୫୭ କ୍ରିକେଟ୍‌ର୍‌ଙ୍କୁ ୭୮ ଲକ୍ଷ ଦେବ ଆଇସିଏ, କରୋନା ପ୍ରଭାବିତଙ୍କୁ ସହାୟତା

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅତିମାତ୍ରାରେ ପ୍ରଭାବିତ ହୋଇଥିବା କ୍ରିକେଟର୍‌ଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ କ୍ରିକେଟର୍‌ଙ୍କ ସଂଘ (ଆଇସିଏ)। ଦୃଷ୍ଟାନ୍ତମୂଳକ ଅବଦାନକୁ ପାଥେୟ କରି ଏହି ସଂଘ ୭୮ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ଼ କରିଛି। ଏହି ପାଣ୍ଠିକୁ ଅତି ଜରୁରି ମନେ କରୁଥିବା ୫୭ ଜଣ କ୍ରିକେଟର୍‌ଙ୍କୁ ପ୍ରଦାନ କରିବ ବୋଲି ସଂଘ ଚିନ୍ତା କରିଛି। କରୋନା ସଂକଟ ଯୋଗୁଁ ଆର୍ଥିକ ଅନାଟନରେ ରହିଥିବା ୨୫ରୁ ୩୦ ପୂର୍ବତନ ଖେଳାଳିଙ୍କୁ ପ୍ରକୃତରେ ସହାୟତା ଯୋଗାଇଦେବାକୁ ସଂଘ ଯୋଜନା କରିଥିଲା। ତେବେ ପାଣ୍ଠି ଯୋଗାଡ଼ରେ ବୃଦ୍ଧି ଯୋଗୁଁ ଏବେ ୫୭ ଜଣଙ୍କୁ ଏହି ସହାୟତା କରିବାକୁ ଚିନ୍ତା କରିଛୁ ବୋଲି କହିଛନ୍ତି ଆଇସିଏର ସଭାପତି ଅଶୋକ ମାଲହୋତ୍ରା। ପୂର୍ବ ଯୋଜନା ବାଦ୍ ଅଧିକ ଯେଉଁ ନୂଆ ୨୪ ଜଣ ହିତାଧିକାରୀ ରହିଛନ୍ତି ସେମାନଙ୍କ ମଧ୍ୟରେ ଦୃଷ୍ଟିହୀନ କ୍ରିକେଟର୍‌ ଶେଖର ନାଏକ ରହିଛନ୍ତି।

୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୪ ଦିନିକିଆ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ନେତୃତ୍ବ ନେଇଥିବା ଶେଖର ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଶେଖରଙ୍କୁ କ୍ୟାଟେଗୋରି-ଏରେ ସାମିଲ କରାଯାଇଛି ଏବଂ ଅନ୍ୟ ୭ ଜଣଙ୍କ ସହିତ ତାଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ତାଙ୍କ ବ୍ୟତୀତ ତିନି ପୂର୍ବତନ ଖେଳାଳିଙ୍କ ବିଧବା ପତ୍ନୀ ମଧ୍ୟ ରହିଛନ୍ତି। ଦ୍ବିତୀୟ ଓ ତୃତୀୟ କ୍ୟାଟେଗୋରିରେ ଯଥାକ୍ରମେ ୮ ଜଣ ଲେଖାଏଁ ସାମିଲ ଥିଲା ବେଳେ ସେମାନଙ୍କୁ ଯଥାକ୍ରମେ ୮୦,୦୦୦ ଓ ୬୦,୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ମାଲହୋତ୍ରା ସୂଚନା ଦେଇଛନ୍ତି। ଏହା ବାଦ୍‌ ଯେଉଁ କ୍ରିକେଟର୍‌ମାନଙ୍କ ପାଖରେ କାର୍ଯ୍ୟ ନାହିଁ ଏବଂ ଯେଉଁମାନେ ବିସିସିଆଇଠାରୁ ପେନ୍‌‌ସନ୍‌ ହେଉ କିମ୍ବା ସେମାନଙ୍କ ରାଜ୍ୟ ସଂଘଠାରୁ କୌଣସି ସହାୟତା ପାଉନାହାନ୍ତି ସେମାନଙ୍କୁ ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ବିଶେଷକରି ସୁନିଲ ଗାଭାସ୍କର ଏବଂ କପିଳ ଦେବଙ୍କ ଭଳି କିଂବଦନ୍ତି ଖେଳାଳି ଏହି ପାଣ୍ଠିକୁ ସହାୟତା ରାଶି ଯୋଗାଇ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ପ୍ରାୟ ୧୭୫୦ ପୂର୍ବତନ କ୍ରିକେଟର୍‌ ଆଇସିଏରେ ପଞ୍ଜୀକୃତ ହୋଇଛନ୍ତି। ଭାରତର ପ୍ରଥମ ଖେଳାଳିଙ୍କ ସଂଘ ଭାବେ ଗତବର୍ଷ ଗଢ଼ି ଉଠିଥିବା ଆଇସିଏକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ଚଳିତ ବର୍ଷ ଫେବ୍ରୁଆରିରେ ୨ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିଲା।

ସମ୍ବନ୍ଧିତ ଖବର