ଆଇସିସିର କ୍ରିକେଟ୍ ଆବିଷ୍କାର, ତୃତୀୟ ଅମ୍ପାୟାରଠୁ ଏଲ୍‌ଇଡି ଷ୍ଟମ୍ପ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗତ ମଙ୍ଗଳବାର ବିଶ୍ୱ ସୃଜନଶୀଳତା ଏବଂ ଅଭିନବ ଦିବସ ପାଳନ କରିଛି। ପୂର୍ବରୁ ଆଇସିସି କ୍ରିକେଟ୍‌କୁ ଲୋକପ୍ରିୟ ଏବଂ ତ୍ରୁଟିହୀନ କରିବା ଲାଗି ତୃତୀୟ ଅମ୍ପାୟାରଠୁ ଆରମ୍ଭ କରି ଏଲ୍‌ଇଡି ଷ୍ଟମ୍ପ୍‌ ଓ ବେଲ୍‌ ପର୍ଯ୍ୟନ୍ତ ପରୀକ୍ଷଣ କରିସାରିଛି। ବିଭିନ୍ନ ସମୟରେ ଆଇସିସି କରିଥିବା ଅନେକ କ୍ରିକେଟ୍ ଆବିଷ୍କାର ଉପରେ ଆସନ୍ତୁ ନଜର ପକାଇବା।

୧୯୯୨: ରଙ୍ଗୀନ ପୋଷାକ, ତୃତୀୟ ଅମ୍ପାୟାର
୧୯୯୨ ବିଶ୍ବକପ୍‌ରେ ଆଇସିସି ପ୍ରଥମ ଥର ଲାଗି ରଙ୍ଗୀନ ପୋଷାକ ସହ ଧଳା ବଲ୍‌ ଏବଂ କଳା ସାଇଟ୍‌ସ୍କ୍ରିନ୍‌ ବ୍ୟବହାର କରିଥିଲା। ଏହି ପ୍ରତିଯୋଗିତା ପରେ ରଙ୍ଗୀନ ପୋଷାକ ଓ କିଟ୍ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲା। ଏହି ବର୍ଷ ଇଂଲଣ୍ଡକୁ ହରାଇ ପାକିସ୍ତାନ ପ୍ରଥମ ଥର ଲାଗି ବିଶ୍ବକପ୍‌ ଜିତିଥିଲା। ସେହି ସଂସ୍କରଣର ଉପବିଜେତା ଇଂଲଣ୍ଡ ୨୦୧୯ ବିଶ୍ବକପ୍‌ରେ ସମାନ ପ୍ରକାରର ଜର୍ସି ପିନ୍ଧି ବିଜେତା ହେବାର ଗୌରବ ଅର୍ଜନ କରିଥିଲା।

୧୯୯୨ରେ ଦକ୍ଷିଣ ଆଫ୍ରିକା ଓ ଭାରତ କିଙ୍ଗ୍ସମେଡ୍ ଟେଷ୍ଟରେ ପ୍ରଥମ ଥର ପାଇଁ ତୃତୀୟ ଅମ୍ପାୟାର ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଏହାର ପ୍ରଥମ ଶିକାର ହୋଇଥିଲେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର। ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଫିଲ୍ଡ ଅମ୍ପାୟାର ସିରିଲ ମିଚଲି ଏକ ରନ୍ ଆଉଟ୍ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟର ଥିବା କାର୍ଲ ଲିବେନବର୍ଗଙ୍କୁ ଦେଇଥିଲେ। ସେ ଟିଭି ରିପ୍ଲେ ବ୍ୟବହାର କରି ସଚିନଙ୍କୁ ଆଉଟ୍‌ ଘୋଷଣା କରିଥିଲେ।

୨୦୦୧: ହକ୍‌-ଆଇ
୨୦୦୧ରେ ଲର୍ଡ୍ସରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ହକ୍-ଆଇ ପଦ୍ଧତି ପ୍ରଥମେ ଚ୍ୟାନେଲ-୪ ଦ୍ୱାରା ବ୍ୟବହୃତ ହୋଇଥିଲା। ମୁଖ୍ୟତଃ ଏହି ପଦ୍ଧତି ବଲ୍‌ ପଡ଼ିବା ବେଳେ ତା’ର ପ୍ରକ୍ଷେପ ପଥକୁ ‌ଟ୍ରାକ୍‌ କରିଥାଏ। ୨୦୦୮ରେ ଆଇସିସି ଏହାକୁ ଡିଆର୍‌ଏସ୍‌ର ଏକ ଅଂଶ ଭାବେ ପରୀକ୍ଷା କରିଥିଲା।

