ଦୁବାଇ: ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ଶୁବମନ ଗିଲ୍‌ଙ୍କ ଅପରାଜିତ ଶତକ ବଳରେ ଭାରତ ବିଜୟରୁ ନିଜର ଆଇସିସି ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି। ଗୁରୁବାର ନିଜ ପ୍ରଥମ ମୁକାବିଲାରେ ରୋହିତ ଶର୍ମାଙ୍କ ଦଳ ୬ ୱିକେଟ୍‌ରେ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରି ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି। ସେହି ସମାନ ପଡ଼ିଆରେ ରବିବାର ଭାରତ ଓ ପାକିସ୍ତାନ ନିଜ ଦ୍ବିତୀୟ ମୁକାବିଲାରୋ ଅବତୀର୍ଣ୍ଣ ହେବେ।
ବାଂଲାଦେଶ ଅଧିନାୟକ ନଜମୁଲ ହୋସେନ୍ ସାଣ୍ଟୋ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୪ ମାସ ପରେ ଆଇସିସି ଟୁର୍ଣ୍ଣାମେଣ୍ଟ୍ ଖେଳୁଥିବା ମହମ୍ମଦ ସାମି ପ୍ରଥମ ଓଭରରେ ସୌମ୍ୟ ସରକାର (୦)ଙ୍କୁ ଶିକାର କରି ଅଭିଯାନ ଆରମ୍ଭ କରିଥିଲେ। ସାମିଙ୍କ ଭଳି ଯୁବ ତାରକା ହର୍ଷିତ ରାଣା ବି ନିଜ ପ୍ରଥମ ଓଭରରେ ସାଣ୍ଟୋ (୦)ଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ। ଏହି ଚାପରେ ପଡ଼ି ବାଂଲାଦେଶ ପାୱାର ପ୍ଲେ ୧୦ ଓଭର ଭିତରେ ୫ ୱିକେଟ୍ ହରାଇ ଦେଇଥିଲା। ଏକଦା ୩୫/୫ରେ ସଂଘର୍ଷ କରୁଥିବା ବାଂଲାଦେଶକୁ କିନ୍ତୁ ଭାରତର ଏକାଧିକ ତ୍ରୁଟିପୂର୍ଣ୍ଣ କ୍ଷେତ୍ରରକ୍ଷଣ ବଡ଼ ସହାୟତା କରିଥିଲା।

Advertisment

ଏହି ସମୟରେ କ୍ରିଜ୍‌ରେ ଏକାଠି ହୋଇଥିଲେ ତୌହିଦ ହୃଦୟ ଓ ଜାକର ଅଲୀ। ଉଭୟ ନିଜ ନିଜ ପାଳିର ପ୍ରଥମ ଭାଗରେ ଦେଇଥିବା ସୁଯୋଗକୁ ଭାରତୀୟ କ୍ଷେତ୍ରରକ୍ଷକ ହାତଛଡ଼ା କରିଥିଲେ। ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା ସହଜ କ୍ୟାଚ୍‌ କାବୁ କରିପାରି ନଥିଲେ। କେଏଲ୍ ରାହୁଲ ନିଶ୍ଚିତ ଷ୍ଟମ୍ପିଂକୁ ବି କାର୍ଯ୍ୟକାରୀ କରିପାରି ନଥିଲେ। ଏହାର ଭରପୂର ଫାଇଦା ଉଠାଇଥିଲେ ହୃଦୟ ଓ ଜାକର ଅଲୀ। ଦାୟିତ୍ବର