ ତାଙ୍କ ଦାୟିତ୍ବ ନେବା ନିଷ୍ପତ୍ତି ନେଇଥିଲେ। ‘‘ରବର୍ଟ ମୋତେ ଶାଇଲିଙ୍କ ବିଷୟରେ କହିଥିଲେ। ମୁଁ ଏହା ଶୁଣି ୨୦୧୭ ନଭେମ୍ବରରେ ଶାଇଲିଙ୍କୁ ମୋ ଏବଂ ରବର୍ଟଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ ଦେବାକୁ ଚିନ୍ତା କରିଥିଲି।

୨୦୧୮ରେ ସେ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଯୋଗ ଦେଲେ। ରବର୍ଟ ପ୍ରଶିକ୍ଷଣ ପ୍ରଣାଳୀ ଯୋଗୁଁ ଶାଇଲି ଭବିଷ୍ୟତର ବଡ଼ ତାରକା ହେବାକୁ ଯାଉଛନ୍ତି। ବେଙ୍ଗାଲୁରୁ ଆସିଲା ବେଳକୁ ଶାଇଲି ଛୋଟ ଥିଲା। ସେ ୪.୫୦ ମିଟର ଡେଉଁ ଥିଲା। ୩ ବର୍ଷ ମଧ୍ୟରେ ସେ ‌ଏଥିରେ ୨ ମିଟର ଉନ୍ନତି କରିଛନ୍ତି’’ ବୋଲି ୨୭ ବର୍ଷ ବୟସରେ ପ୍ୟାରିସରେ ୬.୫୯ ମିଟର ଡେଇଁ ବିଶ୍ବ ଦୌଡ଼କୁଦ ପଦକ ଜିତିଥିବା ଅଂଜୁ କହିଛନ୍ତି। ଶାଇଲି ଏହି ସମାନ ଦୂରତା ଯୁବ ବିଶ୍ବ ଦୌଡ଼କୁଦରେ ଡେଇଁଥିଲେ ମଧ୍ୟ ପବନ ଗତି ୨.୨ ଏମ୍‌/ଏସ୍‌ରୁ ଅଧିକ ଥିବାରୁ ଏହାକୁ ହିସାବକୁ ନିଆଯାଇନି। ତେଣୁ ଶାଇଲି ଅଂଜୁଙ୍କ କୀର୍ତ୍ତିମାନର ସମକକ୍ଷ ହୋଇ ପାରିନାହାନ୍ତି। ଶାଇଲିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୬.୪୮ ମିଟର ରହିଛି। ଗତ ଜୁନ୍‌ରେ ଆୟୋଜିତ ବରିଷ୍ଠ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ସେ ଏହି ଦୂରତା ଛୁଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଂଜୁଙ୍କ ନାମରେ ‌ଏବେ ଜାତୀୟ କୀର୍ତ୍ତିମାନ ୬.୮୩ ମିଟର ରହିଛି। ଏହାକୁ ‌ସେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ହାସଲ କରଥିଲେ ଏବଂ ପଞ୍ଚମ ସ୍ଥାନ‌ରେ ରହି ପଦକ ଜିତି ପାରିନଥିଲେ। ଏହି ଦୂରତା ଶାଇଲି ଆଗାମୀ ୩ ବର୍ଷ ମଧ୍ୟରେ ପହଞ୍ଚି ଯିବେ ରବର୍ଟ ଅଶା ବ୍ୟକ୍ତ କରିଛନ୍ତି। ‘‘ତାଙ୍କର ଯେପରି ଉତ୍ସାହ ରହିଛି। ନିଶ୍ଚିତ ଏହି ଲକ୍ଷ୍ୟରେ ପହଞ୍ଚିଯିବ। ଖାଲି ସେତିକି ନୁହେଁ ମୋ କୀର୍ତ୍ତିମାନ ମଧ୍ୟ ଭାଙ୍ଗିପାରିବ। ଏବେ ଶାଇଲିଙ୍କୁ ମାତ୍ର ୧୭ ବ‌ର୍ଷ। ତା’ ନିକଟରେ ଆଗକୁ ବଢ଼ିବାର ଯେଭଳି ଆଗ୍ରହ ରହିଛି, ଏହା ଅସମ୍ଭବ ନୁହେଁ। ଆଗାମୀ ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ତାଙ୍କଠୁ ସ୍ବର୍ଣ୍ଣ ଆଶା ରହିଛି। ଏଥିସହ ସେ ଆସନ୍ତା ବର୍ଷ ହେବାକୁଥିବା ଏସୀୟ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଦୌଡ଼ରେ ମଧ୍ୟ ରହିଛନ୍ତି’’ ବୋଲି ଅଂଜୁ କହିଛନ୍ତି।

ସମ୍ବନ୍ଧିତ ଖବର