ଆଇସିସି ଦିନିକିଆ ମାନ୍ୟତା: କୋହଲି ଶୀର୍ଷରେ ସ୍ଥିର
ବୁମ୍ରା ଚତୁର୍ଥକୁ ଖସିଲେ; ଭୁବନେଶ୍ବର ଏକାଦଶକୁ ଉଠିଲେ
ଦୁବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍ସମ୍ୟାନ୍ଙ୍କ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆରେ ଯଥାକ୍ରମେ ୫୬ ଓ ୬୬ ରନ୍ କରିଥିବା କୋହଲି ଆଇସିସି ମାନ୍ୟତାରେ ୮୭୦ ପଏଣ୍ଟ ନିଜ ନାମରେ ରଖିଛନ୍ତି। କୋହଲିଙ୍କ ପଛକୁ ଏହି ତାଲିକାରେ ପାକିସ୍ତାନର ବାବର ଆଜମ୍ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଭାରତୀୟ ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମା ତୃତୀୟରେ ରହିଛନ୍ତି। ଅନ୍ୟପକ୍ଷରେ କେଏଲ୍ ରାହୁଲ ୪ ସ୍ଥାନ ଲମ୍ଫ ମାରି ୩୧ରୁ ୨୭ରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ୪୫ ଓ ୬୪ ରନ୍ କରିଥିବା ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା କ୍ୟାରିୟର ଶ୍ରେଷ୍ଠ ୪୨ତମ ସ୍ଥାନ ପାଇଥିଲା ବେଳେ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଶୀର୍ଷ-୧୦୦ ମଧ୍ୟରେ ଧସେଇ ପଶିଛନ୍ତି।
ଦିନିକିଆ ବୋଲରଙ୍କ ମାନ୍ୟତାରେ କିନ୍ତୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ପାଇଥିବା ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଗୋଟିଏ ସ୍ଥାନ ଖସିଯାଇଛନ୍ତି। ସେ ତୃତୀୟରୁ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୯୦ ରହିଛି। ହେଲେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍ରେ ୪୨ ରନ୍ରେ ୩ ୱିକେଟ୍ ଦଖଲ କରିଥିବା ପେସ୍ ବୋଲର ଭୁବନେଶ୍ବର କୁମାର ୯ ସ୍ଥାନର ଫାଇଦା ଉଠାଇ ଏକାଦଶରେ ପହଞ୍ଚିଛନ୍ତି। ଯାହାକି ୨୦୧୭ ସେପ୍ଟେମ୍ବର (୧୦ମ ସ୍ଥାନ) ପରେ ଭୁବିଙ୍କର ଏହା ଶ୍ରେଷ୍ଠ ମାନ୍ୟତା। ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ୬୭ ରନ୍ରେ ୪ ୱିକେଟ୍ ପାଇଥିବା ଅନ୍ୟତମ ଭାରତୀୟ ଦ୍ରୁତବୋଲର ଶାର୍ଦୁଲ ଠାକୁର ମଧ୍ୟ ୧୩ ସ୍ଥାନ ଲମ୍ଫ ମାରି ୯୭ରୁ ୮୦ରେ ପହଞ୍ଚିଛନ୍ତି।
କିନ୍ତୁ ଟି-୨୦ ମାନ୍ୟତାରେ ଉଭୟ ରାହୁଲ ଓ କୋହଲି ନିମ୍ନଗାମୀ ହୋଇଛନ୍ତି।
ଉଭୟେ ଗୋଟିଏ ଲେଖାଏଁ ସ୍ଥାନ ହରାଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ତେବେ ବୋଲର ଏବଂ ଅଲ୍ରାଉଣ୍ଡରଙ୍କ ମାନ୍ୟତା ତାଲିକାରେ କୌଣସି ଭାରତୀୟ ଶୀର୍ଷ-୧୦ରେ ସ୍ଥାନ ପାଇନାହାନ୍ତି। ଟେଷ୍ଟ୍ ବୋଲରଙ୍କ ମାନ୍ୟତାରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ନିଜର ଦ୍ବିତୀୟ ସ୍ଥାନ ବଜାୟ ରଖିଥିଲା ବେଳେ ଅଲ୍ରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଦେଜା ତୃତୀୟ ଓ ଅଶ୍ବିନ୍ ଚତୁର୍ଥ ସ୍ଥାନରେ ଅଛନ୍ତି। ଟେଷ୍ଟ୍ ମାନ୍ୟତାରେ କୋହଲି ପଞ୍ଚମରେ ସ୍ଥିର ରହିଥିଲା ବେଳେ ରୋହିତ ଓ ପନ୍ତ୍ ଯୁଗ୍ମ ଭାବେ ସପ୍ତମ ସ୍ଥାନରେ ଅଛନ୍ତି।