ଆଇସିସି ପୁରସ୍କାରରେ ଭାରତର ଆଧିପତ୍ୟ : ରୋହିତ ଶ୍ରେଷ୍ଠ ଦିନିକିଆ ଖେଳାଳି, କୋହଲି ଟେଷ୍ଟ୍ ଓ ଦିନିକିଆ ଅଧିନାୟକ
ଦୁବାଇ : ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ତା’ ବାର୍ଷିକ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିଛି। ଏଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ତେବେ ବର୍ଷର ଶ୍ରେଷ୍ଠ କ୍ରିକେଟ୍ ତାରକା ଭାବେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସାର୍ ଗ୍ୟାରି ସୋବର୍ସ ଟ୍ରଫି ଜିତି ନେଇଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଶ୍ରେଷ୍ଠ ଟେଷ୍ଟ୍ ଖେଳାଳି ଏବଂ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ଗତ କ୍ୟାଲେଣ୍ଡର ବର୍ଷରେ ରୋହିତ ବିଶ୍ବକପ୍ରେ ୫ ଶତକ ସହ ଏକଦିବସୀୟ କ୍ରିକେଟ୍ରେ ମୋଟ ୭ ଶତକ ଅର୍ଜନ କରିଥିଲେ। ବିଶ୍ବକପ୍ରେ ସେ ୬୪୮ ରନ୍ କରିଥିଲେ। ଯାହା ଗୋଟିଏ ବିଶ୍ବକପ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହାସଲ କରିଥିବା ସର୍ବାଧିକ ୬୭୩ ରନ୍ (୨୦୦୩)ଠାରୁ ମାତ୍ର ୨୫ ରନ୍ କମ୍ ଥିଲା। ୨୦୧୯ କ୍ୟାଲେଣ୍ଡର ବର୍ଷରେ ରୋହିତ ୨୮ ଦିନିକିଆ ଖେଳି ୧୪୯୦ ରନ୍ ହାସଲ କରିଥିଲେ। ଷ୍ଟୋକ୍ସ ଇଂଲଣ୍ଡକୁ ପ୍ରଥମ ଥର ପାଇଁ ବିଶ୍ବକପ୍ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେପଟେ କମିନ୍ସ ୨୩ ପାଳିରୁ ୫୯ ୱିକେଟ୍ ନେଇ ଶ୍ରେଷ୍ଠ ଟେଷ୍ଟ୍ ଖେଳାଳି ଭାବେ ମନୋନୀତ ହୋଇଥିଲେ। ୧୦ ଟେଷ୍ଟ୍ ଖେଳି ୧୦୨୨ ରନ୍ କରିଥିବା ଅଷ୍ଟ୍ରେଲିଆର ମାର୍ନସ ଲବୁସାନ୍ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ବିଶ୍ବକପ୍ ବେଳେ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଅପମାନିତ ନକରିବାକୁ ଦର୍ଶକଙ୍କୁ ଆହ୍ବାନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ଖେଳୁଆଡ଼ ମନୋଭାବ ବା ସ୍ପିରିଟ୍ ଅଫ୍ ଦି ଗେମ୍ ପୁରସ୍କାର ହାସଲ କରିଛନ୍ତି। ଆଇସିସି ମଧ୍ୟ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ ଟେଷ୍ଟ୍ ଏବଂ ଦିନିକିଆ ଦଳ ଘୋଷଣା କରିଛି। ଉଭୟ ଦଳର ଅଧିନାୟକ ପଦ କୋହଲିଙ୍କୁ ମିଳିଛି। ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପ୍ରଦର୍ଶନ ପୁରସ୍କାର ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ଖାତାକୁ ଯାଇଛି। ବାଂଲାଦେଶ ବିପକ୍ଷରେ ୭ ରନ୍ ଦେଇ ୬ ୱିକେଟ୍ ନେଇଥିବାରୁ ସେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
