ଆଇସିସି ପୁରସ୍କାରରେ କୋହଲି ରାଜ୍‌

ଦୁବାଇ : ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଲଜ୍ଜାଜନକ ପରାଜୟ ଦୁଃଖର ଦିନକ ପରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖକୁ ଦୁବାଇରୁ ଉତ୍ସାହଭରା ଖୁସି ଖବର ଆସିଛି। ଦୁବାଇରେ ଥିବା ଆଇସିସି ମୁଖ୍ୟାଳୟରୁ ଗୁରୁବାର ପ୍ରକାଶିତ କ୍ରିକେଟରଙ୍କ ବାର୍ଷିକ ପୁରସ୍କାର ତାଲିକାରେ କୋହଲି ପୂରା ଆଧିପତ୍ୟ ବିସ୍ତାର କରିଛନ୍ତି। ସେ ଏକାକି ଚାରିଟି ବିଭାଗର ପୁରସ୍କାର ଜିତି ନେଇଛନ୍ତି। ଭାରତୀୟ ଅଧିନାୟକ କୋହଲି ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ସହ ଶ୍ରେଷ୍ଠ ଦିନିକିଆ ଖେଳାଳି, ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ଏବଂ ଶ୍ରେଷ୍ଠ ଦିନିକିଆ ଅଧିନାୟକର ପୁରସ୍କାର ଲାଭ କରିଛନ୍ତି। ସେପ୍ଟେମ୍ବର ୨୧, ୨୦୧୬ରୁ ୨୦୧୭ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତର ପ୍ରଦର୍ଶନକୁ ବିଚାରକୁ ନେଇ ପୁରସ୍କାର ବିଜେତାଙ୍କ ନାଁ ବଛା ଯାଇଛି। ଏହି ସମୟ ଭିତରେ କୋହଲି ଟେଷ୍ଟରେ ୭୭.୮୦ ହାରରେ ୮ ଶତକ ସହ ୨,୨୦୩ ରନ୍‌ କରିଛନ୍ତି। ସେହିଭଳି ଦିନିକିଆରେ ୭ ଶତକ ସହ ୮୨.୬୩ ହାରରେ ୧,୮୧୮ ରନ୍‌ ଅର୍ଜନ କରିଛନ୍ତି। କୋହଲି ଗତବର୍ଷ ଅକ୍ଟୋବର ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକୀୟ ପାଳି ଖେଳି ଦିନିକିଆରେ ସର୍ବାଧିକ ଶତକ ହାସଲକରୀଙ୍କ ମଧ୍ୟରେ ରିକି ପଣ୍ଟିଂଙ୍କୁ ହଟାଇ ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଥିଲେ। କାନପୁରରେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨ତମ ଦିନିକିଆ ଶତକ ହାସଲ କରି ୯,୦୦୦ ରନ୍‌ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ ହୋଇଥିଲେ। ସେହିଭଳି ପଣ୍ଟିଂଙ୍କୁ ପଛରେ ପକାଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସଫଳତମ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ। ୮୮୯ ପଏଣ୍ଟ ସହ କୋହଲି ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନ ପୁଣି ଥରେ ହାସଲ କରି ନେଇଥିଲେ। ଦିନିକିଆ ପଏଣ୍ଟ୍‌ ଅର୍ଜନରେ ଭାରତୀୟଙ୍କ ମଧ୍ୟରେ ସେ ଶ୍ରେଷ୍ଠ ଖେଳାଳି ହୋଇ ସଫଳତାର ନୂଆ ସ୍ତର ଛୁଇଁଥିଲେ।

