କୋହଲିଙ୍କୁ ଆଇସିସି ଚେତାବନୀ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଅବସରରେ ଅଶୋଭନୀୟ ଆଚରଣ ପାଇଁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଚେତାବନୀ ଶୁଣାଇ‌ଛି। ବେଙ୍ଗାଲୁରୁ ମ୍ୟାଚ୍‌ ବେଳେ ଦକ୍ଷିଣ ଆଫ୍ରିକା ବୋଲର ବିଉରନ୍‌ ହେଣ୍ଡ୍ରିକ୍ସଙ୍କ ସହିତ ଅଯଥାରେ ଶାରୀରିକ ସମ୍ପର୍କରେ ଆସିଥିଲେ ସେ। ସୋମବାର ଆଇସିସି କୋହଲିଙ୍କୁ ଚେତାବନୀ ଦେବା ସହିତ ଗୋଟିଏ ଡି-ମେରିଟ୍‌ ପଏଣ୍ଟ୍‌ ଲଦି ଦେଇଛି। ରବିବାର ରାତିରେ କୋହଲିଙ୍କ ଆଚରଣ ଆଇସିସିର ଖେଳାଳିଙ୍କ ଆଚରଣ ସଂହିତା ଧାରା-୧ର ୨.୧୨କୁ ଉଲ୍ଲଂଘନ କରିଥିଲା ବୋଲି କୁହାଯାଇଛି। ୨୦୧୭ ମସିହାରେ ସଂଶୋଧିତ ଆଚରଣ ସଂହିତା ଲାଗୁ‌ ହେବା ପରଠାରୁ କୋହଲି ତୃତୀୟ ଥର ଦଣ୍ଡିତ ହୋଇଛନ୍ତି। ପୂର୍ବରୁ ପ୍ରିଟୋରିଆ ଟେଷ୍ଟ୍‌ ଏବଂ ଗତ ବିଶ୍ବକପ୍‌ର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ କୋହଲି ପୂର୍ବ ଦୁଇ ଡି-ମେରିଟ୍ ପଏଣ୍ଟ୍ ପାଇଥିଲେ।

ରବିବାର ରାତିରେ ମ୍ୟାଚ୍‌ର ପଞ୍ଚମ ଓଭରରେ କୋହଲି ଏକ ରନ୍ ନେବା ବାଟରେ ବୋଲର ହେଣ୍ଡ୍ରିକ୍ସଙ୍କ କାନ୍ଧରେ ଘସି ହୋଇଯାଇଥିଲେ। ଅମ୍ପାୟାର୍‌ ନିତିନ‌ ମେନନ୍‌ ଏବଂ ସିକେ ନନ୍ଦନ୍‌, ତୃତୀୟ ଅମ୍ପାୟାର୍‌ ଅନିଲ ଚୌଧୁରୀ ଏବଂ ଚତୁର୍ଥ ଅମ୍ପାୟାର୍‌ ସି ସାମସୁଦ୍ଦିନ୍ ଏହାକୁ ନଜରକୁ ଆଣିବା ପରେ ମ୍ୟାଚ୍‌ ରେଫରି ରିଚି ରିଚାର୍ଡସନ୍‌ ଏହି ଶୁଣାଣି କରିଥିଲେ। କୋହଲି ନିଜ ଭୁଲକୁ ସ୍ବୀକାର କରିନେବା ସହିତ ଦଣ୍ଡକୁ ମଧ୍ୟ ଗ୍ରହଣ କରି ନେଇଛନ୍ତି।

ସମ୍ବନ୍ଧିତ ଖବର