ଦୁବାଇ: ଆତଙ୍କବାଦକୁ ନେଇ ବିସିସିଆଇ କରିଥିବା ଅନୁରୋଧକୁ ଆଇସିସି ଅଗ୍ରାହ୍ୟ କରି ‌ଦେଇଛି। ଆତଙ୍କବାଦୀଙ୍କ ସହ ସଂପର୍କ ରଖିଥିବା ଦେଶ ସହ କ୍ରିକେଟ୍ ସଂପର୍କ ତୁଟାଇବାକୁ ବିସିସିଆଇ କିଛି ଦିନ ତଳେ ପତ୍ର ଜରିଆରେ ଆଇସିସିକୁ ଅନୁରୋଧ କରିଥିଲା। ହେଲେ ଏଭଳି କରିବା ସମ୍ଭବ ନୁହେଁ ବୋଲି ରବିବାର ଆଇସିସି ସ୍ପଷ୍ଟ କରିଦେଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଫେବ୍ରୁଆରି ୨୨ରେ ଆଇସିସିକୁ ଲେଖିଥିବା ଏହି ପତ୍ରରେ ଆତଙ୍କବାଦର ପ୍ରମୁଖ ପ୍ରାୟୋଜକ ପାକିସ୍ତାନକୁ ବାସନ୍ଦ କରିବାକୁ ପରୋକ୍ଷରେ ଦାବି କରିଥିଲେ। ଏଭଳି କ‌ୌଣସି ନିଷ୍ପତ୍ତି ନେବା ଆମ କ୍ଷମତା ଓ ଅଧିକାର ବାହାରେ। ଏଥିରେ ଆମର କୌଣସି ଭୁମିକା ନାହିଁ ବୋଲି ଆଇସିସି ଆଜି ଉତ୍ତର ରଖିଛି। ବିସିସିଆଇ ମଧ୍ୟ ଆଇସିସି ଏଭଳି କିଛି ନିଷ୍ପତ୍ତି ନେବ ବୋଲି ଆଶଙ୍କା କରୁଥିଲା। ଯାହା ତା’ର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ମନ୍ତବ୍ୟରୁ ଜଣାପଡ଼ିଛି। ଏଭଳି କୌଣସ ନିଷ୍ପତ୍ତି ହେବାର ଆଶା ଆଦୌ ନଥିଲା। ଆଇସିସି ଅଧ୍ୟକ୍ଷ ସ୍ପଷ୍ଟ କରି ଦେଇଛନ୍ତି ଯେ କୌଣସି ଦେଶକୁ ବାସନ୍ଦ କରିବାର ନିଷ୍ପତ୍ତି ସରକାରୀ ସ୍ତରରେ ନିଆଯାଏ। ଆଇସିସିର ଏଥିନେଇ କୌଣସି ଭୂମିକା ନଥାଏ। ବିସିସିଆଇ ଏକଥା ଜାଣିଥିଲା, ତଥାପି ଏହାକୁ ଏକ ସୁଯୋଗ ଭାବେ ନେଇଥିଲା ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