ସହ ପାଳି ସଜାଡ଼ିବା ସହ ୧୫୪ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଫଳରେ ବାଂଲାଦେଶ ପ୍ରତ୍ୟାବର୍ତନ କରିବା ସହ ୨୨୮ ରନ୍‌ର ସମ୍ମାନଜନକ‌ ସ୍କୋର୍‌ କରି ନେଇଥିଲା। ଜାକର ଅଲୀ (୧୧୪ ବଲ୍‌ରୁ ୬୮ ରନ୍)ଙ୍କୁ ଆଉଟ୍ କରି ସାମି ହିଁ ଏହି ଭାଗୀଦାରିକୁ ଅଲଗା କରିଥିଲେ। ଏହା ପରେ ସାମି ଓ ହର୍ଷିତଙ୍କ ନୂଆ ପେସ୍ ଯୋଡ଼ି ଶେଷ ୪ ୱିକେଟ୍‌କୁ ୧୪ ରନ୍ ଭିତରେ ଖସାଇ ବାଂଲାଦେଶକୁ ୨ ବଲ୍ ପୂର୍ବରୁ ଅଲ୍‌ ଆଉଟ୍ କରି ଦେଇଥିଲେ। ଏହାରି ଭିତରେ ବାରମ୍ବାର ମାଂସପେଶୀ ଟାଣି ହୋଇଯାଉଥିଲେ ମଧ୍ୟ ‌‌ହୃଦୟ ଟେଲ୍ ଏଣ୍ଡରଙ୍କୁ ସାଥୀ କରି ଶତକ ପୂର୍ଣ୍ଣ କରିଦେଇଥିଲେ। ଶେଷ ଓଭରରେ ହର୍ଷିତ ହିଁ ତାଙ୍କ ୱିକେଟ୍ ନେଇଥିଲେ। ୧୧୮ ବଲ୍‌ରୁ ହୃଦୟ ୧୦୦ ରନ୍ କରିଥିବା ବେଳେ ଏହା ଭିତରେ ମାତ୍ର ୬ ଚୌକା ଓ ୨ ଛକା ସାମିଲ ଥିଲା। ସାମି (୫/୫୩) କିନ୍ତୁ ଦିନିକିଆ କ୍ରିକେଟ୍‌ରେ ଷଷ୍ଠ ଥର ପାଇଁ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ ତସ୍କିନ୍ ଅହମ୍ମଦଙ୍କ ୱିକେଟ୍ ସହିତ। ଅନ୍ୟପକ୍ଷରେ ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦ ପଦାର୍ପଣରେ ଅନ୍ୟୂନ ୩ ୱିକେଟ୍‌ ନେଇଥିବା ହର୍ଷିତ ଆଇସିସି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ବି ଅନୁରୂପ (୩/୩୧) ସଫଳତା ପାଇଛନ୍ତି। ପୂର୍ବରୁ ପ୍ରଥମ ପରିବର୍ତ୍ତନରେ ବୋଲିଂ କରିଥିବା ଅକ୍ଷର ପଟେଲ୍‌ ପାୱାର ପ୍ଲେ ଭିତରେ ଲଗାତାର ବଲ୍‌ରେ ତଂଜିମ ହାସନ୍ (୨୫) ଓ ମୁସଫିକର ରହିମ୍ (୦)ଙ୍କୁ ଆଉଟ୍ କରି ବାଂଲା‌ଦେଶକୁ ବିପଦରେ ପକାଇଥିଲେ।

ଜବାବରେ ଭାରତ ପାଇଁ ରୋହିତ ଶର୍ମା ଓ ଗିଲ୍‌ ଧମାକାଦାର ଆରମ୍ଭ କରିଥିଲେ। ପାୱାର ପ୍ଲେ ୧୦ ଓଭର ଭିତରେ ଦଳ ୬୯ ରନ୍ ସଂଗ୍ରହ କରି କେବଳ ରୋହିତ ଶର୍ମା (୩୬ ବଲ୍‌ରୁ ୪୧ ରନ୍‌)ଙ୍କ ୱିକେଟ୍ ହରାଇଥିଲା। ତସ୍କିନ୍‌ଙ୍କୁ ବଡ଼ ସଟ୍ ଖେଳିବାକୁ ଯାଇ ରୋହିତ କଭର୍ ପଏଣ୍ଟ୍‌ରେ ରିଶଦ ହୋସେନ୍‌ଙ୍କ ହାତରେ ଧରାପଡ଼ି ଯାଇଥିଲେ। ଏହା ପରେ ବିରାଟ କୋହଲି (୩୮ ବଲ୍‌ରୁ ୨୨ ରନ୍‌) ଓ ଶ୍ରେୟସ ଆୟର (୧୭ ବଲ୍‌ରୁ ୧୫ ରନ୍) ମଧ୍ୟ ଜମିଯିବା ପରେ ଦୁର୍ଭାଗ୍ୟଜନକ ଭାବେ ନିଜ ନିଜ ୱିକେଟ୍ ଫିଙ୍ଗି ଚାଲି ଆସିଥିଲେ। ବିରାଟ କ୍ରମାଗତ ୫ ପାଳିରେ ଲେଗ୍‌ସ୍ପିନର୍‌ଙ୍କ ଶିକାର ହୋଇଥିଲେ। ରିଶଦଙ୍କୁ ‌ଲେଟ୍‌ କଟ୍ ଖେଳି ସୌମ୍ୟ ସରକାରଙ୍କ ହାତକୁ କ୍ୟାଚ୍‌ ଦେଇ ବସିଥିଲେ ବିରାଟ। ଶ୍ରେୟସ ଆୟର ମଧ୍ୟ ମୁସ୍ତାଫିଜରଙ୍କୁ ଆକାଶଚୁମ୍ବି ସଟ୍‌ ଖେଳି ମିଡ୍‌ ଅଫ୍‌ରେ ସାଣ୍ଟୋଙ୍କ ହାତରେ ଧରାପଡ଼ି ଯାଇଥିଲେ। ଅନାବଶ୍ୟକ ଭାବେ ଅକ୍ଷର ପଟେଲ୍‌ (୧୨ ବଲ୍‌ରୁ ୮ ରନ୍) ମଧ୍ୟ ନିଜ ୱିକେଟ୍‌ ହରାଇଥିଲେ। ସେ ମଧ୍ୟ ବଡ଼ ସଟ୍‌ ଖେଳି ରିଶଦ ହୋସେନ୍‌ଙ୍କ ଦ୍ବାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଭାରତ ସାମାନ୍ୟ ଚାପରେ ପଡ଼ିଥିଲା। କିନ୍ତୁ ଶୁବମନ୍ ଗିଲ୍ (୧୨୯ ବଲ୍‌ରୁ ୧୦୧* ରନ୍‌, ୯ ଚୌକା, ୨ ଛକା) ଓ କେଏଲ୍ ରାହୁଲ (୪୭ ବଲ୍‌ରୁ ୪୧* ରନ୍, ୧‌ ଚୌକା, ୨ ଛକା) ଅତୁଟ ପଞ୍ଚମ ୱିକେଟ୍‌ରେ ୮୭ ରନ୍ ଯୋଡ଼ି ଭାରତକୁ ୨୧ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ। ତଂଜିମଙ୍କୁ ଛକା ମାରି ରାହୁଲ ମ୍ୟାଚ୍‌ ଶେଷ କରିଥିଲେ। ଗିଲ୍‌ କ୍ରମାଗତ ଶତକ ହାସଲ କରିଥିବା ବେଳେ ଏହା ଦିନିକିଆରେ ତାଙ୍କ ସପ୍ତମ ଶତକ। ସାମିଙ୍କୁ ପଛରେ ପକାଇ ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୪୯.୪ ଓଭରରେ ୨୨୮/୧୦ (‌ତୌହିଦ ହୃଦୟ-୧୦୦, ଜାକର ଅଲୀ-୬୮, ତଂଜିମ ହାସନ୍-୨୫, ମହମ୍ମଦ ସାମି-୫/୫୩, ହର୍ଷିତ ରାଣା-୩/୩୧, ଅକ୍ଷର ପଟେଲ୍‌-୨/୪୩)। ଭାରତ ୪୬.୩ ଓଭରରେ ୨୩୧/୪ (ଶୁବମନ ଗିଲ୍‌-୧୦୧*, କେଏଲ୍ ରାହୁଲ୍‌-୪୧*, ରୋହିତ ଶର୍ମା-୪୧, ରିଶଦ ହୋସେନ୍‌-୨/୩୮, ତସ୍କିନ୍‌ ଅହମଦ-୧/୩୬, ମୁସ୍ତାଫିଜୁର ରହମାନ-୧/୬୨)।