ଦୁବାଇ: ଭାରତରେ କ୍ରିକେଟର କ୍ରେଜ ବେଶ ରହିଛି । ଇଣ୍ଡିଆ ମ୍ୟାଚ୍ ଥିଲେ ସମସ୍ତଙ୍କୁ କ୍ରିକେଟ୍ ଫିଭର ଚଢେ ହେଲେ ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ଥାଏ ତାହାଲେ କଥା ସରିଲା । ଲୋକେ ସବୁ କାମ ବନ୍ଦ କରି ଘରେ ଟିଭି ଖୋଲି ବସିଯାଆନ୍ତି । ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌ର କ୍ରେଜ୍ ହିଁ କିଛି ଅଲଗା । କ୍ରିକେଟପ୍ରେମୀ ଏହି ଅବସରକୁ ଚାତକ ପରି ଚାହିଁ ରହିଥାନ୍ତି । ଉଭୟ ଦେଶର ଲୋକ ମ୍ୟାଚ୍ ପରେ କେତେ ଟିଭି ଭାଙ୍ଗନ୍ତି କେତେ ବାଣ ଫୁଟାନ୍ତି ଏହା ତ ସମସ୍ତେ ଜାଣିଥିବେ । ମ୍ୟାଚ୍ ପୂର୍ବରୁ ବି ହୋମଯଜ୍ଞ , ପୂଜାପାଠର ମାହୋଲ୍ ଜମିଥାଏ । ଆଉ ବିଜୟ ପରର ସେଲିବ୍ରେସନ୍ ତ ହିଁ କିଛି ଅଲଗା । କହିବାକୁ ଗଲେ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ତ ନୁହଁ ଏକପ୍ରକାରର ପର୍ବ ।

Advertisment

ତେବେ ଆଜି ଦୁବାଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ-ପାକିସ୍ତାନ ମହାମୁକାବିଲା ହେବାକୁ ଥିବା ବେଳେ ସାରା ଦେଶର କ୍ରିକେଟ୍ ପ୍ରେମୀ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଆଉ ରୋହିତ ବାହିନୀଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି । ଉତ୍ତରପ୍ରଦେଶ ବାରଣାସୀରେ କ୍ରିକେଟ୍ ପ୍ରେମୀ ଟିମ୍ ଇଣ୍ଡିଆ ପାଇଁ ହୋମଯଜ୍ଞ କରିଛନ୍ତି । ଭାରତୀୟ ଦଳର ବିଜୟ ପାଇଁ ଶଙ୍ଖ ବଜାଇ ପୂଜାପାଠ କରିଛନ୍ତି । ଖାଲି ୟୁପି ନୁହେଁ ଦେଶର କୋଣ ଅନୁକୋଣରୁ ଏପରି ଦୃଶ୍ୟ ଆସୁଛି ଯେଉଁଠି ଟିମ୍ ଇଣ୍ଡିଆର ବିଜୟ ପାଇଁ ଶୁଭ ମନାସୁଛନ୍ତି ଲୋକେ ।