ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌: ବଦଳିଲା ନିୟମ, ଶୀର୍ଷରୁ ଖସିଲା ଭାରତ

୧୫ ବର୍ଷରୁ କମ୍‌ ଖେଳାଳି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିପାରିବେନି

ଦୁବାଇ: ସାରା ବିଶ୍ବକୁ ଗ୍ରାସ କରିଥିବା କରୋନା ମହାମାରୀ ପୂର୍ବରୁ ଆଇସିସି ପ୍ରଥମ ଥର ଲାଗି ପ୍ରଚଳନ କରିଥିଲା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌। ପ୍ରମୁଖ ୯ ଟେଷ୍ଟ୍‌ ରାଷ୍ଟ୍ର (ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍) ମଧ୍ୟ‌ରେ ଗତବର୍ଷରୁ ଏହି ଚାମ୍ପିଅନ୍‌ସିପ୍‌ ଆରମ୍ଭ ହୋଇଛି। ଦୁଇ ବର୍ଷ ମଧ୍ୟରେ ମୋଟ ୨୭ ଶୃଙ୍ଖଳାରେ ୭୧ ମ୍ୟାଚ୍‌ ଖେଳାଯିବାର ଯୋଜନା ରହିଥିଲା। ସର୍ବାଧିକ ପଏଣ୍ଟ୍‌ ହାସଲ କରିଥିବା ଦୁଇ ଦଳ ମଧ୍ୟରେ ଫାଇନାଲ୍‌ ଖେଳାଯିବା ପରେ ବିଜେତା ନିର୍ଣ୍ଣୟ ହେବ ବୋଲି ଆଇସିସି ନିୟମ ରଖିଥିଲା। ହେଲେ ଚଳିତ ବର୍ଷ ମାର୍ଚ୍ଚରୁ କରୋନା ମହାମାରୀ ଆନ୍ତର୍ଜାତିକ କ୍ରିକେଟ୍‌କୁ ପୂରା ପ୍ରଭାବିତ କରିଥିଲା। ଏପରିକି ୬ରୁ ୭ ମାସ ଧରି କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳାଯାଇପାରିନଥିଲା। ସେହି ସମୟ ମଧ୍ୟରେ ବାଂଲାଦେଶ ସଂପୃକ୍ତି ଥିବା ୪ ସମେତ ମୋଟ ୬ ଶୃଙ୍ଖଳା କରୋନା ଯୋଗୁଁ ସ୍ଥଗିତ କିମ୍ବା ବାତିଲ ହୋଇଥିଲା। ଏଗୁଡ଼ିକ ଆଉ ଅନୁଷ୍ଠିତ ହେବା ସମ୍ଭବ ନୁହେଁ ବୋଲି ଆଇସିସିର ହୃଦ୍‌ବୋଧ ହୋଇଛି। ଯଦିଓ କରୋନା ପରବର୍ତୀ ଆନ୍ତର୍ଜାତିକ ମ୍ୟାଚ୍‌ ଜୈବ ବଳୟ ମଧ୍ୟରେ ଆରମ୍ଭ ହୋଇଯାଇଛି ତଥାପି ଧାର୍ଯ୍ୟ ସମୟ ମଧ୍ୟରେ ସବୁ ଦଳର ନିର୍ଧାରିତ ଶୃଙ୍ଖଳା ଖେଳାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଏପରିକି ଦଳଗୁଡ଼ିକୁ ସେମାନଙ୍କ ପୂରା କୋଟା ପୂର୍ଣ୍ଣ କରିବା ପାଇଁ ଅନୁମତି ଦେବାକୁ ଏବଂ ଏଥିପାଇଁ ସମୟ ବୃଦ୍ଧି କରିବାକୁ ମଧ୍ୟ ଆଇସିସି ବୋର୍ଡ ରାଜି ହୋଇନାହିଁ। ଖାସ୍‌ ସେଇଥିପାଇଁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ନିୟମରେ ଆଇସିସି ପରିବର୍ତନ ଆଣିଛି। ଗୁରୁବାର ଏନେଇ ଆଇସିସି ମଧ୍ୟ ନୂଆ ନିୟମ ସଂପର୍କରେ ସୂଚନା ଦେଇଥିଲା। ଖେଳାଯାଇସାରିଥିବା‌ ମ୍ୟାଚ୍‌ଗୁଡ଼ିକରୁ ପ୍ରାପ୍ତ ପଏଣ୍ଟ୍‌ର ପ୍ରତିଶତ ଭିତ୍ତିରେ ଦଳଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯିବ ଏବଂ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦୁଇ ଦଳ ଆସନ୍ତାବର୍ଷ ଫାଇନାଲ୍‌ ଖେଳିବେ ବୋଲି ଆଇସିସି କହିଥିଲା। ଆସନ୍ତାବର୍ଷ ଜୁନ୍‌ରେ ହିଁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଅନୁଷ୍ଠିତ ହେବ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନୀ କହିଛନ୍ତି।