୨୦୦୮: ଡିଆର୍‌ଏସ୍‌
ଖେଳାଳିଙ୍କ ପାଇଁ ଅମ୍ପାୟାରଙ୍କ ନିଷ୍ପତ୍ତିର ପୁନଃସମୀକ୍ଷା (ଡିଆର୍‌ଏସ୍‌) ପ୍ରଥମ ପଦ୍ଧତି। ୨୦୦୮ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟ୍‌ ମ୍ୟାଚ୍‌ରେ ଏହାକୁ ପରୀକ୍ଷଣ କରାଯାଇଥିଲା। ନଭେମ୍ବର ୨୦୦୯ରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟ୍‌ରେ ଆଇସିସି ଦ୍ବାରା ଡିଆର୍‌ଏସ୍‌ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା।

୨୦୦୮: ସୁପର ଓଭର
୨୦୧୯ ବିଶ୍ୱକପ୍ ବିଜେତା ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା। ଯାହା ପାଇଁ ଉଭୟ ପ୍ରଶଂସକ ଏବଂ ସମୀକ୍ଷକଙ୍କ ଦ୍ବାରା ଏହି ଫାଇନାଲ୍‌ ମ୍ୟାଚ୍‌ ବିଶ୍ୱକପ୍ ଇତିହାସର ସର୍ବଶ୍ରେଷ୍ଠ ହୋଇଥିଲା। ଏହି ରୋମାଞ୍ଚକର ସୁପର ଓଭର ୨୦୦୮ରେ ନ୍ୟୁଜିଲାଣ୍ଡ ଓ ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟବହୃତ ହୋଇଥିଲା। ବଲ୍‌-ଆଉଟ୍‌ ପଦ୍ଧତି ବଦଳରେ ଏହା ବ୍ୟବହାର କରାଯାଇଥିଲା।

୨୦୧୨: ଏଲଇଡି ଷ୍ଟମ୍ପ୍‌ ଓ ବେଲ୍‌
୨୦୧୨ ବିଗ୍ ବାସ୍‌ ଲିଗ୍‌ରେ ଜିଙ୍ଗ୍ ବେଲ୍‌ ଓ ଫ୍ଲାସ୍ ଷ୍ଟମ୍ପ୍‌ଗୁଡ଼ିକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ୨୦୧୪ରେ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍ ବିଶ୍ୱକପ୍‌ର ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଏହାକୁ ପ୍ରଥମ ଥର ବ୍ୟବହାର କରିଥିଲା।​

୨୦୧୫: ଦିବାରାତ୍ର ଟେଷ୍ଟ୍‌
ଆଡିଲେଡ୍ ଓଭାଲରେ ୨୦୧୫ ନଭେମ୍ବର ୨୭ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର ତଥା ଗୋଲାପି ବଲ୍‌ ଟେଷ୍ଟ୍‌ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ପ୍ରଥମ ଦିବାରାତ୍ର ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ଜିତିଥିଲା। ବିଶେଷକରି ଦିନ ବେଳେ ଦ୍ରୁତବୋଲରମାନେ ଗୋଲାପି ବଲ୍‌ରେ ଭଲ କରିଥିଲେ। ଦ୍ୱିତୀୟ ପାଳିରେ ଜୋସ୍‌ ହାଜଲ୍‌ଉଡ୍ ୬ ଏବଂ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୫ ୱିକେଟ୍‌ ଅକ୍ତିଆର କରିଥିଲେ।

୨୦୧୯: ଆହତଙ୍କ ପାଇଁ ବିକଳ୍ପ ଖେଳାଳି
ଆଇସିସିର ଏହି ନୂଆ ନିୟମ ଅନୁଯାୟୀ ମସ୍ତିସ୍କାଘାତ ଜନିତ ବ୍ୟାଟ୍ସମ୍ୟାନ୍‌ ବଦଳରେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ମିଳିଛି। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ମାର୍ନସ୍‌ ଲବୁସାନ୍‌ ପ୍ରଥମ ବିକଳ୍ପ ଖେଳାଳିର ହେବାର ଗୌରବ ପାଇଥିଲେ।‌ ସେ ୨୦୧୯ ଆସେସ୍ ଶୃଙ୍ଖଳା ଅନ୍ତର୍ଗତ ଲର୍ଡସ ଟେଷ୍ଟ୍‌ର ଶେଷ ଦିନରେ ଷ୍ଟିଭ୍ ସ୍ମିଥ୍‌ଙ୍କ ସ୍ଥାନରେ ବ୍ୟାଟିଂକୁ ଆସିଥିଲେ।

ସମ୍ବନ୍ଧିତ ଖବର