ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ସଂପ୍ରତି ଖରାପ ସମୟ ଦେଇ ଗତି କରୁଛନ୍ତି। ୩ ବର୍ଷରୁ ଅଧିକ ସମୟ ହେବ କୌଣସି ବି ଫର୍ମାଟ୍‌ରେ ଶତକଟିଏ ହାସଲ କରି ନାହାନ୍ତି ସେ। ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ମଧ୍ୟ କୋହଲି ଆଶାଜନକ ପ୍ରଦର୍ଶନ କରିନାହାନ୍ତି। ଫଳରେ ଚାରିଆଡ଼ୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ସମୟରେ ତାଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି ପାକିସ୍ତାନର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ସୋଏବ ଅଖତର। ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ବିରାଟଙ୍କ ସାଂପ୍ରତିକ ଫର୍ମକୁ ନେଇ ଭାରତୀୟ ପ୍ରଶଂସକ ପ୍ରକାଶ କରୁଥିବା ତୀବ୍ର ଅସନ୍ତୋଷ ଉପରେ ପ୍ରତିକ୍ରିୟା ରଖି ଅଖତର କହିଛନ୍ତି ଯେ ଆପଣ ବିରାଟଙ୍କ ବିଷୟରେ ଭଲ କଥା‌ କୁହନ୍ତୁ। ତାଙ୍କୁ ସମ୍ମାନ ଦିଅନ୍ତୁ।

Advertisment

କୋହଲିଙ୍କୁ ଆପଣମାନେ କାହିଁକି ସମ୍ମାନ ଦେଉନାହାନ୍ତି। ଜଣେ ପାକିସ୍ତାନୀ ହୋଇ ବି ମୁଁ କିନ୍ତୁ କହିବି କୋହଲି ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର୍। ମୋର ଦୃଢ଼ ବିଶ୍ବାସ ରହିଛି ଯେ ସେ ୧୦୦ ନୁହେଁ ୧୧୦ ଅନ୍ତର୍ଜାତୀୟ ଶତକ ହାସଲ କରିବେ। ସେହିଭଳି କୋହଲିଙ୍କ ଉଦ୍ଦେଶ୍ୟରେ ଅଖତର କହିଛନ୍ତି ଯେ ତୁମେ ବ୍ୟସ୍ତ ହୁଅନି। ମୁଁ ଜାଣିଛି ତୁ‌ମେ ୪୫ ବର୍ଷ ପର୍ଯ୍ୟନ୍ତ ଖେଳିବ। ସମୟ ଏବେ ତୁମର ପରୀକ୍ଷା ନେଉଛି। ଲୋକମାନେ ତୁମ ଉପରେ ଭରସା ରଖୁ ନାହାନ୍ତି, ତୁମ ବିରୋଧରେ ଟ୍ବିଟ୍ କରୁଛନ୍ତି। ଏକଥାକୁ ଖାତିର କର ନାହିଁ। ମୋ କଥା ମନେ ରଖ, ତୁମେ ନିଶ୍ଚିତ ଭାବେ ୧୧୦ ଅନ୍ତର୍ଜାତୀୟ ଶତକ ହାସଲ କରିବ।