ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଗଣମାଧ୍ୟମ ସଂସ୍ଥା, ଅନଲାଇନ୍ ବିଜ୍ଞାପନ ଏଜେନ୍ସି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସମେତ ସବୁ ଅଂଶୀଦାରଙ୍କୁ କୌଣସି ରୂପରେ ବେଟିଂ/ଜୁଆ ଖେଳ ଉପରେ ବିଜ୍ଞାପନ/ପ୍ରଚାର ବିଷୟବସ୍ତୁ ପ୍ରସାରଣ କରିବାଠାରୁ ତୁରନ୍ତ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହି ପରାମର୍ଶକୁ ପାଳନ ନକଲେ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି।
ଜୁଆ ଆପ୍ ବ୍ୟବହାରକାରୀଙ୍କଠାରୁ ଯଥେଷ୍ଟ ଅର୍ଥ ଆଦାୟ କରିଥିବା ଏଜେଣ୍ଟମାନଙ୍କ ବିରୋଧରେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନର ଉଦାହରଣ ଦେଇ ମନ୍ତ୍ରଣାଳୟ କହିଛି ଯେ ଜୁଆ/ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ଉପଭୋକ୍ତା, ବିଶେଷକରି ଯୁବବର୍ଗ ଏବଂ ପିଲାମାନଙ୍କ ପାଇଁ ଗମ୍ଭୀର ଆର୍ଥିକ ଏବଂ ସାମାଜିକ-ଆର୍ଥିକ ବିପଦ ସୃଷ୍ଟି କରିଥାଏ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ବ୍ୟବସ୍ଥାର ବେଆଇନ ଅର୍ଥ କାରବାର ନେଟୱର୍କ ସହିତ ସମ୍ପର୍କ ରହିଛି, ଯାହା ଦେଶର ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି।
· ଜୁଆ/ ବେଟିଂ ବିଜ୍ଞାପନରେ କଳା ଧନ ବିନିଯୋଗ ହୋଇଥାଇପାରେ
· ପ୍ରମୁଖ କ୍ରୀଡ଼ା ସମାରୋହରେ ଏଭଳି ବିଜ୍ଞାପନ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି
· ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି
ମନ୍ତ୍ରଣାଳୟ ନିଜର ମାର୍ଗଦର୍ଶିକାରେ କହିଛି ଯେ ଏସବୁ ବେଆଇନ କାର୍ଯ୍ୟ ସହିତ ଏଭଳି ବିଜ୍ଞାପନ ପାଇଁ କଳାଧନ ବ୍ୟବହାର କରାଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ବିଜ୍ଞାପନ ଏଜେନ୍ସି ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ସମେତ କେତେକ ଗଣମାଧ୍ୟମ ସଂସ୍ଥା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଳି ପ୍ରମୁଖ କ୍ରୀଡ଼ା ଇଭେଣ୍ଟରେ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରତ୍ୟକ୍ଷ ଓ ପରୋକ୍ଷ ବିଜ୍ଞାପନକୁ ଅନୁମତି ଦେଉଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି । ଏହାବ୍ୟତୀତ ମନ୍ତ୍ରଣାଳୟ କହିଛି ଯେ ପ୍ରମୁଖ କ୍ରୀଡ଼ା ସମାରୋହ, ବିଶେଷ କରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସମୟରେ ଏଭଳି ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ।
ବେଟିଂ/ଜୁଆ ପ୍ଲାଟଫର୍ମର ପ୍ରଚାର ପ୍ରସାର ନ କରିବାକୁ ଗଣମାଧ୍ୟମ ପ୍ଲାଟଫର୍ମକୁ ଚେତାବନୀ ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଜାରି କରିଛି। ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥମାନଙ୍କୁ ମଧ୍ୟ ଭାରତୀୟ ଦର୍ଶକଙ୍କ ପ୍ରତି ଏଭଳି ବିଜ୍ଞାପନକୁ ଟାର୍ଗେଟ ନ କରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୧୩.୦୬.୨୦୨୨, ୦୩.୧୦.୨୦୨୨ ଏବଂ ୦୬.୦୪.୨୦୨୩ରେ ଏହି ଉଦ୍ଦେଶ୍ୟରେ ମାର୍ଗଦର୍ଶିକା ଜାରି କରାଯାଇଥିଲା। ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ବେଟିଂ ଓ ଜୁଆ ଏକ ବେଆଇନ କାର୍ଯ୍ୟକଳାପ ଏବଂ ତେଣୁ କୌଣସି ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏଭଳି କାର୍ଯ୍ୟକଳାପର ବିଜ୍ଞାପନ/ପ୍ରୋତ୍ସାହନ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯, ପ୍ରେସ୍ କାଉନସିଲ ଅଧିନିୟମ ୧୯୭୮ ଇତ୍ୟାଦି ସମେତ ବିଭିନ୍ନ ଆଇନର ଉଲ୍ଲଂଘନ କରୁଛି।
ନିମ୍ନ ଲିଙ୍କରେ ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଏବଂ ବର୍ତ୍ତମାନର ମାର୍ଗଦର୍ଶିକା ଦିଆଯାଇଛି https://cdn.thepublive.com/sambad/media/pdf_files/54a933b24ca54b1e2b30c0b097bcf774f3db67bbdf45165b4c13f21e53630ee5.pdf