ଶ୍ରେଷ୍ଠ ଦିନିକିଆ ଖେଳାଳି ମନୋନୟନରେ କୋହଲିଙ୍କୁ ପାକିସ୍ତାନ ଦ୍ରୁତ ବୋଲର ହାସନ ଅଲ୍ଲୀ, ଆଫଗାନିସ୍ତାନ ଲେଗ୍‌ସ୍ପିନର ରସିଦ ଖାନ୍‌ ଏବଂ ସାଥୀ ଖେଳାଳି ରୋହିତ ଶର୍ମାଙ୍କ ସହ ମୁକାବିଲା କରିବାକୁ ପଡ଼ିଥିଲା। ଅନ୍ୟ ପକ୍ଷରେ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ତଥା ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର ହାତେଇ ନେଇଥିଲେ। ସେପ୍ଟେମ୍ବର ୨୧, ୨୦୧୬ରୁ ୨୦୧୭ ମସିହା ଡିସେମ୍ବର ୩୧ ମଧ୍ୟରେ ସେ ୧୭ ମ୍ୟାଚ୍‌ରୁ ୭୮.୧୨ ହାରରେ ୮ ଶତକ ଓ ୫ ଅର୍ଧଶତକ ବଳରେ ୧୮୭୫ ରନ୍‌ କରିଥିଲେ। ଗତବର୍ଷ ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷରେ ୨୫ ରନ୍‌ ଦେଇ ୬ ଓ୍ଵିକେଟ୍‌ ଅକ୍ତିଆର କରିଥିବା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ପ୍ରଦର୍ଶନ ପୁରସ୍କାର ଲାଭ କରିଥିଲେ। ଆଇସିସି ସହାୟକ ସଦସ୍ୟ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଆଫଗାନିସ୍ତାନର ରସିଦ ଖାନ୍‌ ପାଇଥିଲେ। ୨୦୧୭ରେ ସେ ୬୦ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଦିନିକିଆରେ ସେ ନେଇଥିବା ୪୩ ଓ୍ଵିକେଟ୍‌ ବି ସହାୟକ ସଦସ୍ୟ ଦେଶଙ୍କ ମଧ୍ୟରେ ନୂଆ କୀର୍ତ୍ତିମାନ ଥିଲା।

ବର୍ଷର ଶ୍ରେଷ୍ଠ ଖେଳାଳି
ଶ୍ରେଷ୍ଠ ଦିନିକିଆ ଖେଳାଳି
ଶ୍ରେଷ୍ଠ ଦିନିକିଆ ଅଧିନାୟକ
ଶ୍ରେଷ୍ଠ ଟେଷ୍ଟ୍‌ ଅଧିନାୟକ

ଆଇସିସି ଦିନିକିଆ, ଟେଷ୍ଟ୍‌ ଦଳରେ ଭାରତରୁ ୩-୩

୨୦୧୭ର ପ୍ରଦର୍ଶନକୁ ବିଚାରକୁ ନେଇ ଗୁରୁବାର ଆଇସିସି ବର୍ଷର ଶ୍ରେଷ୍ଠ ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରିଛି। ଏଥିରେ ବିଭିନ୍ନ ଦଳର ସଫଳ ଖେଳାଳି ସ୍ଥାନ ପାଇଛନ୍ତି। ଉଭୟ ଦଳର ଅଧିନାୟକ ବିରାଟ କୋହଲି ରହିଛନ୍ତି। ଭାରତରୁ ଦୁଇଟି ଯାକ ଦଳରେ ୩ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ଦିନିକିଆ ଦଳରେ କୋହଲିଙ୍କ ସହ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଯସପ୍ରୀତ ବୁମରା ଅଛନ୍ତି। ଅନ୍ୟ ପକ୍ଷରେ ଟେଷ୍ଟ ଦଳରେ କୋହଲିଙ୍କ ସହ ଚେତେଶ୍ୱର ପୂଜାରା ଓ ରବିଚନ୍ଦ୍ରନ୍‌ ଅଶ୍ୱିନ ରହିଛନ୍ତି। ଆଇସିସି ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ, ଭାରତ), ଡେଭିଡ୍‌ ଓ୍ଵାର୍ନର (ଅଷ୍ଟ୍ରେଲିଆ), ରୋହିତ ଶର୍ମା (ଭାରତ), ବାବର ଆଜମ (ପାକିସ୍ତାନ), ଏବି ଡିଭିଲିୟର୍ସ (ଦକ୍ଷିଣ ଆଫ୍ରିକା), କ୍ୱିଣ୍ଟନ ଡି କକ୍‌ (ଦକ୍ଷିଣ ଆଫ୍ରିକା), ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ), ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ), ହାସନ ଅଲ୍ଲୀ (ପାକିସ୍ତାନ), ରସିଦ ଖାନ୍‌ (ଆଫଗାନିସ୍ତାନ), ଯସପ୍ରୀତ ବୁମରା (ଭାରତ)। ଆଇସିସି ଟେଷ୍ଟ୍‌ ଦଳ: ବିରାଟ କୋହଲି (ଅଧିନାୟକ, ଭାରତ), ଡିନ୍‌ ଏଲଗାର (ଦକ୍ଷିଣ ଆଫ୍ରିକା, ଡେଭିଡ୍‌ ଓ୍ଵାର୍ନର (ଅଷ୍ଟ୍ରେଲିଆ), ଷ୍ଟିଭେନ ସ୍ମିଥ୍‌ (ଅଷ୍ଟ୍ରେଲିଆ), ଚେତେଶ୍ୱର ପୂଜାରା (ଅଷ୍ଟ୍ରେଲିଆ), ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ), କ୍ୱିଣ୍ଟର ଡି’ କକ୍‌ (ଦକ୍ଷିଣ ଆଫ୍ରିକା), ରବିଚନ୍ଦ୍ରନ୍‌ ଅଶ୍ୱିନ (ଭାରତ), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), କାଗିସୋ ରବାଦା (ଦକ୍ଷିଣ ଆଫ୍ରିକା), ଜେମ୍ସ ଆଣ୍ଡରସନ୍‌ (ଇଂଲଣ୍ଡ)।

