କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବାର ମାତ୍ର କିଛି ଦିନ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଆଇସିସି ଜଣେ ଆମେରିକୀୟ କ୍ରିକେଟର୍‌ଙ୍କୁ ଗୁରୁବାର ସମସ୍ତପ୍ରକାର କ୍ରିକେଟ୍‌ରୁ ବାସନ୍ଦ କରିଛି। ବାର୍ବାଡସ୍‌ରେ ଆୟୋଜିତ ଏକ କ୍ରିକେଟ୍‌ ଲିଗ୍‌ ଅବସରରେ ଆରୋନ ଜୋନ୍ସ ନାମକ ଏହି କ୍ରିକେଟର୍‌ଜଣକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ଥିବାର ପ୍ରମାଣ ମିଳିବା ପରେ ଆଇସିସି ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ନିଜ ପକ୍ଷ ରଖିବାକୁ ଆରୋନଙ୍କୁ ୧୪ ଦିନର ସମୟ ଦେଇଛି ଆଇସିସି।

Advertisment

ଆମେରିକା ପକ୍ଷରୁ ୫୨ ଦିନିକିଆ ଏବଂ ୪୮ ଟ୍ବେଣ୍ଟି-୨୦ ଖେଳିଛନ୍ତି ଆରୋନ

୩୧ବର୍ଷୀୟ ଆରୋନ ସଂପ୍ରତି ବିଶ୍ବକପ୍‌ ଲାଗି ଶ୍ରୀଲଙ୍କାରେ ପ୍ରସ୍ତୁତି କରୁଛନ୍ତି। ଏଭଳି ସ୍ଥିତିରେ ଆଇସିସିର ଏହି କାର୍ଯ୍ୟାନୁଷ୍ଠାନ ଆମେରିକୀୟ କ୍ରିକେଟ୍‌ ଦଳ ପାଇଁ ଏକ ଶକ୍ତ ଝଟକା ହୋଇଛି। କାରଣ ଆମେରିକା ଏପର୍ଯ୍ୟନ୍ତ ବିଶ୍ବକପ୍‌ ଦଳ ଘୋଷଣା କରି ନଥିଲେ ମଧ୍ୟ ଆରୋନ ଏଥିରେ ସ୍ଥାନ ପାଇବାର ଯଟେଷ୍ଟ ସମ୍ଭାବନା ଥିଲା। ସେ ଆମେରିକା ପକ୍ଷରୁ ୫୨ ଦିନିକିଆ ଏବଂ ୪୮ ଟ୍ବେଣ୍ଟି-୨୦ ଖେଳିଛନ୍ତି। ୨୦୧୯ରେ ଅନ୍ତର୍ଜାତୀୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୨୪ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କାନାଡା ବିପକ୍ଷରେ ସେ ୪୦ ବଲ୍‌ରୁ ୯୦ ରନ୍‌ର ବିସ୍ଫୋରକ ଓ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ। ପାକିସ୍ତାନ ବିପକ୍ଷ ଐତିହାସିକ ବିଜୟ‌‌ରେ ୨୬ବଲ୍‌ରୁ ୩୬ ରନ୍‌ କରିଥିଲେ। ଏପ୍ରିଲ ୨୦୨୫ରୁ କିନ୍ତୁ ଆରୋନ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌-୨୦୨୬ରେ ଆମେରିକା ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛି। ଭାରତ ବିପକ୍ଷରେ ଫେବ୍ରୁଆରି ୭ ତାରିଖରେ ଅଭିଯାନ ଆରମ୍ଭ କରିବାର ଅଛି।

ଆହୁରି ପଢ଼ନ୍ତୁ: Bessent slams India-EU FTA: ଭାରତ-ଇୟୁ ବାଣିଜ୍ୟିକ ରାଜିନାମାକୁ ନୈରାଶ୍ୟଜନକ କହିଲା ଆମେରିକା