ଆଇସିସି ଦିନିକିଆ ଦଳ (ବ୍ୟାଟିଂ କ୍ରମରେ): ରୋହିତ ଶର୍ମା, ସାଇ ହୋପ୍, ବିରାଟ କୋହଲି (ଅଧିନାୟକ), ବାବର ଆଜମ୍, କେନ୍ ୱିଲିୟମ୍ସନ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟ୍ଟଲର୍ (ୱିକେଟ୍ରକ୍ଷକ), ମିଚେଲ ଷ୍ଟାର୍କ, ଟ୍ରେଣ୍ଟ୍ ବୋଲ୍ଟ, ମହମ୍ମଦ ସାମି ଓ କୁଲ୍ଦୀପ ଯାଦବ।
ଆଇସିସି ଟେଷ୍ଟ୍ ଦଳ (ବ୍ୟାଟିଂ କ୍ରମରେ): ମୟଙ୍କ ଅଗ୍ରୱାଲ, ଟମ୍ ଲାଥାମ୍, ମାର୍ନସ୍ ଲବୁସାନ୍, ବିରାଟ କୋହଲି (ଅଧିନାୟକ), ଷ୍ଟିଭ୍ ସ୍ମିଥ୍, ବେନ୍ ଷ୍ଟୋକ୍ସ, ବିଜେ ୱାଟ୍ଲିଙ୍ଗ୍ (ୱିକେଟ୍ରକ୍ଷକ), ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନିଲ୍ ୱାଗ୍ନର, ନାଥନ୍ ଲାୟନ୍।
ବିଭିନ୍ନ ବର୍ଗର ପୁରସ୍କାର ବିଜେତା
ଶ୍ରେଷ୍ଠ ଖେଳାଳି: ବେନ୍ ଷ୍ଟୋକ୍ସ
ଶ୍ରେଷ୍ଠ ଦିନିକିଆ ଖେଳାଳି: ରୋହିତ ଶର୍ମା
ଶ୍ରେଷ୍ଠ ଟେଷ୍ଟ୍ ଖେଳାଳି: ପ୍ୟାଟ୍ କମିନ୍ସ
ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପ୍ରଦର୍ଶନ: ଦୀପକ ଚହର (୬/୭)
ଶ୍ରେଷ୍ଠ ଉଦୀୟମାନ ଖେଳାଳି: ମାର୍ନସ ଲବୁସାନ
ଶ୍ରେଷ୍ଠ ସହଯୋଗୀ ସଦସ୍ୟ ଖେଳାଳି: କାଇଲ୍ କୋଏଜର (ସ୍କଟଲାଣ୍ଡ)
ଶ୍ରେଷ୍ଠ ଖେଳୁଆଡ଼ ମନୋଭାବ: ବିରାଟ କୋହଲି
ଶ୍ରେଷ୍ଠ ଅମ୍ପାୟାର: ରିଚାର୍ଡ ଇଲିଙ୍ଗଟନ୍
ଶ୍ରେଷ୍ଠ ଟେଷ୍ଟ ଅଧିନାୟକ: ବିରାଟ କୋହଲି
ଶ୍ରେଷ୍ଠ ଦିନିକିଆ ଅଧିନାୟକ: ବିରାଟ କୋହଲି
କୋହଲି ଚକିତ
ପଡ଼ିଆ ଭିତରର ଆକ୍ରମଣାତ୍ମକ ବ୍ୟବହାର ପାଇଁ ବର୍ଷ ବର୍ଷ ଧରି ସମାଲୋଚିତ ହୋଇ ଆସୁଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଖେଳୁଆଡ଼ ମନୋଭାବ ବା ସ୍ପିରିଟ୍ ଅଫ୍ ଗେମ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଯାହା କୋହଲିଙ୍କୁ ଚକିତ କରିଛି। ସେ ଏହାକୁ ବିଶ୍ବାସ କରି ପାରୁନାହାନ୍ତି। ଏଥିନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରି କୋହଲି କହିଛନ୍ତି ଯେ ଏହି ପୁରସ୍କାର ପାଇବା ମୋତେ ବିସ୍ମିତ କରିଛି। ନକାରାତ୍ମକ କଥା ପାଇଁ ଢେର ବର୍ଷ ସମସ୍ତଙ୍କ ନଜରରେ ରହିବା ପରେ ଏଭଳି ଏକ ପୁରସ୍କାର ଜିତିବା ମୋତେ ଆନନ୍ଦିତ କରିଛି। ୨୦୧୯ ଏକଦିବସୀୟ ବିଶ୍ବକପ୍ ବେଳେ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟିଭେନ୍ ସ୍ମିଥଙ୍କୁ କଟାକ୍ଷ ନ କରିବାକୁ କୋହଲି ଦର୍ଶକଙ୍କୁ ଅନୁରୋଧ କରିଥିଲେ। ସ୍ମିଥଙ୍କ ସହ ପୁରୁଣା ପ୍ରତିଦ୍ବନ୍ଦ୍ବିତା ଥାଇ ମଧ୍ୟ ଏଭଳି କରିବା ତାଙ୍କୁ ଆଇସିସି ପୁରସ୍କାରର ବିଜେତା କରିଛି।