ଏବେ ସେହି ନୂଆ ନିୟମ ହିଁ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଭାରତ ପାଇଁ କାଳ ହୋଇଛି। କାରଣ ଭାରତ କରୋନା ଯୋଗୁଁ ଆନ୍ତର୍ଜାତିକ କ୍ରିକେଟ୍‌ ପ୍ରଭାବିତ ହେବା ପୂର୍ବରୁ ୯ ଟେଷ୍ଟ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ୩୬୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଥିଲା। ଏହା ପଛକୁ ଅଷ୍ଟ୍ରେଲିଆ ୧୦ ମ୍ୟାଚ୍‌ରୁ ୭ ବିଜୟ, ୨ ପରାଜୟ ଓ ଗୋଟିଏ ଅମୀମାଂସିତ ସହ ୨୯୬ ପଏଣ୍ଟ୍‌ ପାଇ ଦ୍ବିତୀୟରେ ରହିଥିଲା ବେଳେ ଇଂଲଣ୍ଡ ୧୫ ମ୍ୟାଚ୍‌ ଖେଳି ୮ ବିଜୟ, ୪ ପରାଜୟ ଓ ୩ ଅମୀମାଂସିତ ବଳରେ ୨୯୨ ପଏଣ୍ଟ୍‌ ପାଇ ତୃତୀୟରେ ରହିଥିଲା। ହେଲେ କରୋନା ଯୋଗୁଁ ପ୍ରଭାବିତ ପରେ ଆଇସିସି ଯେଉଁ ନୂ୍ଆ ନିୟମ ପ୍ରଣୟନ କଲା ତାହା ଭାରତକୁ କ୍ଷତିଗ୍ରସ୍ତ କରିଛି। ପ୍ରାପ୍ତ ପଏଣ୍ଟ୍‌ର ପ୍ରତିଶତ ହିସାବ ଭିତ୍ତିରେ ଭାରତ (୭୫%) ଏବେ ଶୀର୍ଷରୁ ଦ୍ବିତୀୟକୁ ଖସି ଯାଇଥିଲା ବେଳେ ଅଷ୍ଟ୍ରେଲିଆ (୮୨.୨୨%) ଦ୍ବିତୀୟରୁ ଶୀର୍ଷକୁ ଉଠିଯାଇଛି। ଇଂଲଣ୍ଡ (୬୦.୮୩%) ତୃତୀୟରେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ (୫୦%) ଚତୁର୍ଥରେ ରହିଛି।