Advertisment

କଡ଼ା ସୁରକ୍ଷା ପ୍ରତିଶ୍ରୁତି
ଶନିବାର ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ଅଧ୍ୟକ୍ଷତାରେ ବସିଥିବା ଆଇସିସି ବୋର୍ଡ ବୈଠକରେ ଏହି ମାମଲା ନେଇ ବିସ୍ତୃତ ଚର୍ଚା ହୋଇଥିଲା। କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ ଏଥିରେ ବିସିସିଆଇର ପ୍ରତିନିଧିତ୍ବ କରିଥିଲେ। ହେଲେ ଚୌଧୁରୀ ଏହି ବିଷୟ ଉଠାଇ ନଥିଲେ। ମନୋହର ନିଜ ତରଫରୁ ଏହି ପ୍ରସଙ୍ଗ ଉଠାଇଥିଲେ। ବୋର୍ଡ ସଦସ୍ୟଙ୍କୁ ସେ ବିସିସିଆଇ ପତ୍ର ବିଷୟରେ ଅବଗତ କରାଇଥିଲେ। ତା’ ସହ ଆଇସିସିର ଦାୟିତ୍ବ ଓ କର୍ତ୍ତବ୍ୟ ହେଉଛି, କେବଳ କ୍ରି‌କେଟ୍ ସଂପର୍କିତ ନିଷ୍ପତ୍ତି ନେବା ବୋଲି କହିଥିଲେ। ବୈଠକରେ ଉପସ୍ଥିତ ଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧିକାରୀମାନେ ଏହି ବିଷୟରେ କିଛି ନ କହି ଚୁପ୍ ରହିଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଏହସାନ ମଣି କିନ୍ତୁ ଭାରତରେ ହେବାକୁ ଥିବା ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨୦୨୩ ଦିନିକିଆ ବିଶ୍ବକପ୍ ପାଇଁ ପାକିସ୍ତାନ ଖେଳାଳିଙ୍କ ଭିସା ପ୍ରସଙ୍ଗ ଉଠାଇଥିଲେ। ହେଲେ ଭିସା ଜାରି କରିବା ଦାୟିତ୍ବ ଆୟୋଜକ ଦେଶର ହୋଇଥାଏ। ଏହି ବିଷୟରେ ଯେ କୌଣସି ପଦକ୍ଷେପ ସାଧାରଣତଃ ପ୍ରତିଯୋଗିତାର ବର୍ଷକ ପୂର୍ବରୁ ନିଆଯାଇଥାଏ ବୋଲି ମନୋହର ତାଙ୍କୁ କହିଥିବା ଜଣାପଡ଼ିଛି। ସେପଟେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍ ଭାରତୀୟ ଖେଳାଳି, ପ୍ରଶଂସକ ଏବଂ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ପୁଣି ଥରେ ବିସିସିଆଇକୁ ଆଶ୍ବାସନା ଦେଇଛନ୍ତି। ଅଂଶଗ୍ରହଣକାରୀ ଦଳ, ପ୍ରଶଂସକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆମେ ଅଗ୍ରାଧିକାର ଦେବୁ। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସହ ମିଶି ଆମେ ଏଥିନେଇ କାର୍ଯ୍ୟକରିବୁ। ଆମେ ଏହି ମାମଲାରେ ଇଂଲଣ୍ଡ ସରକାରଙ୍କ ସହାୟତା ମଧ୍ୟ ନେବୁ ବୋଲି ସେ କହିଛନ୍ତି।

ବାତିଲ ହେବନି ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍
ଜୁନ୍ ୧୬ ତାରିଖରେ ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ବିଶ୍ବକପ୍ କ୍ରିକେଟ୍ ମ୍ୟାଚ୍ ପୂର୍ବ ନିର୍ଧାରିତ ସୂଚୀ ଅନୁସାରେ ହେବ। ଏହା ବାତିଲ ହେବନି କିମ୍ବା ଆୟୋଜନ ତାରିଖରେ କୌଣସି ପରିବର୍ତନ ହେବ ନାହିଁ। ରବିବାର ଆଇସିସି ବୋର୍ଡ ବୈଠକ ପରେ ଏହା ସ୍ପଷ୍ଟ ହୋଇଯାଇଛି। ତେବେ ବିସିସିଆଇ ଭାରତୀୟ ଖେଳାଳି, ପ୍ରଶଂସକ ଓ ଅଧିକାରୀଙ୍କ ସୁରକ୍ଷା ନେଇ ଯେଉଁ ଚିନ୍ତା ଜାହିର କରିଥିଲା, ତାର ସମାଧାନ ନିଶ୍ଚିତ କରାଯିବ ବୋଲି ଆଇସିସି ପ୍ରତିଶ୍ରୁତି ଦେଇଛି। ସବୁ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥାଏ। ବିଶ୍ବକପ୍ ପାଇଁ ଆମ ପାଖରେ ବହୁତ ଭଲ ସୁରକ୍ଷା ଯୋଜନା ରହିଛି ବୋଲି ଆଜି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍ କହିଛନ୍ତି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥାନ (ୱାଡା) ନିୟମ ପାଳନ କରିବାକୁ ବିସିସିଆଇ ମନା କରି ଦେଇଥିବାରୁ ଏଥିନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ମାମଲାର ସମାଧାନ ପାଇଁ ୱାଡା, ନାଡା (ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ) ଓ ବିସିସିଆଇ ମଧ୍ୟରେ କଥାବାର୍ତା ହେଉଥିବା ସେ ସୂଚନା ଦେଇଥି‌ଲେ। ସୂଚନାଯୋଗ୍ୟ ଯେ ପୁଲୱାମା ଆତଙ୍କବାଦୀ ଅକ୍ରମଣରେ ୪୪ ଜଣ ସିଆରପିଏଫ୍ ଯବାନ ସହିଦ ହେବା ପରେ ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌କୁ ବର୍ଜନ କରିବାକୁ ହରଭଜନ ସିଂହ ଓ ସୌରଭ ଗାଙ୍ଗୁଲିଙ୍କ ସହ ବହୁ କ୍ରିକେଟର ଦାବି କରିଥିଲେ। ଚାରିଆଡ଼ୁ ଚାପ ପଡ଼ିବା ପରେ ବିସିସିଆଇ ଏଥିନେଇ ଆଇସିସିକୁ ପତ୍ର ଲେଖିଥିଲା।