ୟୁଏଇ, ଓମାନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଖେଳାଯିବ ଟି-୨୦ ବିଶ୍ବକପ : ଆଇସିସି

ମୁମ୍ବାଇ : ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି । ଏଥିପାଇଁ ପୂର୍ବରୁ ବିସିସିଆଇ ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି ।

ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ । ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବ ।

ଭାରତରେ କରୋନା ମହାମାରୀ ଯୋଗୁଁ ଆଇପିଏଲ ପରି ବିଶ୍ବକପକୁ ବି ୟୁଏଇକୁ ଘୁଞ୍ଚାଇ ନିଆଯିବ ବୋଲି କିଛି ଦିନ ତଳେ ବିସିସିଆଇ ସୂଚନା ଦେଇଥିଲା ।

ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଭାରତରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ମହାମାରୀ ମଧ୍ୟରେ ଏପରି ଏକ ବୃହତ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରିଥିଲେ ତାହା ସମସ୍ତଙ୍କ ନିରାପତ୍ତାକୁ ବିପନ୍ନ କରିଥାନ୍ତା ।

ସୂଚନାଯୋଗ୍ୟ ଯେ ଆଇପିଏଲର ଅବଶିଷ୍ଠ ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛି ।

ସମ୍ବନ୍ଧିତ ଖବର