୧୫ ବର୍ଷରୁ କମ୍‌ ଖେଳାଳି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିପାରିବେନି
ଆଇସିସି ବୋର୍ଡ ବୈଠକରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତାହା ହେଲା ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବା ପାଇଁ ବୟସ ମାନଦଣ୍ଡ ନିର୍ଧାରଣ। ଏହି ବୟସ ନୀତି ଅନୁଯାୟୀ ଏଣିକି ୧୫ ବର୍ଷରୁ କମ୍‌ ଖେଳାଳିମାନେ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାକୁ ଯୋଗ୍ୟ ହେବେନି ବୋଲି ସ୍ପଷ୍ଟ କରାଯାଇଛି। ବିଶେଷକରି ଯୁବ ଖେଳାଳିମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଥିବା କୁହାଯାଇଛି। ଫଳରେ ଆଇସିସିର କୌଣସି ପ୍ରତିଯୋଗିତା ସାଙ୍ଗକୁ ଦ୍ବିପାକ୍ଷିକ ଏବଂ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ୧୫ ବର୍ଷରୁ କମ୍‌ ଖେଳାଳିମାନେ ସାମିଲ ହୋଇପାରିବେନି। ତେଣୁ ଉଭୟ ପୁରୁଷ ଓ ମହିଳା କିମ୍ବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଖେଳିବା ପାଇଁ ଖେଳାଳିଙ୍କ ବୟସ ଅତିକମ୍‌ରେ ୧୫ ବର୍ଷରୁ ଅଧିକ ହେବା ବାଞ୍ଛନୀୟ ବୋଲି ଆଇସିସି ଏକ ବିବୃତ୍ତିରେ ପ୍ରକାଶ କରିଛି। ତେବେ ଯଦି ଅତି ଆବଶ୍ୟକ କ୍ଷେତ୍ରରେ ୧୫ ବର୍ଷରୁ କମ୍‌ କୌଣସି ଖେଳାଳିଙ୍କୁ ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ଚାହିଁବେ ତାହାଲେ ଜାତୀୟ ବୋର୍ଡ ସେଥିପାଇଁ ଆଇସିସିଠାରୁ ଅନୁମତି ଆବେଦନ କରିପାରି‌ବେ ବୋଲି କୁହାଯାଇଛି। ସେହିକ୍ଷେତ୍ରରେ ଖେଳାଳିଙ୍କ ଅଭିଜ୍ଞତା ଏବଂ ମାନସିକ ବିକାଶକୁ ଗୁରୁତ୍ବ ଦିଆଯିବ।

ପୂର୍ବରୁ ଯେକୌଣସି ପ୍ରକାର ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାକୁ ଖେଳାଳିଙ୍କ ପାଇଁ କୌଣସି ବୟସର ମାନଦଣ୍ଡ ରଖାଯାଇନଥିଲା। ସେହି ଦୃଷ୍ଟିରୁ ପାକିସ୍ତାନର ହାସନ୍‌ ରାଜା ୧୪ ବର୍ଷ ୨୨୭ ଦିନ ବୟସରେ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଥିଲେ। ୧୯୯୬ରୁ ୨୦୦୫ ମଧ୍ୟରେ ୭ ଟେଷ୍ଟ୍‌ ଏବଂ ୧୬ ଦିନିକିଆ ମ୍ୟାଚ୍‌ ଖେଳିଥିବା ହାସନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବା‌ରେ ସର୍ବକନିଷ୍ଠ ଖେଳାଳିର କୀର୍ତ୍ତିମାନ ମଧ୍ୟ ନିଜ ନାମରେ ରଖିଛନ୍ତି। ଏହି ଡାହାଣହାତୀ ବ୍ୟାଟ୍‌ସମ୍ୟାନ୍‌ ୧୫ ବର୍ଷ ବୟସ ପୂର୍ବରୁ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ଅନ୍ୟପକ୍ଷରେ ସଚିନ୍‌ ତେନ୍ଦୁଲକର ଟେଷ୍ଟ୍‌ ଖେଳିବାରେ ଭାରତ ପାଇଁ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ୧୯୮୯ ନଭେମ୍ବରରେ କରାଚିରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ପଦାର୍ପଣ ବେଳକୁ ତାଙ୍କୁ ୧୬ ବର୍ଷ ୨୦୫ ଦିନ ବୟସ ହୋଇଥିଲା।

ସମ୍ବନ୍ଧିତ ଖବର