ବିଶ୍ବକପ୍‌ ସୁରକ୍ଷା ବ୍ୟବସ୍ଥା‌ ନେଇ ବିସିସିଆଇକୁ ଆଇସିସି ପ୍ରତିଶ୍ରୁତି

ଦୁବାଇ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ବକପ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସିସିଆଇ ଚିନ୍ତା ଜାହିର କରିଛି। ଆଇସିସି ମଧ୍ୟ ଏହାକୁ ବିଚାରକୁ ନେଇଛି। ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଅବସରରେ ଭାରତୀୟ ଖେଳାଳି, ପ୍ରଶଂସକ ଓ ଅଧିକାରୀଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଆଇସିସି ବୁଧବାର ପ୍ରତିଶ୍ରୁତି ଦେଇଛି। ଆଜି ଏଠାରେ ଅନୁଷ୍ଠିତ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକ ଆରମ୍ଭ ହେବା ମାତ୍ରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଏହି ପ୍ରସଙ୍ଗ ଉଠାଇଥିଲେ। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ ଏହି ଅବସରରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ ବୋଲି ଏହି ଅବସରରେ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ବୈଠକର ଚର୍ଚା ସୂଚୀରେ ନଥିଲେ ମଧ୍ୟ ବିସିସିଆଇର ଅନୁରୋଧ ପରେ ଆଇସିସି ପକ୍ଷରୁ ଏଥିନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ହରଭଜନ ସିଂହ, ସୌରଭ ଗାଙ୍ଗୁଲିଙ୍କ ଭଳି ଲୋକପ୍ରିୟ ଖେଳାଳି ପାକିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ବର୍ଜନ କରିବାକୁ ବିସିସିଆଇକୁ ଆହ୍ବାନ କରିଥିଲେ। ବିସିସିଆଇ ଏହା ପରେ ପାକିସ୍ତାନ ସହ ଅନ୍ତର୍ଜାତୀୟ କ୍ରିକେଟ୍ ନ ଖେଳିବାକୁ ଆଇସିସିର ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ବାନ କରିଥିଲା। ସେହିଭଳି ଭାରତୀୟ ଖେଳାଳି, ଅଧିକାରୀ ଏବଂ ପ୍ରଶଂସକଙ୍କ ସୁରକ୍ଷା ନେଇ ଆଇସିସିକୁ ପତ୍ର ଲେଖିଥିଲା। ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରଠା‌ରେ ଖେଳାଯିବାର ଅଛି।

ସମ୍ବନ୍ଧିତ ଖବର