୯୦୦ ପଏଣ୍ଟ୍‌ ପାଇବାରେ କୋହଲି ଦ୍ୱିତୀୟ ଭାରତୀୟ

ବର୍ଷର ଶ୍ରେଷ୍ଠ ଖେଳାଳି ସହ ମୋଟ ଚାରିଟି ଆଇସିସି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ସଫଳତାର ଆଉ ଏକ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ପରେ ୯୦୦ ଟେଷ୍ଟ୍‌ ମାନ୍ୟତା ପଏଣ୍ଟ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ କ୍ରିକେଟର ହୋଇଛନ୍ତି। ସେଞ୍ଚୁରିଅନ ଟେଷ୍ଟ୍‌ ପୂର୍ବରୁ କୋହଲି ୮୮୦ ପଏଣ୍ଟରେ ଥିଲେ। ଏହି ମୁକାବିଲାର ପ୍ରଥମ ପାଳିରେ ୧୫୩ ରନ୍‌ କରିବା ପରେ ତାଙ୍କ ମାନ୍ୟତା ପଏଣ୍ଟ ୯୦୦ ହୋଇ ଯାଇଛି। ୧୯୭୯ରେ ଓଭାଲଠାରେ ନିଜ ୫୦ତମ ଟେଷ୍ଟରେ ୨୨୧ ରନ୍‌ କରିବା ପରେ ଗାଭାସ୍କର ତାଙ୍କ ପଏଣ୍ଟ୍‌ ସଂଖ୍ୟା ୯୧୬ରେ ପହଞ୍ଚାଇ ପାରିଥିଲେ। ୯୦୦ ଟେଷ୍ଟ ମାନ୍ୟତା ପଏଣ୍ଟ ଛୁଇଁବାରେ କୋହଲି ବିଶ୍ୱର ୩୧ତମ ଖେଳାଳି ହୋଇଛନ୍ତି। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଡନ୍‌ ବ୍ରାଡମ୍ୟାନ୍‌ ୯୬୧ ପଏଣ୍ଟ ସହ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ବର୍ତମାନର ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ୯୪୭ ପଏଣ୍ଟ ଅର୍ଜନ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସ୍ମିଥ୍‌ ସଂପ୍ରତି କୋହଲିଙ୍କଠାରୁ ୪୭ ପଏଣ୍ଟ ଆଗରେ ଅଛନ୍ତି।

ସମ୍ବନ୍ଧିତ ଖବର