ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଅଧିନାୟକ ଇଆନ୍ ଦେବ୍ ସିଂହ ଚୌହ୍ବାନ ଏଥରର ରଣଜୀ ଟ୍ରଫିରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ରଣନୀତି ବି ପ୍ରସ୍ତୁତ କରିସାରିଛନ୍ତି। ଗୁରୁବାର ପୁଦୁଚେରୀ ବିପକ୍ଷ ଏଲିଟ୍ ଗ୍ରୁପ୍ ମ୍ୟାଚ୍ ପୂର୍ବରୁ ଏହି ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ରଣଜୀର ବଡ଼ ଦଳଗୁଡ଼ିକୁ ପରୋକ୍ଷ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ୩୨ ବର୍ଷୀୟ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଇଆନ୍ ଦେବ ଜମ୍ମୁ କାଶ୍ମୀର ପକ୍ଷରୁ ସର୍ବାଧିକ ୫,୦୦୦ରୁ ଅଧିକ ପ୍ରଥମ ଶ୍ରେଣୀ ରନ୍ କରିଛନ୍ତି। ଏହି ଅଭିଜ୍ଞ ଖେଳାଳି କ୍ରିକେଟ୍ ଉପରେ ମନୋନିବେଶ କରିବା ଲାଗି ନିଜ ମୋଟା ଅଙ୍କ ଦରମା ବିଶିଷ୍ଟ ସଫ୍ଟଓୟାର ଇଞ୍ଜିନିୟର ଚାକିରି ଛାଡ଼ି ଦେଇଥିଲେ।
ଇଆନ୍ ଦେବଙ୍କ ପିତା ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ଏବଂ ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ। ଏଣୁ ତାଙ୍କ ନାଁ ଏହି ଦୁଇ ଜଣଙ୍କ ନାଁକୁ ମିଶାଇ ଇଆନ୍ ଦେବ ବୋଲି ରଖିଥିଲେ। ଇଆନ୍ ଦେବ ଏବେ ଜମ୍ମୁ କାଶ୍ମୀରର ଅଧିନାୟକ ଭାବେ ନିଜ ନାଁକୁ ସାର୍ଥକ କରୁଛନ୍ତି। କପିଳ ଓ ବୋଥାମଙ୍କ ନାଁର ସମ୍ମାନ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ନିଜକୁ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ସମର୍ଥକ ବର୍ଣ୍ଣନା କରୁଥିବା ଇଆନ୍ ଦେବ ଆତଙ୍କବାଦ ପ୍ରବଣ ଜମ୍ମୁ କାଶ୍ମୀର କ୍ରିକେଟ୍ ଭବିଷ୍ୟତକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ନିଜ ରାଜ୍ୟ ଦୁଇ ପ୍ରତିଭାବାନ କ୍ରିକେଟ୍ ତାରକା ଉମ୍ରାନ୍ ମଲ୍ଲିକ ଏବଂ ଅବଦୁଲ ସମଦଙ୍କୁ ସେ ସ୍ବତନ୍ତ୍ର ପ୍ରତିଭା ଭାବେ ବର୍ଣ୍ଣନା କରିଛନ୍ତି। ତୃତୀୟ ଜମ୍ମୁ କାଶ୍ମୀର ଖେଳାଳି ଭାବେ ୨୦ ବର୍ଷୀୟ ଦ୍ରୁତ ବୋଲର ରାକିଶ ଧୀରଙ୍କୁ ଆଇପିଏଲ୍ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ କିଣିବା ନେଇ ବେଶ୍ ଉଲ୍ଲସିତ ଅଛନ୍ତି ଇଆନ୍ ଦେବ। ସୁଯୋଗ ମିଳିଲେ ସେ ମଧ୍ୟ ଆଇପିଏଲ୍ ଖେଳିବାକୁ ପସନ୍ଦ କରିବେ ବୋଲି ମତ ଦେଇଛନ୍ତି। ୩୨ ବର୍ଷୀୟ ଇଆନ୍ ଦେବ ଉତ୍ତରାଞ୍ଚଳ, ଇଣ୍ଡିଆ ଗ୍ରିନ୍, ଭାରତୀୟ ବୋର୍ଡ ସଭାପତି ଏକାଦଶ, ଅବଶିଷ୍ଟ ଭାରତ ଏକାଦଶ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖନ୍ତି। ସେ ୬୪ ପ୍ରଥମ ଶ୍ରେଣୀ, ୫୧ ଲିଷ୍ଟ ଏ’ ଏବଂ ୩୮ ଘରୋଇ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିବଂଦନ୍ତି ସ୍ପିନର ବିଶନ ସିଂହ ବେଦୀଙ୍କଠାରୁ ପ୍ରଶିକ୍ଷଣ ପାଇଥିବାରୁ ନିଜକୁ ଧନ୍ୟ ମନେ କରନ୍ତି ଇଆନ୍ ଦେବ।